ମହାନଦୀ-ଗୋଦାବରୀ ସଂଯୋଗ ହେଲେ  ବୁଡ଼ିବ ୨୩ ହଜାର ହେକ୍ଟର

31

ଭୁବନେଶ୍ୱର, ୨ା୬ (ବୁ୍ୟରୋ): କେନ୍ଦ୍ର ସରକାରଙ୍କ ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ ହେଲେ ୨୩ ହଜାର ହେକ୍ଟର ଜମି ବୁଡ଼ିବ । ସରକାରଙ୍କୁ ୧୮ ହଜାର ହେକ୍ଟର ଜମି ଅଧିଗ୍ରହଣ କରିବାକୁୂ ପଡ଼ିବ । ଶତାଧିକ ଗାଁ ସହ ଅଭୟାରଣ୍ୟ, ଜଙ୍ଗଲ ବି ବୁଡ଼ିବାର ସମ୍ଭାବନା ରହିଛି । କେବଳ ସେତିକି ନୁହେଁ ଜଳସଂପଦ ବିଭାଗ ପିପିଏଫ୍, ମୁଖ୍ୟଯନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ ୨୦୫୧ରେ ରାଜ୍ୟରେ ଜଳସଙ୍କଟ ଦେଖାଯିବ । ବିଶେଷକରି ମହାନଦୀ ଅବବାହିକାରେ ଏହା ଦେଖାଯିବ । ତେଣୁ ଏଭଳି ସ୍ଥିତିରେ ମହାନଦୀରୁ ଗୋଦାବରୀକୁ ରାଜ୍ୟ ପାଣିଦେବା ନେଇ ଜଳ ବିଶେଷଜ୍ଞମାନେ ପୁର୍ନବାର ଚିନ୍ତା କରିବା ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଏବେ ପ୍ରଶ୍ନ ବାଚୀ ସୃ୍ଷ୍ଟି ହୋଇଛି ।
ଓଡ଼ିଶାରେ ଗତ ୨୦ ବର୍ଷ ହେଲା ୧୯ ଡ୍ୟାମ୍ର କାର୍ଯ୍ୟ ଚାଲିଛି । ଏହି ୧୯ଟି ଡ୍ୟାମ୍‍ କାର୍ଯ୍ୟ ପାଇଁ ଲୋକଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ହୋଇପାରୁନି । ପ୍ରସ୍ତାବିତ ନଦୀ ସଂଯୋଗୀକରଣ ଯୋଜନାରେ ନୂଆ ଡ୍ୟାମ ହେବ । ପ୍ରଥମ ବିକଳ୍ପରେ ମଣିଭଦ୍ରା ଓ ବରମୁଳରେ ଡ୍ୟାମ ହେବାର ଥିବାବେଳେ ରାଉଳ ଓ ବାଘରେ ଷ୍ଟୋରେଜ୍‍ ହେବ । ଦ୍ୱିତୀୟ ବିକଳ୍ପଟି ହେଉଛି ବରମୂଳରେ ବ୍ୟାରେଜ୍‍ ହେବ ଏବଂ ତା ସହିତ ବାଘ, ସାଲକି, ରାଉଲ, ଖାଡ଼ଗୋ ଓ ଉଦନ୍ତିରେ ହେବ ଷ୍ଟୋରେଜ୍‍ । ପ୍ରଥମ ବିକଳ୍ପଟିରେ ୨୩୩୪୯ଟି ହେକ୍ଟର ଜମି ଜଳମଗ୍ନ ହେବାର ଥିବାବେଳେ ଦ୍ୱିତୀୟ ବିକଳ୍ପ କାର୍ଯ୍ୟକାରୀ ହେଲେ ୧୫୫୫୮ ହେକ୍ଟର ଜଳମଗ୍ନ ହେବବୋଲି ଆକଳନ କରାଯାଇଛି । ସଂଯେଗାୀକଣ ଯୋଜନାରେ ବିଭିନ୍ନ ପ୍ରକଳ୍ପରେ ଶତାଧିକ ଗାଁ ମଧ୍ୟ ବୁଡ଼ିବ ବୋଲି ଆକଳନ କରାଯାଇଛି । ନୟାଗଡ଼ର ୧୨ଟି ଗ୍ରାମ, ନୂଆପଡ଼ାର ୮ ଗ୍ରାମ ଓ ୧୫୪୧ ହେକ୍ଟର