rkl1

ୱାରେଣ୍ଟିକୁ ଧରିବାକୁ ଯାଇ ପୁଲିସ ହଟହଟା

48

-ପେଶା ଆଇନ ଉଲ୍ଲଂଘନ! ୨୫ ଗିରଫ -ଥାନା ଘେରିଲେ ଶତାଧିକ ମହିଳା
ରାଉରକେଲା (ଆପ୍ର): ସୁନ୍ଦରଗଡ଼ ଜିଲ୍ଲା ହାତୀବରି ଥାନାଞ୍ଚଳରେ କନ୍ଦୁରକେଲା ପଞ୍ଚାୟତ ବଣେଇଲତା ଗ୍ରାମର ଦୁଇଜଣ ୱାରେଣ୍ଟିକୁ ଗିରଫ କରିବାକୁ ନେଇ ହାତୀବରି ପୁଲିସକୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଛି । ପେଶା ଆଇନ ଉଲ୍ଲଂଘନ କରି ପୁଲିସ ଲୋକଙ୍କୁ ଗିରଫ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଗିରଫ ପାଇଁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଅଟକାଇ ରଖିଥିଲେ । ଫଳରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏନେଇ ପୁଲିସ ଗ୍ରାମର ପାଖାପାଖି ୨୫ ଜଣଙ୍କୁ ଗିରଫ କରିଥିବାବେଳେ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିଛନ୍ତି । ଯଦ୍ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ନେଇ ପୁଲିସ ମୁତୟନ କରାଯାଇଛି । ସୂଚନା ମୁତାବକ, ବଣେଇଲତାରେ ରହୁଥିବା ଦୁଇ ବ୍ୟକ୍ତି ପାତ୍ର ଯୋଜୋ ଓ ରାଜକୁମାର ଗଉଡ଼ଙ୍କ ନାମରେ ଗିରଫ ପରୱାନା ଜାରି ହୋଇଥିଲା । ୨୦୧୨ରେ ପାତ୍ର ଏକ ମାଡପିଟ୍ ମାମଲା ଓ ରାଜକୁମାର ବଣେଇଁରେ ଏକ ଦୁର୍ଘଟଣାଜନିତ ମାମଲାରେ ଜଡିତ ଥିଲା । କୋର୍ଟର ନିଦେ୍ର୍ଦଶକ୍ରମେ ହାତୀବରି ଥାନାଧିକାରୀ ଶ୍ୟାମଲାଲ ଓରାମଙ୍କ ନେତୃତ୍ୱରେ ୮ ଜଣିଆ ପୁଲିସ ଟିମ୍ ସେମାନଙ୍କୁ ଗିରଫ କରିବା ପାଇଁ ଯାଇଥିଲା । ପାତ୍ରଙ୍କୁ ସକାଳେ ଗିରଫ କରାଯାଇଥିବାବେଳେ ରାଜକୁମାରକୁ ଗିରଫ କରିବା ପାଇଁ ସନ୍ଧ୍ୟାରେ ପୁଲିସ ସେଠାରେ ପହଞ୍ଚିଥିଲା । କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରି ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟିରୁ ଉତ୍ତେଜନା ଆରମ୍ଭ ହୋଇଥିଲା । ଗ୍ରାମବାସୀ ପୁଲିସ ଗାଡିକୁ ଘେରିଯିବାରୁ ପୁଲିସ କର୍ମଚାରୀ ପାଖାପାଖି ଦୁଇଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ସେଠାରେ ଫଶିରହିଥିଲେ । ଏହାପରେ ରାତିରେ ସୁନ୍ଦରଗଡ଼ ଏସ୍ପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଇନ କାର୍ଯ୍ୟରେ ବାଧାଦେବା ଓ ଅଟକ ରଖିବା ଘଟଣାରେ ପୁଲିସ ୨୫ ଜଣଙ୍କୁ ଗିରଫ କରି କୁଆରମୁଣ୍ଡା ଥାନାକୁ ନେଇଯାଇଥିଲା । ଫଳରେ ପରଦିନ ସକାଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହାତୀବରି ଥାନା ଘେରାଉ କରିଥିଲେ । ପରେ ସୁନ୍ଦରଗଡ଼ ଏସ୍ଡିପିଓ ଓ ରାଜଗମପୁର ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ସେମାନେ ଶାନ୍ତ ହୋଇଥିଲେ । ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଥିବା ଜଣାପଡିଛି ।




Powered by odothemes.com