ଶ୍ରୀକାନ୍ତଙ୍କ ଉପରେ ଏଆଇସିସି କ୍ଷୁବ୍ଧ

59

ଭୁବନେଶ୍ୱର,୨୯ ।୪ (ବୁ୍ୟରୋ): ରାଜ୍ୟ କଂଗ୍ରେସର ସ୍ଥିତିକୁ ପୁଣି ସଜାଡ଼ିବା ଲାଗି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଗଠନ କରିଥିବା ନୂଆ ଟିମ୍ର ସଦସ୍ୟ ହୋଇଥିବା ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଉପରେ ଦଳୀୟ ହାଇକମାଣ୍ଡ କ୍ଷୁବ୍ଧ ହୋଇଛନ୍ତି । ଇସ୍ତାହାର କମିଟି ଅଧ୍ୟକ୍ଷ ହେଲାପରେ ଏହାର ମୁଖବନ୍ଧ କ’ଣ ହେବ ସେହି ମର୍ମରେ ଏକ ଚିଠି ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ବିଧାୟକ, ସାଂସଦ ଓ ଏଆଇସିସି କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ । ହେଲେ ସେ ସେଥିରେ ଉଲ୍ଲେଖ କରିଥିବା ଜାତିଆଣ ପ୍ରସଙ୍ଗକୁ ନେଇ ଏଆଇସିସି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ଏଥିଲାଗି ଶ୍ରୀକାନ୍ତଙ୍କୁ ତାଗିଦ୍ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ୨ଠ୧୯ ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାରର ମୁଖବନ୍ଧରେ କ’ଣ କ’ଣ ସ୍ଥାନ ପାଇବ ତା’ର ସମ୍ୟକ୍ ସୂଚନା ଶ୍ରୀକାନ୍ତ ଲେଖି ଏକ ଚିଠି ଲେଖିଥିଲେ । ଚିଠିର ସାରମର୍ମ ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଓଡ଼ିଶାରେ ପଛୁଆ ଓ ସାମାଜିକ, ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପ୍ରତିନିଧିତ୍ୱ ୫୩% ରହୁଥିବାରୁ ଏହି ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେ ପ୍ରସ୍ତାବ ରଖିଥିଲେ । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏସ୍ସି ଓ ଏସ୍ଟି ବର୍ଗରୁ ଦୁଇଜଣଙ୍କୁ କରିବା ପାଇଁ ଉଲ୍ଲେଖ କରିଥିଲେ । ଏହାଛଡ଼ା ଖଣିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ମଣ୍ଡଳ କମିଶନ ସୁପାରିସକୁ କ୍ଷମତାକୁ ଆସିବାର ୩ଠ ଦିନ ମଧ୍ୟରେ ଲାଗୁ କରିବାକୁ ପ୍ରସ୍ତାବ ବାଢ଼ିଥିଲେ । ଯାହା କେବଳ ଏଆଇସିସି ନୁହେଁ, ରାଜ୍ୟର ବହୁ ନେତାଙ୍କୁ କ୍ଷୁବ୍ଧ କରିଛି । ଏଭଳି ଚିଠି ଲେଖିବା ପଛରେ ଶ୍ରୀକାନ୍ତ ପୁଣି ରାଜ୍ୟରେ କଂଗ୍ରେସକୁ ଦୁର୍ବଳ କରିବାକୁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଜନ ଆକ୍ରୋଶ ରାଲିରେ ସାମିଲ୍ ହେବାକୁ ଶ୍ରୀକାନ୍ତ ନୂଆଦିଲ୍ଲୀ ଯାଇଥିଲେ । ରାଲି ପୂର୍ବଦିନ ଏଆଇସିସିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଲିର ସଫଳତା ନେଇ ଆଲୋଚନା କରାଯାଉଥିଲା । ଏହି ବୈଠକରେ ବହୁ ଏଆଇସିସି ନେତା ଶ୍ରୀକାନ୍ତଙ୍କ ଉପରେ ବର୍ଷିଥିବା ସୂଚନା ମିଳିଛି । ନିଜକୁ ଶ୍ରୀକାନ୍ତ ଜାତିଆଣ ରାଜନୀତିର ଏକ ମୋହରା କରିବାକୁ ଚାହୁଁଛନ୍ତି ବୋଲି ସେମାନେ କହିବା ସହ ଏଭଳି ପ୍ରସଙ୍ଗ ଉଠାଇ ନବନିଯୁକ୍ତ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ଏଥିଲାଗି ତାଙ୍କୁ ଦଳୀୟ ନେତାଙ୍କ ରୋଷର ଶିକାର ହେବାକୁପଡ଼ିଛି । ଏଆଇସିସି ନେତାଙ୍କ କହିବାନୁଯାୟୀ ଓଡ଼ିଶାରେ ଜାତିଆଣ ରାଜନୀତି କାମ ଦିଏନାହିଁ । ଜାତିକୁ ନେଇ ଯେଉଁମାନେ ରାଜନୀତି କରିଛନ୍ତି ଲୋକେ ସେଇମାନଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଇତିହାସରେ ଏହା ନୂଆକଥା ନୁହେଁ । ଯାହା ମଧ୍ୟ ଶ୍ରୀକାନ୍ତ ଜାଣିଛନ୍ତି । ସବୁ ଜାଣି ଏଭଳି ଚିଠି ଲେଖିବା ପଛରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ରହିଛି ବୋଲି ଏଆଇସିସି ଅନୁଭବ କରୁଛି । ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ କଂଗ୍ରେସରେ ବିପୁଳ ବିପର୍ଯ୍ୟୟ ଓ ସଦ୍ୟସମାପ୍ତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇବା ଘଟଣାକୁ ନେଇ ଏଆଇସିସି ଚିନ୍ତିତ ହୋଇପଡ଼ିଥିଲା । ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସଂଗଠିତ ଓ ସୁଦୃଢ଼ ହୋଇପାରିବ ନାହିଁ ବୋଲି ହାଇକମାଣ୍ଡ ଅନୁଭବ କରିଥିଲେ । କଂଗ୍ରେସ ଦୁର୍ବଳ ହେବାରୁ ଧୀରେ ଧୀରେ ବିଜେପି ତା’ର କାୟା ବିସ୍ତାର କରିବାକୁ ଲାଗିଥିଲା । କଂଗ୍ରେସକୁ ମାତ୍ ଦେଇ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିଥିଲା, ଯାହା ହାଇକମାଣ୍ଡଙ୍କ ଦ୍ୱାରା ଗ୍ରହଣୀୟ ହେଲାନାହିଁ । ସେଥିଲାଗି ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ସହ ତିନିଜଣଙ୍କୁ କାର୍ଯ୍ୟକାରୀ ସଭାପତି କରିଛନ୍ତି । ନିରଞ୍ଜଙ୍କ ବିରୋଧୀ ଭାବେ ଜଣାଶୁଣା ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ମଧ୍ୟ କରିଛନ୍ତି । ସମନ୍ୱୟ ଭିତ୍ତିରେ କାର୍ଯ୍ୟ ହେବ ବୋଲି ହାଇକମାଣ୍ଡ ଆଶା କରିଥିଲେ । ମାତ୍ର ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଶ୍ରୀକାନ୍ତଙ୍କ ଚିଠି ଯୋଗୁଁ ପରିସ୍ଥିତି ସୃଷ୍ଟି ହୋଇଛି ।




Powered by odothemes.com