CHATRAPUR-CHIEF-MINISTER-PROGRAMME-(1)

ଗରିବଙ୍କ ଖୁସି ମୋର ଖୁସି: ନବୀନ

36

ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ବିକାଶ ଇତିହାସରେ ନୂଆ
ବ୍ରହ୍ମପୁର, ୭ା୫(ବୁ୍ୟରୋ): ଗରିବ ଲୋକଙ୍କ ଖୁସିରେ ମୋର ଖୁସି । ସହରରେ ରହୁଥିବା ଗରିବଙ୍କ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ଜମି ଅଧିକାର ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି । ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଛତ୍ରପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ ପୌରାଞ୍ଚଳର ୨ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗରିବ ଲୋକଙ୍କୁ ତାଙ୍କ ଅଧିକାର ଦେବା କ୍ଷେତ୍ରରେ ଓଡ଼ିଶା ଆଜି ଇତିହାସ ସୃଷ୍ଟି କରିଛି ଆଉ ଅନ୍ୟମାନଙ୍କୁ ମାର୍ଗ ଦେଖାଇଛି । ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଲୋକର ସଶକ୍ତୀକରଣ ପାଇଁ ତାଙ୍କ ସରକାର ସବୁବେଳେ କାମ କରିଚାଲିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ବସ୍ତିରେ ରହୁଥିବା ଗରିବ ଲୋକମାନଙ୍କୁ ସମ୍ମାନର ସହ ସେମାନଙ୍କ ଜୀବନ ନିର୍ବାହ ପାଇଁ ସହାୟକ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବସ୍ତିରେ ରହୁଥିବା ଗରିବ ଲୋକମାନଙ୍କୁ ସମ୍ମାନର ସହ ସେମାନଙ୍କ ଜୀବନ ନିର୍ବାହ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏକ ନୂତନ ବିଶ୍ୱର ମାର୍ଗଦର୍ଶକ ଭାବରେ ଓଡ଼ିଶାର ଏହି ଯୁଗାନ୍ତକାରୀ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ସେ ଅତ୍ୟନ୍ତ ଖୁସୀ ଏବଂ ଏହାକୁ ସଫଳ ଭାବରେ ଆଗେଇ ନେବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ସ୍ୱାଗତ କରି ସାମାଜିକ ଅସମାନତା ଦୂର ଦିଗରେ ଟାଟା ଟ୍ରଷ୍ଟର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ରତନ ଟାଟାଙ୍କ ଏହି କାର୍ଯ୍ୟକ୍ରମର ଯୋଗଦାନ ସାରା ବିଶ୍ୱ ପାଇଁ ଏକ ଆଦର୍ଶ ସୃଷ୍ଟି ଦିଗରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟତମ ଅତିଥି ବିଶିଷ୍ଟ ସ୍ଥପତି ଲର୍ଡ ନରମନ ଫଷ୍ଟରଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପରେ ତାଙ୍କର ଅଂଶଗ୍ରହଣ ଲୋକଙ୍କ ପାଇଁ ଏକ ଉତ୍ତମ ବସତିର ବିକାଶ ଦିଗରେ ସହାୟକ ହେବ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଶର ବିଶିଷ୍ଟ ଶିକ୍ଷାବିତ ଡ. ଗୌତମ ଭାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସହରରେ ରହୁଥିବା ଗରିବ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସେ ସାରା ଜୀବନ ସଂଗ୍ରାମ କରି ଦେଶ ଓ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି । ଏପରିକି ପୂର୍ବରୁ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଶାହାରୁଖ୍ ଖାନଙ୍କ ସହ ବିଚାର ବିମର୍ଷବେଳେ ଓଡିଶା ବସ୍ତି ବାସିନ୍ଦାଙ୍କୁ ପରିଚୟ ଦେବାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଯାଉଛି ବୋଲି ପୂର୍ବରୁ ସେ ଦେଶବାସୀଙ୍କୁ ସୂଚନା ଦେଇଥିବାରୁ ତାଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଓମି ଡାୟାର ନେଟୱାର୍କ ଇଣ୍ଡିଆର ପରାମର୍ଶଦାତା ରୂପା ଖୁଦୱାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ଓଡିଶାରେ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ ଓ ଜମି ଅଧିକାର ପ୍ରଦାନ ଦିଗରେ ତାଙ୍କର ସହଯୋଗକୁ ଧନ୍ୟବାଦ ଦେଇଥିଲେ । ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଭେଙ୍କଟରମଣ ପ୍ରମୁଖ ଯୋଗଦେଇ ଓଡିଶା ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଅଭିଭାଷଣ ରଖି ବିଶ୍ୱ ମାନଚିତ୍ରରେ ନବୀନ ବାବୁଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ସାରା ବିଶ୍ୱ ମନେ ରଖିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଉଷାଦେବୀ ଓ ଜିଲ୍ଲାର ସମସ୍ତ ବିଧାୟକ, ବ୍ରହ୍ମପୁର ସାଂସଦ ପ୍ରମୁଖ ଯୋଗ ଦେଇଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ମାଥିଭାତନାନ୍ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ୍, ଗଞ୍ଜାମ ଜିଲ୍ଲାପାଳ ଡ. ପ୍ରେମଚନ୍ଦ୍ର ଚୌଧୁରୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ଶୀତତାପ ନିୟନ୍ତ୍ରିତ ପ୍ୟାଣ୍ଡେଲରେ ବସା ଯାଇଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରଏଙ୍କ ସଂଯୋଜନା ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com