KANPUR-ASHRAM-SCHOOL---2018-PHOTO-TIHIDI

ସମସ୍ୟା ଘେରରେ କାନପୁର ସେବାଶ୍ରମ ସ୍କୁଲ

45

ତିହିଡି,୩ା୫(ଆପ୍ର): ବାମନବିନ୍ଧା ପଞ୍ଚାୟତ କାନପୁର ଠାରେ ଥିବା ତଫସିଲ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ କାନପୁର ସେବାଶ୍ରମ ସ୍କୁଲଟି ଏବେ ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛି । ସମସ୍ୟାର ସମାଧାନ ଲାଗି ସ୍କୁଲ କର୍ତ୍ତପକ୍ଷଙ୍କ ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି । ଫଳରେ ଏଠାରେ ପାଠ ପଢୁଥିବା ୩ଶହରୁ ଉଦ୍ଧ୍ୱର୍ ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢା ଓ ଭବିଷ୍ୟତ ନିର୍ମାଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ଏଠାରେ ଥିବା ହଷ୍ଟେଲରେ ରହି ପାଠ ପଢୁଥିବା ପ୍ରାୟ ୧ଶହ ହରିଜନ ଓ ଆଦିବାସୀ ଛାତ୍ରୀ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି । ସ୍କୁଲର ଜଳ ନିଷ୍କାସନ ଲାଗି ରହିଥିବା ଡ୍ରେନକୁ ପୋତି କେତେକ ଲୋକ ଘର ନିର୍ମାଣ କରିଥିବାରୁ ଜଳ ନିଷ୍କାସନର ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ସାମାନ୍ୟ ବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ ହୋଇ ଯାଉଛି । ସେହିପରି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଖୁବ ଉଚ୍ଚା କରି ନିର୍ମାଣ କରାଯାଉଥିବା ବେଳେ ରାସ୍ତା ପାଣି ସ୍କୁଲ ମଧ୍ୟକୁ ପଶି ଯାଉଥିବା ଜଣାଯାଇଛି । ଫଳରେ ସ୍କୁଲ ପରିସରକୁ ଛାତ୍ରଛାତ୍ରୀ ଯିବା ସମ୍ଭବ ହୋଇପାରୁନି । ଏମିତି ବର୍ଷା ହେଲେ ସ୍କୁଲକୁ ଛୁଟି କରି ଦିଆଯାଉଥିବା ଜଣାଯାଇଛି । ଅନ୍ତେବାସିନୀ ଛାତ୍ରୀମାନେ ମଧ୍ୟ ଯିବାଆସିବାରେ ଅସୁବିଧା ଭୋଗ କରୁଛନ୍ତି । ଡ୍ରେନ ନିର୍ମାଣ ଲାଗି ପ୍ରାୟ ଦେଢ ଲକ୍ଷ ଟଙ୍କା ପଡି ରହିଥିଲେ ମଧ୍ୟ ଏହାର ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଅନ୍ୟପକ୍ଷେ ସ୍କୁଲର ନୂତନ ଗୃହ ନିର୍ମାଣ ଲାଗି ପ୍ରାୟ ୬୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହେବା ପରେ କିଛି ପୁରୁଣା ଘରକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହି କାମ ଅତି ମନ୍ଥର ଗତିରେ ଚାଲିଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ଓ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନପାରିଲେ ସ୍କୁଲ ପରିସରରେ ପାଣି ଜମି ରହିବା ନିଶ୍ଚିତ ହୋଇଛି । କେବଳ ସେତିକି ନୁହେଁ ଏଠାରେ ୧ମରୁ ୭ମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ଏତେ ପିଲାଙ୍କ ଲାଗି ଗୃହର ଅଭାବ ଦେଖାଦେଇଛି । ଅନ୍ୟପକ୍ଷେ ସ୍କୁଲ ପଛ ଫାଟକକୁ ଲାଗି ଏକ ବିଦୁ୍ୟତ ଟ୍ରାନ୍ସଫର୍ମର ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସ୍କୁଲକୁ ଲାଗି ଏକ ଅପରିଚ୍ଛନ୍ନ ଦଳପୋଖରୀ ଏହାର ପରିବେଶକୁ ଦୂଷିତ କରୁଛି । ସେହିପରି ପ୍ରାୟ ଦେଢ ବର୍ଷ ହେଲା ସ୍କୁଲର ମ୍ୟଟର୍ନ ଚାକିରି ଛାଡି ଦେଇଥିବା ବେଳେ ଅନ୍ୟ ଜଣେ ମ୍ୟଟର୍ନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ପାରିନି । ଫଳରେ ଅନ୍ତେବାସିନୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଜିଲା ସମାଜମଙ୍ଗଳ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।




Powered by odothemes.com