News-1

ଯୁଦ୍ଧକାଳୀନ ଭିତ୍ତିରେ ହେବ ବନ୍ୟା-ବାତ୍ୟାର ମୁକାବିଲା

23

ଜିିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି
କେନ୍ଦୁଝର,୧୬ା ୫(ଆପ୍ର): ଆଗାମୀ ବର୍ଷାଋତୁରେ କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ୧୬ ମେ’୨୦୧୮ରିଖ ବୁଧବାର ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ଉଦ୍ବୋଧନ ଦେଇ ସମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ପାଇଁ ଏବେ ଠାରୁ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେବା ସହିତ ବନ୍ୟା, ବାତ୍ୟା ହେଲେ ତା’ର ଯୁଦ୍ଧକାଳୀନ ଭିତିରେ ମୁକାବିଲା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ହେଲେ ତାର ସଫଳ ମୁକାବିଲା ପାଇଁ ଏବଂ କୌଣସି ଜୀବନହାନି ନହୁଏ ସେଥିପ୍ରତି ସଜାଗ ରହି ସରକାରୀ ପଦାଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ, ତଥା ଜନସାଧାରଣ ସମସ୍ତେ ସାମୁହିକ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାସ୍ତରରୁ ସବ୍ଡିଭିଜନ୍, ବ୍ଲକ୍, ତହସିଲସ୍ତର, ଚିକିତ୍ସାଳୟ ଏବଂ ଲାଇନ୍ ଡିପାର୍ଟମେଣ୍ଟ୍ରେ ୨୪ ଘଣ୍ଟିଆ କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଏହାର ସଠିକ୍ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ/ପୌରପାଳିକାରେ ବନ୍ୟା, ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସ୍ଥାନ, ନିରାପଦ ଆଶ୍ରୟ ସ୍ଥଳ ଉପରେ ଆଲୋଚନା ହୋଇଥିଲା । ତଳିଆ ଅଞ୍ଚଳ ତଥା ବନ୍ୟା ପ୍ରବଣ ଅଞ୍ଚଳ ଚିହ୍ନଟ ସହିତ ସ୍ଥିରିକୃତ ହୋଇଥିବା ନିରାପଦ ଆଶ୍ରୟସ୍ଥଳର ଅବସ୍ଥା ତଦାରଖ ସହିତ ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ବିଡିଓ ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ବ୍ୟତୀତ ଆବଶ୍ୟକସ୍ଥଳେ ବିଦ୍ୟାଳୟ ଗୃହ ଏବଂ ଅଙ୍ଗନୱାଡିକେନ୍ଦ୍ର ଗୃହକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ସ୍ଥିତିକୃତ ହୋଇଛି । ଏଣୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଦ୍ୟାଳୟମାନଙ୍କର ଅବସ୍ଥା ତଦାରଖ କରିବା ସହିତ ଆବଶ୍ୟକୀୟ ମରାମତି କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଚୂଡା, ବିସ୍କୁଟ୍, ଚାଉଳ, ଗୁଡ, କିରୋସିନି, ମହମବତୀ, ଦିଆସିଲି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଯୋଗାଣଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜଳ ସଂପଦ ବିଭାଗ ଅଧିନସ୍ଥ ନଦୀବନ୍ଧର ଦୁର୍ବଳ ସ୍ଥାନ ଆଶୁ ମରାମତି ସହ ବାଲିବସ୍ତା, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବିଭାଗୀୟ ଯନ୍ତ୍ରୀ/ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରତ୍ୟେକ କେନାଲ୍ ମାନଙ୍କରେ ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ମଧ୍ୟ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ବନ୍ୟା, ବାତ୍ୟାର ସଫଳ ମୁକାବିଲା ନିମନ୍ତେ ବିଡିଓମାନଙ୍କୁ ଏବଂ ସହରାଞ୍ଚଳରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନୋଡାଲ୍ ଅଫିସର ଭାବେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଡିଓ/ଜଳସମ୍ପଦ ବିଭାଗର ଅଧିକାରୀ ଉପଜିଲ୍ଲାପାଳ ଏବଂ ଜିଲ୍ଲା କାର୍ଯ୍ୟାଳୟର ଆପତକାଳୀନ ବିଭାଗକୁ ପ୍ରତିଦିନ ବୃଷ୍ଟିପାତ ରିପୋଟର୍୍ ପ୍ରଦାନ, ବନ୍ୟା, ବାତ୍ୟା ସମ୍ପର୍କିତ ଖବର ପ୍ରେରଣ ପାଇଁ ଅସ୍ଥାୟୀ ପୁଲିସ୍ ଓୟାରଲେସ୍ ଏବଂ ଭିଏଚ୍ଏଫ୍ ସେଟ୍ ସ୍ଥାପନ, ଟେଲିଫୋନ୍ ସେବାକୁ କାର୍ଯ୍ୟକ୍ଷମ, ଦେଶୀ ଡଙ୍ଗା ଓ ପାୱାର୍ ବୋଟ୍ ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଓ ପରିମଳ ସମସ୍ୟାର ମୁକାବିଲା ପାଇଁ ଚିକିତ୍ସାଳୟ/ଏ.ଏନ୍.ଏମ୍. ସେଣ୍ଟର, ଅଙ୍ଗନୱାଡି କେନ୍ଦ୍ରରେ ଓ.ଆର୍.ଏସ୍. ପ୍ୟାକେଟ୍, ହାଲୋଜେନ୍ ଟାବ୍ଲେଟ୍, ବ୍ଲିଚିଂ ପାଉଡର, ଆଶୁ ଚିକିତ୍ସା ସାମଗ୍ରୀ ଆଦି ମହଜୁଦ ରଖି ବଣ୍ଟନ କରିବାକୁ ସିଡିଏମ୍ପିଏଚ୍ଓଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏସବୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଆକ୍ସ୍ନ ପ୍ଲାନ୍ ଚଳିତ ମଇ ୩୧ତାରିଖ ସୁଦ୍ଧା ଦାଖଲ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଉଦ୍ବୋଧନ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ସ୍ୱାଗତ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଆନନ୍ଦପୁର ଉପଜିଲ୍ଲାପାଳ ନିତ୍ୟାନନ୍ଦ ବାରିକ, କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଘାଷିରାମ ମୁର୍ମୁ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା, ଆପତକାଳୀନ ବିଭାଗର ଆସିଷ୍ଟାଣ୍ଟ୍ କଲେକ୍ଟର ସୁରଞ୍ଜିକା ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାର ବିଡିଓ, ତହସିଲଦାର, ପୌରପାଳିକାର ନିର୍ବାହୀ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com