News-6-(2)

ବିକାଶଠୁ ଦୂରରେ ପାଟପାଣି ଗାଁ

40

କେନ୍ଦୁଝରଗଡ଼ (ଆପ୍ର): ସରକାର ଗ୍ରାମ୍ୟ ସଡ଼କ ଯୋଜନାରେ ବିଭିନ୍ନ ଅପହଞ୍ଚ ଇଲାକାକୁ ସଂଯୋଗୀକରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ବାସ୍ତବଚିତ୍ର କିନ୍ତୁ ଭିନ୍ନ ଦେଖିବାକୁ ମିଳୁଛି । ଏବେ ବି ରାଜ୍ୟର ଏମିତି ବହୁତ ଇଲାକା ରହିଛି, ଯେଉଁଠିକୁ ନା ରାସ୍ତାଟିଏ ଅଛି, ନାହିଁ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ମିଳୁଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ବାଂଶପାଳ ବ୍ଲକ୍ ଫୁଲଝର ପଞ୍ଚାୟତସ୍ଥିତ ପାଟପାଣି ଗ୍ରାମର ମହାକୁଡ଼ ସାହିରେ । ଏହି ଗ୍ରାମରେ ୨ଶହରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଥିବା ବେଳେ ନା ରହିଛି ପାଦଚଲା ସଡ଼କ ଟିଏ ନାହିଁ ଚିକିତ୍ସାର ସୁବିଧା । ନା ରହିଛି ପାନୀୟ ଜଳର ବ୍ୟବସ୍ଥା, ନାହିଁ ଶିକ୍ଷା ବ୍ୟବସ୍ଥା । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଆଲୋକ ଏହି ବାସିନ୍ଦାଙ୍କ ପାଇଁ ସାତସପନ ପାଲଟିଛି । ଏନେଇ ଗ୍ରାମବାସୀ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍, ଜିଲ୍ଲା ଅଧିକାରୀଙ୍କୁ ସମସ୍ୟା ନେଇ ଅବଗତ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ପାଟପାଣି ଗ୍ରାମର ମହାକୁଡ଼ ସାହିକୁ ଯିବାକୁ ହେଲେ ୨କିମିରୁ ଅଧିକ ରାସ୍ତା ବିଲ, ବାଡ଼ି, ପାହାଡ଼ ଡେଇଁ ଯିବାକୁ ପଡ଼ୁଛି । ଏପରିକି ଏହି ସାହିବାସିନ୍ଦା ବର୍ଷର ୨ରୁ ୩ମାସ ଜଳବନ୍ଦୀ ହୋଇ ରହିଥାନ୍ତି । ସେହିପରି ପାଟପାଣି ଗାଁରେ ସ୍ୱାସ୍ଥ୍ୟକେନ୍ଦ୍ରଟିଏ ନଥିବାରୁ ଅଞ୍ଚଳବାସୀ ଚିକିତ୍ସା ପାଇଁ ବହୁ ଦୂରକୁ ଯାଇଥାନ୍ତି । ତେଣୁ ଜରୁରୀକାଳୀନ ପରିସ୍ଥିତି ନହେଲେ ଏହି ଅଞ୍ଚଳବାସୀ ଚେଙ୍କ, ଜଙ୍ଗଲରୁ ସଂଗ୍ରହ କରି ଚେରମୂଳୀକୁ ବ୍ରବହାର କରିଥାନ୍ତି । ଫଳରେ ଚିକିତ୍ସା ଅଭାବରୁ ବହୁ ସଂଖ୍ୟକ ଲୋକେ ମୃତୁ୍ୟବରଣ କରୁଥିବା ଜଣାପଡ଼ିଛି । ସେହିପରି ଗ୍ରାମରେ କୂଅ କି ନଳକୂପଟିଏ ନାହିଁ । ତେଣୁ ସ୍ଥାନୀୟ ବାସିନ୍ଦା ଚୁଆପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ଫଳରେ ଏହି ଦୂଷିତ ଜଳକୁ ବ୍ୟବହାର କରି ଅଞ୍ଚଳବାସୀ ବିଭିନ୍ନ ସଂକ୍ରମିତ ରୋଗର ଶିକାର ହୋଇଥାନ୍ତି । ସେହିପରି ଏହି ଇଲାକାରେ ରହୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟଟିଏ ନାହିଁ । ଗ୍ରାମରୁ ୩କିମି ଦୂରରେ ସ୍କୁଲଟିଏ ଥିବାରୁ ପାହାଡ଼, ଜଙ୍ଗଲ ଡେଇଁ ପିଲାମାନେ ସ୍କୁଲ ଯିବା ସମ୍ଭବ ହୋଇନଥାଏ । ସର୍ବନିମ୍ନ ଶିକ୍ଷା ପାଇଁ ଗ୍ରାମରେ ଅଙ୍ଗନୱାଡ଼ିଟିଏ ନଥିବା ବେଳେ ଗ୍ରାମରେ ଆଲୋକ ସାତସପନ ପାଲଟିଛି । ସରକାରୀ ଗୃହ ମିଳିଛି । ତେବେ ଏହି ଗୃହ ଅସମ୍ପୁର୍ଣ୍ଣ ହୋଇପଡ଼ିଛି । ଚାଉଳ ଆଣିବା ପାଇଁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଫୁଲଝରକୁ ୭କି.ମି. ଜଙ୍ଗଲ ମଧ୍ୟରେ ଚାଲିଚାଲି ଯାଆନ୍ତି । ରାସନ୍କାର୍ଡରେ ମିଳୁଥିବା ଚାଉଳ ସେମାନଙ୍କର ମାସେ ଯାଏନାହିଁ । ତେଣୁ ଜଙ୍ଗଲରୁ ମିଳୁଥିବା ଫଳମୂଳ ତାଙ୍କର ଭୋକ ମେଣ୍ଟାଇଥାଏ ବୋଲି ଉପରୋକ୍ତ ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ଗ୍ରାମକୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବରିଷ୍ଠ ମହଲରେ ଦାବି ହୋଇଛି ।




Powered by odothemes.com