Chakapada-Gharapodi-Hitadhikari

ପିଡିଙ୍କ ଦ୍ୱାରସ୍ତ ପରେ ବିପନ୍ନଙ୍କୁ ମିଳିଲା ପ୍ରତିଶ୍ରୁତି

20

ଚକାପାଦ ଅଗ୍ନିକାଣ୍ଡକୁ ୪ମାସ
ଚକାପାଦ (ଆପ୍ର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳୀ ପଞ୍ଚାୟତ ଅର୍ନ୍ତଗତ ରଗାପାଜୁ ୱାର୍ଡ କମ୍ବାରିଗୋଚ୍ଛାରେ ଗତ ଫେବ୍ରୁଆରୀ ୨୨ତାରିଖରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ଦୀର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ ଅଗ୍ନିବିପନ୍ନ ୧୨ପରିବାରଙ୍କ ପାଇଁ ସରକାରୀ ସହାୟତା ଅପହଞ୍ଚ ହୋଇ ରହିଛି । ସ୍ଥାନୀୟ କୁଜି ନେତାଙ୍କ ଠାରୁ ଆରମ୍ଭ କରି ବ୍ଲ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ନିରାଶ ହେବାପରେ ଉକ୍ତ ପରିବାର ଲୋକେ କନ୍ଧମାଳ ପିଡି ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ ଜଣାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରି ଖୁବ୍ଶୀଘ୍ର କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିବା ନେଇ ଜଣାପଡ଼ିଛି । କମ୍ବାରିଗୋଚ୍ଛାରେ ଘଟିଥିବା ଅଗ୍ନିକାଣ୍ଡରେ ୧୨ଟି ପରିବାର ସର୍ବଶ୍ୱ ହରାଇଥିଲେ । ଖବରପାଇ ବିଡିଓ ତ୍ରିଲୋଚନ ମହାନ୍ତି, ତହସିଲଦାର୍ ତନ୍ମୟ ପାତ୍ର, ବ୍ଲକ୍ ଅଧକ୍ଷ୍ୟ ପ୍ରଭଞ୍ଜନ କହଁର, ବ୍ଲକ୍ ପିଇଓ, ଚାହାଳି ସରପଞ୍ଚ ମନୁ ମଳିକ, ସମିତିସଭ୍ୟା ପୁଷ୍ପଲତା ବେହେରା, ଚାହାଳି ଆର୍ଆଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଅଗ୍ନିବିପନ୍ନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବା ସହିତ ୩ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଦେବାର ବନେ୍ଦାବସ୍ତ କରିଥିଲେ । ତେବେ ଘଟଣାକୁ ୪ମାସ ବିତି ଯାଇଥିବା ବେଳେ କୌଣସି ସରକାରୀ ସହଯୋଗ ମିଳିନଥିବାରୁ ଅଗ୍ନିବିପନ୍ନ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଶେଷରେ ଅଗ୍ନିବିପନ୍ନ ପରିବାର ଏନେଇ କନ୍ଧମାଳ ପିଡି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ଦୀର୍ଘଦିନ ଧରି ଖୋଲା ଆକାଶ ତଳେ ଜୀବନ କାଟୁଥିବା ଏହି ପରିବାରମାନଙ୍କ ଗୁହାରୀ ଶୁଣିବା ପରେ ଶ୍ରୀ ପଣ୍ଡା ଖୁବ୍ଶୀଘ୍ର ଅଗ୍ନିବିପନ୍ନ ପରିବାରଙ୍କୁ ନୂତନ ଗୃହ ନିର୍ମାଣରେ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ପାଇ ଘରକୁ ଫେରିଥିବା ଜଣାପଡ଼ିଛି । ତେବେ ଏହି ପ୍ରତିଶ୍ରୁତି କେତେଦୂର ଫଳପ୍ରଦ ହେବେ, ତାହା ଦେଖିବାକୁ ବାକି ରହିଥିବା ଜଣାପଡ଼ିଛି ।




Powered by odothemes.com