ଦିଲ୍ଲୀ ଅଧିନାୟକ ପଦ ଛାଡ଼ିଲେ ଗୌତମ ଗମ୍ଭୀର | ସର୍ବସାଧାରଣ ଖବରକାଗଜ
Shreyas-Iyer-DD-Sportzpics-social

ଦିଲ୍ଲୀ ଅଧିନାୟକ ପଦ ଛାଡ଼ିଲେ ଗୌତମ ଗମ୍ଭୀର

30

ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଶ୍ରେୟସ୍
ନୂଆଦିଲ୍ଲୀ : ଆଇପିଏଲ ୨୦୧୮ରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ ଯୋଗୁଁ ଏହାର ଅଧିନାୟକ ଗୌତମ ଗମ୍ଭୀର ନିଜ ପଦ ଛାଡ଼ିଦେଇଛନ୍ତି । ତାଙ୍କ ସ୍ଥାନରେ ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାରଙ୍କୁ ଦିଲ୍ଲୀ ଟିମ୍ର ଅଧିନାୟକ ଦାୟିତ୍ୱ ମିଳିଛି । ମାତ୍ର ବ୍ୟାଟ୍ସମ୍ୟାନ୍ ଭାବରେ ଗମ୍ଭୀର ଦଳରେ ରହିବେ ବୋଲି ସୂଚନା ମିଳିଛି ।ପଦ ଛାଡ଼ିବା ପରେ ଗମ୍ଭୀର କହିଛନ୍ତି ଯେ ମୁଁ ନିଜଆଡୁ ପଦ ଛାଡ଼ିଛି । ମୋ ଉପରେ କୌଣସି ବାଧ୍ୟବାଧକତା କିମ୍ବା ଚାପ ନଥିଲା । ଅଧିନାୟକ ଭାବରେ ମୁଁ ଦଳ ପାଇଁ ଶତପ୍ରତିଶତ ଯୋଗଦାନ କରିପାରି ନଥିଲି । ଅଧିନାୟକ ଦାୟିତ୍ୱ ମୋ ପାଇଁ ଚାପ ବୋଲି ମନେକରୁଛି । ତେଣୁ ଦଳର ସ୍ୱାର୍ଥ ଦୃଷ୍ଟିରୁ ଏବେଠାରୁ ନିଜ ପଦ ଛାଡ଼ିଛି । କେବଳ ସେତିକି ନୁହେଁ, ଗତ ମ୍ୟାଚ୍ଗୁଡ଼ିକରେ ଦଳର ଏଭଳି ଦଶା ପାଇଁ ମୁଁ ନିଜ ଉପରେ ଦାୟିତ୍ୱ ନେବା ସହ ଉକ୍ତ ମ୍ୟାଚ୍ ଫି’ ନେବି ନାହିଁ ଏବଂ ଏ ନେଇ ପୂର୍ବରୁ ପନôୀଙ୍କ ସହ କଥା ହୋଇସାରିଥିଲି ବୋଲି ଗମ୍ଭୀର କହିଛନ୍ତି । ସେ କହିଛନ୍ତି ଯେ ମୁଁ ବୋଧହୁଏ ଦଳରେ ଅନେକ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଥିଲି, ମାତ୍ର ଏହା ଓଲଟା ଫଳ ପ୍ରଦାନ କରିଛି । ପଦ ଛାଡ଼ିବା କ୍ଷେତ୍ରରେ ଏହା ମଧ୍ୟ ଆଉଏକ କାରଣ ବୋଲି ସେ ଅଭିହିତ କରିଛନ୍ତି । ଏ ନେଇ ଗମ୍ଭୀର ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଫ୍ରାଞ୍ଚାଇଜ୍ର ସିଇଓ ହେମନ୍ତ ଦୁଆ ଓ କୋଚ୍ ରିକି ପଣ୍ଟିଂ ମଧ୍ୟ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଗୌତମ ଗମ୍ଭୀର ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଉକ୍ତ ଦଳକୁ ଦୁଇଥର ଆଇପିଏଲ ଚାମ୍ପିଅନ୍ କରାଇପାରିଛନ୍ତି । ମାତ୍ର ଚଳିତ ବର୍ଷ କୋଲକାତା ଟିମ୍ ଗମ୍ଭୀରଙ୍କୁ ଦଳରେ ନେଇ ନଥିଲା । ଫଳରେ ଦିଲ୍ଲୀ ଟିମ୍ ତାଙ୍କୁ ନିଲାମୀ ନେଇଥିଲା । କିନ୍ତୁ ସେ କୋଲକାତାର ସଫଳତା ଦିଲ୍ଲୀ ଦଳରେ ବଳବତ୍ତର ରଖିପାରିନାହାନ୍ତି । ମାତ୍ର ଦିଲ୍ଲୀର ଅଧିନାୟକ ଦାୟିତ୍ୱ ନେବା ପୂର୍ବରୁ ଗମ୍ଭୀର ଘୋଷଣା କରିଥିଲେ ଯେ କୋଲକାତା ଭଳି ଦିଲ୍ଲୀକୁ ମଧ୍ୟ ଚାମ୍ପିଅନ୍ କରାଇବା ସହ ଚଳିତ ଥର ଆଇପିଏଲ୍ରୁ ସନ୍ନ୍ୟାସ ନେବି ।
ଚଳିତ ସିଜିନ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିମଧ୍ୟରୁ ୫ଟି ମ୍ୟାଚ୍ରେ ପରାଜୟ ଓ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ସବାତଳେ ରହିଛି ।
ପ୍ରକାଶ ଯେ ଏଥିପୂର୍ବରୁ ଗୌତମ ଗମ୍ଭୀର୨୦୦୮, ୨୦୦୯ ଓ ୨୦୧୦ ମସିହାରେ ଦିଲ୍ଲୀ ଟିମ୍ରେ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ । ୨୦୦୮ ମସିହାରେ ମୋଟ ୫୩୪ ରନ୍ ସହ ସେ ଆଇପିଏଲ୍ର ସର୍ବାଧିକ ରନ୍ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ ।




Powered by odothemes.com