mahanadi-pain-mahasangram-karjyakram-pain-mukhyamantri-jharsuguda-(1)

ଛତିଶଗଡ଼କୁ ବିଜେପି ନେତାଙ୍କ ସମର୍ଥନ

48

ମହାନଦୀ ମହାସଂଗ୍ରାମ ଅଭିଯାନ ଆରମ୍ଭ କଲେ ନବୀନ
ଝାରସୁଗୁଡ଼ା,୧୬ ।୫ (ଆପ୍ର): ମହାନଦୀ ହେଉଛି ଓଡିଶାର ଜୀବନରେଖା, ଆମର ମା’ । ମହାନଦୀକୁ ଛାଡି ଓଡିଆ ଜାତିର କଳ୍ପନା କରାଯାଇପାରିବନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡରର ବିଜେପି ସରକାରଙ୍କ ମନୋବୃତ୍ତି ଓଡିଶା ବିରୋଧୀ । ରାଜ୍ୟ ବିଜେପି ନେତାମାନେ ଛତିଶଗଡର କାମକୁ ସମର୍ଥନ କରୁଛନ୍ତି ଏବଂ ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କ ଓଡିଆ ଓ ଓଡିଶା ପ୍ରତି ଦରଦ ଅଛି, ତାହେଲେ ସେମାନେ ଛତିଶଗଡ ସରକାରର କାର୍ଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ମହାନଦୀ ପ୍ରବେଶସ୍ଥଳର ଶୁଖାସୋଡ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଲାଗି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଆନେ୍ଦାଳନକୁ ଆରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ମହାନଦୀ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ହୋଇଥିବା ସବୁ ବନ୍ଧୁମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ମୁଁ ସ୍ୱାଗତ କରୁଛି । ସେମାନେ ଛତିଶଗଡ଼ର ବିଜେପି ସରକାରକୁ ବିରୋଧ କରିପାରିବେ କି? ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପି୍ରମ୍ କୋର୍ଟ ଯାଇଥିଲା । ଆମ ଦାବି ଫଳରେ ଆଜି ଟ୍ରିବୁ୍ୟନାଲ ଗଠନ କରାଯାଇଛି । ଆପଣମାନେ ଜାଣନ୍ତି, ବର୍ଷାଦିନେ ମହାନଦୀରେ ପାଣି ସମସ୍ୟା ନାହିଁ । କିନ୍ତୁ ଛତିଶଗଡ଼ରେ ଅନେକ ବ୍ୟାରେଜ ନିର୍ମାଣ ଯୋଗୁଁ ଅନ୍ୟ ଋତୁରେ ମହାନଦୀ ଶୁଖିଲା ରହୁଛି । ହୀରାକୁଦର ପାଣି କମିଯାଉଛି । କିଛି ଜାଗାରେ ବ୍ୟାରେଜ୍ ନିର୍ମାଣ ହେଲେ ସମସ୍ୟାର ସମାଧାନ ହେବ ନାହିଁ । ବ୍ୟାରେଜ ନିକଟରେ ପାଣି ରହିବ । କିନ୍ତୁ ମହାନଦୀର ସମୁଦାୟ ୫୦୦ କିଲୋମିଟର ଅଂଶରେ ପାଣି ମିଳିବ ନାହିଁ । ରବି ଚାଷ ପାଇଁ ପାଣି ମିଳିବ ନାହିଁ । ମତ୍ସ୍ୟଜୀବୀମାନଙ୍କ ଜୀବିକା ବୁଡ଼ି ଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍ଟ କରିଛନ୍ତି । ଆଗକୁ ମଧ୍ୟ ଆହୁରି କରାଯିବ । ସେହିପରି କିଛି ସ୍ଥାନରେ ବ୍ୟାରେଜ୍ କରାଯିବ । କିନ୍ତୁ ଲୋକ ଯେପରି ବିସ୍ଥାପିତ ନ ହେବେ, ସେଥିପ୍ରତି ଧ୍ୟାନ ଦେଇ କାମ କରାଯିବ । ମହାନଦୀ ଓଡ଼ିଶା ଜାତିର ଗୌରବ ଓ ଗରିବାର ସାକ୍ଷୀ । ମହାନଦୀକୁ ଆମେ ଶୁଖିଲା ହେବାକୁ ଦେବୁ ନାହିଁ । ମହାନଦୀ ପାଇଁ ଲଢ଼େଇ କେବଳ ଜନତା ଦଳର ନୁହେଁ । ଏହା ସାରା ଓଡ଼ିଶାବାସୀଙ୍କର ଲଢ଼େଇ । ଆମର ଭବିଷ୍ୟତ ପୀଢ଼ି ପାଇଁ ଏହି ଲଢ଼େଇ । ତେଣୁ ଦଳମତ ନିର୍ବିଶେଷରେ ଏହି ଅଭିଯାନରେ ସାମିଲ ହେବାପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଜଣାଉଛି । ମୋର ବିଶ୍ୱାସ ମହାନଦୀର ସୁରକ୍ଷା ପାଇଁ ଆମ ଲଢ଼େଇ ସଫଳ ହେବ । ଓଡ଼ିଆ ଜାତି ତା’ର ହକ୍ ପାଇବ । ଆଜିର ଏହି ମହାସଂଗ୍ରାମ ଜନଜାଗରଣ ଯାତ୍ରା କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ନଗେନ୍ଦ୍ର ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏ, ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ରବି ପାଣି, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁବ ବିଜେଡି ସାଧାରଣ ସମ୍ପାଦକ ସଂଜୀତ ମହାନ୍ତି ପ୍ରମୁଖ ଯୋଗଦେଇ ମହାନଦୀ ସୁରକ୍ଷା ଅଭିଯାନ ଓଡ଼ିଶାବାସୀଙ୍କର ସ୍ୱାଭିମାନର ପ୍ରସଙ୍ଗ ହୋଇଥିବାରୁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ଏହି ପ୍ରକି୍ରୟାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ଶେଷରେ ୧୧ଟା ୨୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଫେରି ଯାଇଥିଲେ । ଏହି ସଭାରେ ବିଜେଡିର ସମସ୍ତ ନେତା, କର୍ମୀ ଓ ସାଧାରଣ ଜନତା ଯୋଗଦେଇଥିଲେ । ପ୍ରାୟ କୋଡିଏ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଏଥିରେ ସାମିଲ ଥିଲେ । ଆସନ୍ତାକାଲି ମା’ ସମଲେଇଠାରେ ଜଳ ଆଳତୀ କରାଯିବାର କାର୍ଯ୍ୟକ୍ରମ ରହିଛି ।




Powered by odothemes.com