kujanga-murder-case-accused-arrest

ଟଙ୍କା ପାଇଁ ବାପା ସାଜି ଥିଲା ହତ୍ୟାକାରୀ

142

ଝିଅ, ନାତି ଓ ଦୁଇ ନାତୁଣୀଙ୍କ ମୃତୁ୍ୟ ଘଟଣାର ପର୍ଦ୍ଦାଫାସ
କୁଜଙ୍ଗ (ଆପ୍ର): ଟଙ୍କା ପାଇଁ ବାପା ସାଜି ଥିଲା ହତ୍ୟାକାରୀ । ମାତ୍ର ୨ଲକ୍ଷ ଟଙ୍କା ପାଇଁ ବାପା, ନିଜ ଜନ୍ମକଲା ଝିଅ ସହ ନାତି ଓ ୨ନାତୁଣିଙ୍କ ହତ୍ୟାକାଣ୍ଡ ଭିଆଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା । ତେବେ କୁଜଙ୍ଗ ପୁଲିସ ଏହି ହତ୍ୟାକାଣ୍ଡର ମଙ୍ଗଳବାର ପର୍ଦ୍ଦାଫାସ କରିଛି । ଏନେଇ ମଙ୍ଗଳବାର କୁଜଙ୍ଗ ଥାନା ଅଭ୍ୟର୍ଥନା କକ୍ଷରେ ଅପରାହ୍ନ ୧ଟାରେ ଜିଲ୍ଲା ଅତିରିକ୍ତ ଏସ୍ପି ବିଷ୍ଣୁନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ସୂଚନା ଦେଇଛନ୍ତି । ଗତ ୧୦ତାରିଖ ଶନିମନ୍ଦିର ନିକଟସ୍ଥ ମହାନଦୀ ପାଣିରୁ ପୁଲିସ୍ ୪ଟି ମୃତଦେହ ଉଦ୍ଧାର କରିଥିଲା । ଏହାକୁ ନେଇ ରାଜ୍ୟ ସାରା ହଇଚଇ ସୃଷ୍ଟି ହୋଇଥିବା ବେଳେ ମଙ୍ଗଳବାର ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ହତ୍ୟାକାରୀ ହେଲେ ବାପା ଅକ୍ଷୟ ସେଠୀ । ମୃତାମାନେ ହେଲେ ଝିଅ ମାମିନା ସେଠୀ(୩୨), ନାତୁଣୀ ବର୍ଷା ସେଠୀ(୨୦) ଓ ଦିଶା(୮) ଏବଂ ନାତି ମୁନା(୫) । ସୂଚନା ମୁତାବକ, ଅକ୍ଷୟଙ୍କ ଝିଅ ମାମିନା ସେଠୀ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ବିଶ୍ୱମ୍ବର ସେଠୀଙ୍କୁ ବିବାହ କରିଥିଲେ । କିଛିଦିନ ପୂର୍ବେ ବିଶ୍ୱମ୍ବରଙ୍କର ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହେବାରେ ସ୍ତ୍ରୀ ମାମିନାଙ୍କୁ ୩ଲକ୍ଷ ଟଙ୍କା ଆର୍ଥôକ ସହାୟତା ମିଳିଥିଲା । ଯାହା ମାମିନାଙ୍କ ବାପା ଅକ୍ଷୟ ସେଠୀ ଜାଣିଥିଲେ । ତେଣୁ ଅକ୍ଷୟଙ୍କର ଏକ ଅବିବାହିତ ଝିଅ ଥିବା ବେଳେ ତା’ର ବାହାଘର ପାଇଁ ଅକ୍ଷୟ ମାମିନାଙ୍କୁ ୨ଲକ୍ଷ ଟଙ୍କା ମାଗିଥିଲା । ପାଖ ପଡ଼ୋଶୀଙ୍କ ବୟାନ ଅନୁଯାୟୀ, ମାମିନା