redfort

ଡାଲ୍ମିଆ ଗ୍ରୁପ୍କୁ ଲାଲ୍କିଲ୍ଲା

32

ଦିଲ୍ଲୀ, ୨୮ା୪: ଐତିହ୍ୟ କୀର୍ତ୍ତିରାଜି ଲାଲ୍ କିଲ୍ଲାର ରକ୍ଷଣା ବେକ୍ଷଣ ଓ ବିକାଶ ଲାଗି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଡାଲ୍ମିଆ ଭାରତ ଗ୍ରୁପ୍ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୫ ବର୍ଷ ପାଇଁ ବୁଝାମଣା ସ୍ୱାକ୍ଷର ହୋଇଛି । ବର୍ଷକୁ ୫ କୋଟି ହିସାବରେ ୨୫ କୋଟି ଟଙ୍କା ପ୍ରଦାନ କରାଯିବ । ଡାଲମିଆ ଗ୍ରୁପ୍ ମୂଳ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରିବା ସହ ଏହି କୀର୍ତ୍ତିରାଜିକୁ ସଂରକ୍ଷିତ କରିବ । ତେବେ ଏହାକୁ ନେଇ କଂଗ୍ରେସ, ଟିଏମ୍ସି ଓ ସିପିଆଇଏମ୍ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଲାଲ୍ କିଲ୍ଲୀକୁ ବିକ୍ରି କରିବା କ’ଣ ମୋଦି ସରକାରଙ୍କ ‘ଆଚ୍ଛେ ଦିନ’ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଏକ ଘରୋଇ କମ୍ପାନୀକୁ ଭାରତୀୟ ପ୍ରନôତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍ଆଇ) ପରିବର୍ତ୍ତେ କାହିଁକି ଘରୋଇ କମ୍ପାନୀକୁ ଦେଲେ ବୋଲି ସେମାନେ ଆପତ୍ତି ଉଠାଇଛନ୍ତି ।ବୁଝାମଣା ଅନୁଯାୟୀ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍ କିଲ୍ଲାରୁ ଭାଷଣ ଦେବା ପୂର୍ବରୁ ଦୁଇଟି କାର୍ଯ୍ୟକୁ ସମ୍ପାଦନ କରାଯିବ । ସର୍ବନିମ୍ନ ସୁବିଧା ୬ ମାସ ମଧ୍ୟରେ ସେଠାରେ ଉପଲବ୍ଧ କରାଯିବ । ବିଶେଷକରି ପାନୀୟ ଜଳର କିଓସ୍କୋ, ରାସ୍ତାର ଉଭୟ ପାଶ୍ୱର୍ରେ ବେଞ୍ଚ ଏବଂ କିଛି ଦୋକାନ ନିର୍ମାଣ କରାଯିବ । ଏହାଛଡା ଟଏଲେଟ୍ଗୁଡିକର ଉନ୍ନତୀକରଣ କରାଯିବା ସହ ଲାଲ୍କିଲ୍ଲାର ଫୁଟ୍ପାଥ୍ ଓ ଗମ୍ବୁଜଗୁଡିକ ଉପରେ ଆଲୋକ ବ୍ୟବସ୍ଥା କରାଯିବ । ଲାଲ୍କିଲ୍ଲାର ତ୍ରି-ଡି ପ୍ରୋଜେକ୍ସନ୍ର ମ୍ୟାପିଂ କରାଯିବା ସହ ବ୍ୟାଟେରୀଚାଳିତ ଗାଡି ଏହା ମଧ୍ୟରେ ଯାତାୟତ କରିବ । ସେହିଭଳି ହଜାରେ ବର୍ଗଫୁଟ୍ର ଦର୍ଶକ ସୁବିଧା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । ପ୍ରଦର୍ଶନୀ କକ୍ଷ ମଧ୍ୟ ସେଥିରେ ରହିବ । ବିଜେପି ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଏକ ଭଲ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଲାଲ୍କିଲ୍ଲାର ଘରୋଇକରଣ କରାଯିବା ଦ୍ୱାରା କ’ଣ ଲାଭ ହୋଇଛି, ତାହା ସରକାର ସ୍ପଷ୍ଟ କରନ୍ତୁ । କଂଗ୍ରେସ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ଯେ କେନ୍ଦ୍ର ସରକାର ଲାଲ୍କିଲ୍ଲାକୁ ଡାଲ୍ମିଆ ଗ୍ରୁପ୍କୁ ଦେଇଥିଲେ । ଏହାପରେ ବିଜେପି ସରକାର କେଉଁ ଐତିହ୍ୟ କୀର୍ତ୍ତିରାଜିକୁ ଘରୋଇ ସଂସ୍ଥାକୁ ଦେବେ, ତାହା ସ୍ପଷ୍ଟ କରିବା ଉଚିତ୍ । ପର୍ଯ୍ୟଟନ ମନ୍ତ୍ରାଳୟ ‘ଆଡପ୍ଟ ଏ ହେରିଟେଜ୍’ ପ୍ରକଳ୍ପ ନାମରେ ଡାଲମିଆ ଭାରତ ଗ୍ରୁପ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏକ ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜିକୁ ଘରୋଇ କମ୍ପାନୀକୁ ଦେବା ପଛରେ ଦେଶ ଓ ଇତିହାସ ପ୍ରତି କ’ଣ ପ୍ରତିବଦ୍ଧତା ରହିଛି, ତାହା ସେମାନେ ସ୍ପଷ୍ଟ କରନ୍ତୁ । ଏଏସ୍ଆଇକୁ ଦିଆଯାଇଥିବା ଅର୍ଥ କାହିଁକି ଫେରସ୍ତ ଦିଆଗଲା ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି । ତୃଣମୂଳ କଂଗ୍ରେସ ମୁଖପାତ୍ର ଡେରେକ୍ ଓ ବୀରେନ୍ ତାଚ୍ଛଲ୍ୟ କରି କହିଛନ୍ତି ଏହା ହେଉଛି ‘ଆଚ୍ଛେ ଦିନ’ ଲାଲ୍କିଲ୍ଲା ବିକ୍ରି ହୋଇଗଲା । ଆହୁରି ଅନେକ ଜାତୀୟ ସମ୍ପତ୍ତ୍ି ଅଧିକ ଅର୍ଥରେ ନିଲାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସଂସଦୀୟ କମିଟି ଅଧ୍ୟକ୍ଷଭାବେ ସେ ଏଭଳି ପ୍ରସ୍ତାବକୁ ବିରୋଧ କରିଥିଲେ । ସିପିଆଇଏମ୍ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ଭାରତର ଐତିହ୍ୟ କୀର୍ତ୍ତିରାଜିର ଘରୋଇକରଣକୁ ବନ୍ଦ କରାଯାଉ । ସଂସଦୀୟ କମିଟି ଏହାକୁ ବିରୋଧ କରିଛି । ସରକାର ଲାଲ୍କିଲ୍ଲାର ଘରୋଇକରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଥିଲେ । ତେବେ ପର୍ଯ୍ୟଟନ ମନ୍ତ୍ରୀ କେଜେ ଆଲ୍ଫନ୍ସ କହିଛନ୍ତି ଯେ ଐତିହ୍ୟ ସଂସ୍କୃତିକୁ ସଂରକ୍ଷିତ, ସୌନ୍ଦର୍ଯ୍ୟକରଣ ଓ ଉନ୍ନତି କରିବା ଲାଗି ଏହା ହେଉଛି ଏକ ଚକିତ ପଦକ୍ଷେପ । ସେହିଭଳି ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ୨୦୧୭ ବିଶ୍ୱ ପର୍ଯ୍ୟଟନ ଦିବସରେ ରାଷ୍ଟ୍ରପତି ଏକ ଯୋଜନା ଘୋଷଣା କରିଥିଲେ । ସେଥିରେ ସେ କହିଥିଲେ ଯେ ଯେଉଁମାନେ କୀର୍ତ୍ତିରାଜିଗୁଡିକର ମୂଲ୍ୟଯୁକ୍ତ ସେବା ଯୋଗାଇ ଦେବାକୁ ଚାହୁଁଛନ୍ତି, ସେମାନେ ଆଗକୁ ଆସିବା ଆବଶ୍ୟକ । ଡାଲମିଆ ଗ୍ରୁପ୍ ଏଥିପାଇଁ ଆଗେଇ ଆସିଛି । ଏଥିରେ କାହାକୁ ଲାଭ ଦିଆଯାଇନାହିଁ । ସେମାନଙ୍କୁ ଐତିହ୍ୟ ମିତ୍ରଭାବେ ଗ୍ରହଣ କରାଯାଇ ଏଭଳି କୀର୍ତ୍ତିରାଜିଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି । ସପ୍ତଦଶ ଶତାବ୍ଦୀର ଏହି କୀର୍ତ୍ତିରାଜିକୁ ରକ୍ଷଣାବେକ୍ଷଣ ପାଇଁ ଡାଲ୍ମିଆ ଗ୍ରୁପ୍ ଆଗେଇ ଆସିଛି ବୋଲି ସେ କହିଛନ୍ତି ।




Powered by odothemes.com