ଜଙ୍ଗଲ, ବୌଦ୍ଧର ୧୧ ଗ୍ରାମ ଓ ୪୦୦ ହେକ୍ଟର ଜଙ୍ଗଲ, କନ୍ଧମାଳର ୧୯ ଗ୍ରାମ ଓ ୪୫୦ ହେକ୍ଟର ଜଙ୍ଗଲ, ବରଗଡ଼ର ୩୨ ଗ୍ରାମ ଓ ୨୩୦ ହେକ୍ଟର ଜଙ୍ଗଲ, ସୁନ୍ଦରଗଡ଼ର ୨୬ ଗ୍ରାମ ଓ ୧୬୦୦ ହେକ୍ଟର, କେନ୍ଦୁଝରର ୩୬୩ ହେକ୍ଟର ଓ କଳାହାଣ୍ଡିର ୧ ହଜାର ହେକ୍ଟର ଜଙ୍ଗଲ ଏବଂ ବଲାଙ୍ଗୀରର ୨ ଗାଁ ସହ ୩୯୪ ହେକ୍ଟର ଅଞ୍ଚଳ ଜଳମଗ୍ନ ହେବ । ଯଦି ଏହି ପ୍ରକଳ୍ପ ପାଇଁ ପଡ଼ିଆ ବା ଅବ୍ୟବହୃତ ଜମି ଯାଇଥା’ନ୍ତା ବୋଧହୁଏ ପରିବେଶବିତ୍‍ଙ୍କୁ ଛାଡ଼ିଦେଲେ ଆଉ କେହି ବିରୋଧାଭାସ ପ୍ରକଟ କରିନଥା’ନ୍ତେ । କିନ୍ତୁ କଥା ହେଉଛି ଗୋଟିଏ ନୁହେଁ ଶହ ଶହ ଗାଁ ଏହି ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବ । ବୁଡ଼ି ଯିବାର ଆଶଙ୍କା ଥିବା ି ଶତାଧିକ ଗାଁ ଲୋକଙ୍କ ବିରୋଧରେ ପ୍ରକଳ୍ପ କାର୍ଯ୍ୟ କିପରି ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ।
ପ୍ରକଳ୍ପଯୋଗୁଁ ଲକ୍ଷ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ ବୋଲି କୁହାଯାଉଛି । ତେବେ ମହାନଦୀରେ ପାଣି ନଥିଲେ, ଯେତେ ଡ୍ୟାମ କଲେ ପାଣି କେନାଲରେ ଜମିକୁ କିଭଳି ମାଡ଼ିବ ତାହା ବି ଆଉ ଏକ ପ୍ରଶ୍ନ । ଅଟଳ ବିହାରୀ ବାଜପାୟୀଙ୍କ ସରକାର ଅମଳରେ ନଦୀ ସଂଯୋଗୀକରଣ ଯୋଜନାର ପରିକଳ୍ପନା କରାଯାଇଥିଲା । ଇତିମଧ୍ୟରେ ୧୦ ବର୍ଷ ବିତିଯାଇଛି । ହେଲେ ଏନେଇ କେହିବି ଆଗେଇ ନାହାନ୍ତି । କାହିଁକିନା ଏହା ବାସ୍ତବତା ଠାରୁ ଅନେକ ଦୂରରେ ରହିଛି ବୋଲି ବହୁ ଗବେଷକ ମତପ୍ରକାଶ କରିଛନ୍ତି । ଏବେ ପୁଣି ଥରେ ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଏଭଳି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରୁଛନ୍ତି । ଯୋଜନା ପରିକଳ୍ପନାରେ ୧୦ ବର୍ଷ ବିତିଯାଇଥିବାବେଳେ ଏହା ବାସ୍ତବରେ ପରିଣତ ହେବାପାଇଁ କେତେ ଦଶନ୍ଧି ଲାଗିବ ତାହା ସହଜରେ ଅନୁମାନ କରାଯାଇପାରେ ।

ସେଆର କରନ୍ତୁ:



Powered by odothemes.com