ଟଙ୍କା ଦେବାକୁ ମନା କରିବାରୁ ଅଧିକାଂଶ ସମୟରେ ବାପ-ଝିଅଙ୍କ ମଧ୍ୟରେ କଳିଝଗଡ଼ା ଲାଗେ । ତେଣୁ ଟଙ୍କା ପାଇଁ ରାସ୍ତାରୁ ସବୁ କଣ୍ଟା ଏକାଥରକେ ହଟାଇବା ପାଇଁ ଅକ୍ଷୟ ଏକ ଯୋଜନା ପ୍ରସ୍ତୁତ କରିଥିଲା । ଭିତରେ ବ୍ଲୁପ୍ରିଣ୍ଟ ରଚୁଥିବା ବେଳେ ବିଶ୍ୱାସ ଭାଜନ ପାଇଁ ଉପର ଠାଉଣିଆ ସେମାନଙ୍କ ସହ ମିଳାମିଶା କରୁଥିଲା । ମାମିନାଙ୍କ ଘର ନିକଟରେ ଥିବାରୁ ଅକ୍ଷୟ କୁଜଙ୍ଗ ବଜାରରୁ ବିସ୍କୁଟ, ଜଳଖିଆ, ଚାଉମିନ୍ ଆଣି ଝିଅ ସହ ନାତିନାତୁଣୀଙ୍କୁ ଖାଇବାକୁ ଦେଉଥିଲା । ତେଣୁ ପୂର୍ବପ୍ରସ୍ତୁତ ଯୋଜନା ଅନୁଯାୟୀ, ଅକ୍ଷୟ ପ୍ରଥମେ ୨ନାତୁଣୀ ବର୍ଷା ଓ ଦିଶାଙ୍କୁ ଶନିମନ୍ଦିର ବୁଲାଇ ନେବା ବାହାନାରେ ମହାନଦୀ କୂଳକୁ ଆଣି ସେମାନଙ୍କ ନାକ ଓ ପାଟି ବନ୍ଦକରି ଶ୍ୱାସରୁଦ୍ଧ କରି ନଈକୁ ଫିଙ୍ଗି ଦେଇଥିଲା । କିଛି ସମୟ ପରେ ପୁଣି ମାମିନା ଘରେ ପହଞ୍ଚି ନାତୁଣୀ ଦୁହେଁ କୁଆଡ଼େ ଗଲେ ବୋଲି ଝିଅକୁ ପଚାରିଥିଲା । ଝିଅ ପାଖରୁ ସଠିକ୍ ଉତ୍ତର ନପାଇ, ଝିଅ ଓ ନାତି ମୁନାକୁ ସାଙ୍ଗରେ ନେଇ ନାତୁଣୀଙ୍କୁ ଖୋଜିବା ବାହାନାରେ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଥିଲା । ସମୟ ବିତି ପ୍ରାୟ ରାତି ହୋଇ ଯାଇଥିଲା । ଅନ୍ଧାରର ସୁଯୋଗ ନେଇ ଅକ୍ଷୟ ପ୍ରଥମେ ଝିଅ ମାମିନାର ନାକ ଓ ପାଟିକୁ ଚାପି ଧରି ଶ୍ୱାସରୁଦ୍ଧ କରାଇ ନଈକୁ ଫିଙ୍ଗିଥିଲା ଓ ପରେ ସେହି ସମାନ କୌଶଳରେ ନାତିକୁ ମଧ୍ୟ ମାରି ପାଣିକୁ ଫିଙ୍ଗିଦେଇ କୁଜଙ୍ଗ ବଜାରରେ ବୁଲାବୁଲି କରିଥିଲା । ପୁଲିସ୍ ଆସାମୀ ଅକ୍ଷୟ ସେଠୀଙ୍କର କେସ୍ ନଂ ୯୧/୧୮ରେ ବୟାନ ରେକର୍ଡ କରି ୨୦୧ ଓ ୩୦୨ ଦଫାରେ କୋର୍ଟ ଚାଲାଣ କରିଛି । ସମ୍ପୁର୍ଣ୍ଣ ଘଟଣାକ୍ରମରେ ଆସାମୀ ଅକ୍ଷୟ ସେଠୀ ଏକ ଅଛି ନା ଅନ୍ୟମାନେ କେହି ସହଯୋଗୀ ଅଛନ୍ତି, ସେସବୁ ଦିଗ ପ୍ରତି ପୁଲିସ୍ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।




Powered by odothemes.com