Special-feature-(1)

ଅବହେଳିତ କନ୍ଧମାଳରେ ଫୁଟୁନି ପ୍ରଗତିର ଫୁଲ

119

ବାଲିଗୁଡ଼ା (ଆପ୍ର): ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ଆଦିବାସୀ ଅଧୁ୍ୟଷିତ କନ୍ଧମାଳ ଜିଲ୍ଲାରେ ବିକାଶ ସାଧନ ହୋଇପାରୁନି । ସରକାରୀ ସୁବିଧା ଓ ସଚେତନତା ଅଭାବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ବି ସେସବୁ ସାତ ସପନ ପାଲଟିଛି । ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣ୍ଡଗୁଡ଼ା ଓ ଜିରିଡିକିଆ ପଞ୍ଚାୟତର କେତେଗୁଡିଏ ଗାଁ ପ୍ରତି ଦୃଷ୍ଟି ଦେଲେ ଏହା ସହଜରେ ଅନୁମାନ କରିହେବ । ବଣ୍ଡଗୁଡ଼ାଠୁ ସିରିଙ୍ଗିଆ ଦୂରତ୍ୱ ପ୍ରାୟ ୯କିମି ହୋଇଥିବାବେଳେ ଦୀର୍ଘ ବର୍ଷ ହେବ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ରାସ୍ତାଟି ମରାମତି ଅଭାବରୁ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବଣ୍ଡଗୁଡ଼ା ସମେତ ପଣ୍ଡିପାଙ୍ଗା, ଡବମାହା, ଗିନ୍ଦିରାପାଙ୍ଗା, କୁଟିସାହି, ଜିରିଡିକିଆ, ସାସାମାହା, ଡାବୁଲସୁଗା, ଗୁଞ୍ଜୀବାଡ଼ି ପଞ୍ଚାୟତର ନାଉଡିମାହା, ବାଣ୍ଡୁଡି, ପିରିଗଡ, ସିରିଙ୍ଗିଆ ଗାଁର ପ୍ରାୟ ୬ରୁ ୭ ହଜାର ଗ୍ରାମବାସୀ ଏହା ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ନାହିଁନଥିବା ଅସୁବିଧା ହେଉଛି । ଦୀର୍ଘ ୯କିମି ବନ୍ଧୁର ଜଙ୍ଗଲ ରାସ୍ତାରେ ଛାତ୍ରଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ଯାଉଥିବାବେଳେ ରାସ୍ତା ଖରାପ ଥିବାରୁ ଅଟୋଚାଳକ ଯାତ୍ରୀଙ୍କ ଠାରୁ ଦୁଇଗୁଣ ଭଡା ନେଉଛନ୍ତି । ବିପିଏଲ୍ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ହିତାଧିକାରୀ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ପାନୀୟ ଜଳଠୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସମସ୍ୟା ଲାଗିରହିଥିଲେ ବି ପ୍ରଶାସନର ନଜର ପଡିନଥିବା ଅଭିଯୋଗ ହେଉଛି ।
ଆବଶ୍ୟକତା ଅନୁଯାୟୀ ନଳକୂପ, କୂଅ ନଥିବାରୁ ଲୋକେ ଚୂଆ, ଝରଣା ଓ ନାଳର ପାଣିକୁ ବ୍ୟବହାର କରି ବିଭିନ୍ନ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଦାଣ୍ଡିପାଙ୍ଗା ଗାଁର ୬୦ଟି ପରିବାରର ବାଉଁଶ କାରିଗର କୌଳିକ ବୃତ୍ତିକୁ ଆଦରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଜଙ୍ଗଲରେ ବାଉଁଶ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଗୁଜୁରାଣ ମେଣ୍ଟାଇବାରେ ଅସାମର୍ଥ୍ୟ ହୋଇପଡିଛନ୍ତି । ଏହାଛଡା ସେମାନଙ୍କ ପାଇଁ ଏକମାତ୍ର କୂଅ ରହିଛି, ଯାହା ଯଥେଷ୍ଟ ନୁହେଁ । ଗାଁରେ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଶିଶୁଙ୍କୁ ୨କିମି ଦୂର ଯିବାକୁ ପଡୁଛି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ପ୍ରଶାସନିକ ଉଦାଷୀନତା ଯୋଗୁ ଜିଲ୍ଲାର ବିକାଶରେ ବାଧକ ସାଜିଥିବା ଶୁଣିବାକୁ ମିଳୁଛି । ଶିଳ୍ପବିହୀନ ଏହି ଜିଲ୍ଲାରେ କାମଧନ୍ଦା ଅଭାବରୁ ବିଭିନ୍ନ ସମୟରେ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ସଚେତନତା ଅଭାବରୁ ଅଞ୍ଚଳରେ ବାଲ୍ୟବିବାହ ପ୍ରଥା ବଢ଼ୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୌଳିକ ସମସ୍ୟା ପ୍ରତି ଯତ୍ନବାନ ହେବା ସହ ତୁରନ୍ତ ରାସ୍ତାଘାଟ, ପାନୀୟ ଜଳ ଓ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।




Powered by odothemes.com