berhampur-swyamsidha-(1)

ନାରୀ ସୁରକ୍ଷା, ସଶକ୍ତିକରଣରେ ହେବ ସହାୟକ

210

ଗଞ୍ଜାମ ଜିଲ୍ଲାରେ ସ୍ୱୟଂସିଦ୍ଧା ଆରମ୍ଭ
ବ୍ରହ୍ମପୁର (ବୁ୍ୟରୋ): ନାରୀକୁ ସମ୍ମାନ ପ୍ରଦାନ ସମସ୍ତଙ୍କ ଦାୟିତ୍ୱ । ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ବିଷୟରେ ସମସ୍ତଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକଙ୍କର ନାରୀଙ୍କ ପ୍ରତି ସମ୍ମାନ ରହିଲେ ଅତ୍ୟାଚାର ଓ ନିର୍ଯାତନା କମିବା ସହ ଦେଶର ପ୍ରଗତିରେ ଏହା ସହାୟକ ହେବ ବୋଲି ମହିଳା ଏବଂ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।ବିଶ୍ୱ ମାତୃତ୍ୱ ଦିବସ ଅବସରରେ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସର ମିଳିତ ଉଦ୍ୟମରେ ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି ଯେ, କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ନାରୀ ସୁରକ୍ଷା, ସଚେତନତା ଏବଂ ସଶକ୍ତିକରଣ । ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନାରୀକୁ ସୁରକ୍ଷା ଦେବା ପୁଲିସର ପ୍ରଥମ କର୍ତ୍ତବ୍ୟ । ନାରୀଙ୍କୁ ସେମାନଙ୍କ ମୌଳିକ ଅଧିକାର ସହ ବିଭିନ୍ନ ଆଇନ ବିଷୟରେ ଅବଗତ କରାଯିବା ସ୍ୱୟଂସିଦ୍ଧାର ମୂଳଲକ୍ଷ୍ୟ ବୋଲି ସ୍ଥାନୀୟ ଟାଉନ ହଲ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଦେଶରେ ପ୍ରଥମକରି ଗଞ୍ଜାମରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅନୁସରଣ କରି ନାରୀକୁ ସୁରକ୍ଷା ଦେବାରେ ତତ୍ପର ଦେଖାଇବ ବୋଲି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡଃ. ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ, ନିଗମ ମେୟର କେ. ମାଧବୀ ଯୋଗଦେଇ ନାରୀକୁ ସମାଜରେ କିପରି ମୁଖ୍ୟସ୍ରୋତରେ ଫେରାଇହେବ, ତାହା ଉପରେ ବକ୍ତବ୍ୟ ରଖିଥିଲେ । ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରଏ, ଉପଜିଲ୍ଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।ସ୍ୱୟଂସିଦ୍ଧାକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯୌନ ଅତ୍ୟାଚାର, ନାରୀ ଚାଲାଣ, ପାରିବାରିକ ହିଂସା କିପରି ରୋକାଯାଇପାରିବ ସେ ଦିଗରେ ମହିଳାଙ୍କୁ ସଚେତନତା କରାଇବା, ସୁରକ୍ଷା ଓ ସଶକ୍ତିକରଣ ନାମରେ ସମାଜରେ ବଞ୍ଚିବା ପାଇଁ ଏହା ରାସ୍ତା ଦେଖାଇବ । ଅସହାୟାଙ୍କ ନିକଟକୁ ସୁରକ୍ଷା ନାମକ ଏକ ଭ୍ରାମ୍ୟମାଣ ପୁଲିସ ଗାଡ଼ି ଯିବ ଓ ସେମାନଙ୍କୁ ନ୍ୟାୟ ଦେବାରେ ସହାୟକ ହେବ । ପ୍ରତି ଗଳିକନ୍ଦିରେ ଏହି ଗାଡ଼ି ବୁଲିବା ସହ ମହିଳା ପୁଲିସମାନେ ଏଥିରେ ମୁତୟନ ହେବେ । ମହିଳାମାନେ ଅସୁବିଧାର ସମ୍ମୁଖୀନ ହେବା ମାତ୍ରେ ସୁରକ୍ଷା ଗାଡ଼ିରେ ଥିବା ଦୁଇଟି ଫୋନ୍ ନମ୍ବର-୮୪୮୦୬୬୩୪୭୬ ଓ ୯୩୪୮୮୨୩୪୬୭କୁ ଫୋନ୍ କଲେ କ୍ଷଣିକ ମଧ୍ୟରେ ସୁରକ୍ଷା ଗାଡ଼ି ସହିତ ମହିଳା ପୁଲିସ ପହଞ୍ଚିବେ । ପୀଡ଼ିତାଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ପୁଲିସ ଏନ୍ଜିଓମାନଙ୍କ ସହିତ ଆଲୋଚନା କରି ତାଙ୍କୁ ବିଭିନ୍ନ ସଂସ୍ଥାରେ ନିୟୋଜିତ କରିବାକୁ ମଧ୍ୟ ଉଦ୍ୟମ କରିବ । ଏପରିକି ସ୍ୱୟଂସିଦ୍ଧା ଦ୍ୱାରା କିଛି ଯୁବତୀ ଏବଂ ମହିଳାଙ୍କୁ ସ୍ୱେଚ୍ଛାସେବୀ ଭାବେ ନିଆଯାଇ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଡିଆଇଜି ଶ୍ରୀ ସିଂ କହିଛନ୍ତି । ଉକ୍ତ ଭ୍ରାମ୍ୟମାଣ ଗାଡ଼ି ଶିକ୍ଷାନୁଷ୍ଠାନ ଏବଂ ଅନ୍ୟସ୍ଥାନକୁ ଯାଇ ମହିଳାମାନଙ୍କୁ ଏପରି ସୁବିଧା ଉପରେ ଅବଗତ କରାଇବ ।
ଏହି ଅବସରରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ସୁରକ୍ଷା ତଥା ଭ୍ରାମ୍ୟମାଣ ଗାଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁର ସାଂସଦ, ଗୋପାଳପୁର ବିଧାୟକ ଓ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ହାତପାଣ୍ଠିରୁ ଏହିପରି ୩ଟି ସୁରକ୍ଷା ଗାଡ଼ି ଗଞ୍ଜାମ ଜିଲ୍ଲାକୁ ଦେବା ପାଇଁ ଘୋଷଣା କରାଯୋଇଥିଲା । ଶୀଘ୍ରରୁ ଶୀଘ୍ର ଯେପରି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଏବଂ ଗଳିକନ୍ଦିରେ ଗାଡ଼ି ବୁଲିବ ସେଥିପ୍ରତି ପୁଲିସ ତତ୍ପରତା ଦେଖାଇବାକୁ ଅତିଥିମାନେ କହିଥିଲେ । ଗଞ୍ଜାମର ଦୁଇ ପୁଲିସ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ପ୍ରତିଭାଙ୍କୁ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏଏସ୍ପି ତି୍ରନାଥ ପଟେଲ, ଶାନ୍ତନୁ ଦାଶ, ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ, ଅଶୋକ କୁମାର ମହାନ୍ତି, ଟାଉନ୍ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ବଡ଼ବଜାର ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ବିଏନ୍ପୁର ଥାନା ଅଧିକାରୀ ଜେ. କେ. ପଟ୍ଟନାୟକ, ଗୋଷାଣୀନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀ, ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com