dhuli-jhada

ଧୂଳିଝଡ଼ରେ ୧ଠ୮ ମୃତ

373

ପ୍ରକୃତିର କରାଳ ରୂପ
ଲକ୍ଷ୍ନୌ/ଜୟପୁର, ୩ା୫: ପ୍ରକୃତିର କରାଳ ରୂପ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ଧୂଳିଝଡ ଯୋଗୁଁ ୧୦୮ ଲୋକଙ୍କର ଜୀବନ ଯାଇଥିବାବେଳେ ପାଖାପାଖି ୧୮୩ ଜଣ ଆହତ ହୋଇଛନ୍ତି । ଏହି ଦୁଇ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୁଣି ଧୂଳିଝଡ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ହୋଇଥିବା ଏହି ଧୂଳିଝଡ ସମ୍ପର୍କରେ ପାଣିପାଗ ବିଭାଗ ପୂର୍ବରୁ ଅନୁମାନ କରିପାରିନଥିଲା । ଏପ୍ରିଲ ୩୦ରେ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସତର୍କ ସୂଚନା ଅନୁଯାୟୀ ମେ’ ୨ ଓ ୩ରେ ଓଡିଶା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଧୂଳିଝଡ ହେବା ସହ ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଏହା ହୋଇପାରେ ବୋଲି କୁହାଯାଇଥିଲା । ଏଥିରେ ରାଜସ୍ଥାନ ଓ ଉତ୍ତରପ୍ରଦେଶ ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପୁନଃଥଇଥାନ ପାଇଁ ଅଧିକାରୀମାନଙ୍କୁ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡା ସେ ଏହି ଘଟଣାରେ ମୃତୁ୍ୟବରଣ କରିଥିବା ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଖୁବ୍ଶୀଘ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି କହିଛନ୍ତି ।
ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଧୂଳିଝଡରେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାରିବେ ଲାଗିଛି । ସନ୍ଧ୍ୟା ସୁଦ୍ଧା ଏହା ୧୦୮ରେ ପହଞ୍ଚôଥିଲାବେଳେ ଆଗକୁ ଏହା ବଢିପାରେ ବୋଲି ସୂଚନା ମିଳିଛି । ଉତ୍ତର ପ୍ରଦେଶରେ ୭୦ ଲୋକ ମୃତୁ୍ୟବରଣ କରିଥିବାବେଳେ ୮୩ ଆହତ ହୋଇଛନ୍ତି । ରାଜସ୍ଥାନରେ ମୃତକଙ୍କ ସଂଖ୍ୟା ୩୮ ଛୁଇଁଥିଲାବେଳେ ୧୦୦ ଲୋକ ଆହତ ହୋଇଛନ୍ତି । ରାଜସ୍ଥାନର ଢୋଲପୁର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୪୫ ମିନିଟ୍ ଧରି ଧୂଳିଝଡ ତାଣ୍ଡବ ସୃଷ୍ଟି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅତିରିକ୍ତ ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ ହରିଆଣା ଉପରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଧୂଳିଝଡର ଆଶଙ୍କା ବଢିଛି । ବଙ୍ଗୋପସାଗରରୁ ଆସୁଥିବା ପୂର୍ବେଇ ପବନ ଯୋଗୁଁ ଉତ୍ତର ପାକିସ୍ତାନ ଓ ଜମ୍ମୁ-କାଶ୍ମୀର ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଧୂଳିଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ୪୩ ଜଣ ଏଠାରେ ମୃତୁ୍ୟବରଣ କରିଥିବା ବେଳେ ୫୧ ଜଣ ଆହତ ହୋଇଥିବା ସରକାରୀଭାବେ କୁହାଯାଇଛି । ଆଗ୍ରା ବ୍ୟତୀତ ବିଜ୍ନୋର, ବରେଲି, ସାହରଣପୁର, ପିଲିଭିଟ୍, ଫିରୋଜାବାଦ୍, ଚିତ୍ରକୂଟ, ମୁଜାଫରନଗର, ରାଇବରେଲି, ଉନାଓରେ ମଧ୍ୟ ଧୂଳିଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ଥାନର ଭରତପୁର ଜିଲ୍ଲାରେ ୧୯ ଜଣ ମୃତୁ୍ୟବରଣ କରିଥିବାବେଳେ ଅଲୁୱାର ଓ ଢୋଲପୁରରେ ୯ ଜଣ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ଏହି ସମସ୍ତ ଅଞ୍ଚଳରେ ବିଦୁ୍ୟତ୍ ସେବା ବାଧାପ୍ରାପ୍ତ ହୋଇଛି । ଖୁବ୍ଶୀଘ୍ର ବିଦୁ୍ୟତ୍ ବ୍ୟବସ୍ଥାକୁ ସୁଧାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗ୍ରାମାଞ୍ଚଳରେ ହୋଇଥିବା ଏହି ଧୂଳିଝଡ ଯୋଗୁଁ କୁକୁଡା ଓ ଗୋପାଳନ ଚାଷୀ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଉତ୍ତର ପ୍ରଦେଶ ରିଲିଫ୍ କମିଶନର ସଞ୍ଜୟ କୁମାର କହିଛନ୍ତି ଯେ ୧୬୦ ଗୃହପାଳିତ ପଶୁଙ୍କ ଜୀବନ ଯାଇଛି । ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ସେଲ୍ସିୟସ ହେଲାପରେ ଏହି ଘୁର୍ଣ୍ଣିଝଡ ସୃଷ୍ଟି ହୋଇଥିଲା । ପ୍ରବଳ ପବନ ଯୋଗୁଁ ବହୁ ସ୍ଥାନରେ ଗଛ ଉପୁଡିପଡିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିଲାଗି ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଥିଲା । ଦିଲ୍ଲୀ ଏନ୍ସିଆର୍, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।
କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିଦେ୍ର୍ଦଶ ଦେବା ସହ ବ୍ୟକ୍ତିଗତଭାବେ ସେ ଏହାକୁ ଅନୁଧ୍ୟାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରବର୍ଗ ଲାଗି ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତମାନଙ୍କ ଲାଗି ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ସହ ଆହତଙ୍କ ଲାଗି ୬୦ ହଜାରରୁ ୨ ଲକ୍ଷ ଟଙ୍କା ଯାଏଁ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com