୪୪ବର୍ଷର ସଂପର୍କ ଛିନ୍ନ ପଛରେ ପୁତ୍ରସ୍ନେହ! | ସର୍ବସାଧାରଣ ଖବରକାଗଜ

୪୪ବର୍ଷର ସଂପର୍କ ଛିନ୍ନ ପଛରେ ପୁତ୍ରସ୍ନେହ!

23

ଭୁବନେଶ୍ୱର, ୩୧ା୫ (ବୁ୍ୟରୋ): ବର୍ଷିୟାନ୍ କଂଗ୍ରେସ ନେତା ଗରିଧର ଗମାଙ୍ଗ କଂଗ୍ରେସରୁ ଇସ୍ତଫା ଦେବା ପଛରେ ଯେଉଁ କାରଣ ଉଲ୍ଳେଖ କରିଛନ୍ତି ତାହା ତାଙ୍କୁ ବେଶ ବିବାଦୀୟ କରିଛି । ୧୬ବର୍ଷ ତଳର ଏକ ଘଟଣାକୁ ଆଳ କରି ଦୀର୍ଘ ୪୪ବର୍ଷ ଧରି ଯେଉଁ ଦଳ ସହ ସେ ଓତଃପୋ୍ରତ ଜଡ଼ିତ ଥିଲେ ତାକୁ ନିମିଷିକେ ଛାଡ଼ି ଚାଲିଯିବା ପଛରେ ଶ୍ରୀ ଗମାଙ୍ଗଙ୍କର ମାତ୍ରାଧିକ ‘ପୁତ୍ରସ୍ନେହ’ ବା ତାର ରାଜୈନତିକ ଭବିଷ୍ୟତକୁ ଏକ ସଠିକ୍ ଦିଶା ଦେବା ପାଇଁ ଉଦ୍ଧିଷ୍ଟ ବୋଲି ଆଲୋଚନା ହେଉଛି । ଗିରଧର କଂଗ୍ରେସ ଛାଡ଼ିବା ପାଇଁ ତାଙ୍କ ଉପରେ ପରିବାର ପକ୍ଷରୁ ଏକରକମ ଚାପ ପଡ଼ୁଥିବା ସହଜରେ ବୁଝା ପଡ଼ୁଛି । ଗିରଧର କଂଗ୍ରେସ ଛାଡ଼ିବା ଓ ଅନ୍ୟ ଦଳରେ ଯୋଗ ଦେବା ଆଦି ସମସ୍ତ ସୂଚନା କେବଳ ତାଙ୍କ ପୁଅ ଶିଶର ଗମାଙ୍ଗ ହିଁ ଗଣ ମାଧ୍ୟମକୁ ଦେଉଥିଲେ । ଏପରିକି ଗତକାଲି ହେଉଥିବା ଗିରିଧରଙ୍କ ସାମ୍ବାଦିକ ସମ୍ମିଳନୀ ସଂପର୍କରେ ମଧ୍ୟ ତାଙ୍କ ପୁଅ ହିଁ ଗଣମାଧ୍ୟମକୁ ନିମନ୍ତ୍ରଣ କରିଥିଲେ । ‘ବାପା ଦଳ ଛାଡ଼ୁଥିବାରୁ ସେ ମଧ୍ୟ କଂଗ୍ରେସ ଛାଡ଼ୁଛନ୍ତି’ ବୋଲି ଶିଶର ଅନପୌଚାରିକ କଥାବାର୍ତ୍ତା ସମୟରେ ଗଣମାଧ୍ୟମକୁ କହିଥିଲେ ।
ଗିରଧର ୧୯୭୧ରୁ ସାସଂଦ ଭାବେ ନିଜର ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରିଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନ କାଳରେ ସେ ତିନିଥର କେନ୍ଦ୍ର ମନ୍ତ୍ରୀ ହେବା ସହ ଥରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ୧୯୮୦ ମସିହା ପରଠାରୁ କଂଗ୍ରେସ ରାଜନୀତିରେ ଯେଉଁ ନେତାମାନେ ପଦବଦବୀ ପାଇଛନ୍ତି ତାହା ପଛରେ ଲବି, ଅର୍ଥବଳ, ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର କେଉଁ ବରିଷ୍ଠ ନେତାଙ୍କ ଅନ୍ଧ ସମର୍ଥନ ବା ଆର୍ଶିବାଦ ଥିବା ଲକ୍ଷ୍ୟ କରାଯାଇଛି । କେବଳ ଗିରିଧର ହେଉଛନ୍ତି ଏକମାତ୍ର କଂଗ୍ରେସ ନେତା ଯାହାଙ୍କ ପାଇଁ କୌଣସି ଲବି ବା ଅର୍ଥବଳ କର୍ଯ୍ୟ କରିନି । ଦଳୀୟ ହାଇକମାଣ୍ଡ ବିଶେଷ କରି ଗାନ୍ଧି ପରିବାରର ଗିରଧରଙ୍କ ପ୍ରତି ଥିବା ଦୃଢ ଆସ୍ଥା ଓ ବିଶ୍ୱାସ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିବାରେ ସହାୟକ ହୋଇଥିଲା । ରାଜ୍ୟର ଅନ୍ୟ କୌଣସି କଂଗ୍ରେସ ନେତାଙ୍କ କ୍ଷେତ୍ରରେ ଦଳର ଏଭଳି ଦୃଢ ସମର୍ଥନ ଥିବାର ନଜିର ନାହିଁ । ଯାହାକୁ ପାଥେୟ କରି ସେ ସମଗ୍ର ଦେଶ ଓ ରାଜ୍ୟରେ ଜଣେ ଜଣାଶୁଣା ଆଦିବାସୀ ନେତାଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଦଳ ତାଙ୍କ ଅଣଦେଖା କରିଛି ବୋଲି ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ଭିତ୍ତି ଏତେଟା ମଜବୁତ୍ ନଥିବାରୁ ତାହା ଗ୍ରହଣଯୋଗ୍ୟ ହେଉ ନାହିଁ । କେନ୍ଦ୍ର ମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେଲା ପରେ ୭୨ ବୟସ୍କ ଏହି ରାଜନେତାଙ୍କ ଆଉ କିଛି ଅଭିଳାଷ ଥିଲା ଭଳି ମନେ ହେଉ ନାହିଁ । ଏହି ପରିଣିତି ବୟସରେ କେବଳ ଯାହା ଉତ୍ତରାଧିକାରୀ ଚିନ୍ତା ରହିବା କଥା । ଯାହା ଗିରଧରଙ୍କ କ୍ଷେତ୍ରରେ ଦେଖାଯାଇଛି ବୋଲି ନିସନ୍ଦେହରେ କୁହାଯାଇ ପାରେ ।
ତାଙ୍କ ପୁଅ ଶିଶିର ଗମାଙ୍ଗ ୨୦୦୯ରେ କଂଗ୍ରେସ ଟିକଟରେ ଗୁଣୁପୁରରେ ବିଧାନସଭା ନିର୍ବାଚନ ଲଢି ହାରିଥିଲେ । ୨୦୧୪ରେ ତାଙ୍କୁ ଦଳୀୟ ଟିକଟ ମିଳି ନଥିଲା । ୨୦୦୯ ଓ ୨୦୧୪ ଉଭୟ ନିର୍ବାଚନରେ ଗିରଧର କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ହେଲେ । ପୁଅ ଶିଶିରଙ୍କ ରାଜନୈତିକ କ୍ୟାରିୟର ଏବେ ଦିଶାହୀନ । ତାଙ୍କ ମା’ ହେମା ଗମାଙ୍ଗ ୨୦୧୪ରୁ ବିଜେଡ଼ିରେ ଯୋଗ ଦେଇ ସାରିଛନ୍ତି । ଗିରଧର ଜାତୀୟ ଦଳରେ ଯୋଗ ଦେବେ ବୋଲି ତାଙ୍କ ପୁଅ ଶିଶିର ବାରମ୍ବାର କହୁଛନ୍ତି । ଶିଶରଙ୍କ ବକ୍ତବ୍ୟ ବିଜେପିକୁ ଇଙ୍ଗିତ କରୁଛି । ତେବେ ୧୯୯୯ରେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱାଧିନ ଏନଡ଼ିଏ ସରକାର ମାତ୍ର ଗୋଟିଏ ଭୋଟ୍ରେ ଆସ୍ଥା ହରାଇ ଥିଲା । ସେହି ଭୋଟ୍ଟି ଥିଲା ଗିରିଧରଙ୍କର । ବିଜେପି ପୂର୍ବର ଏହି ତିକ୍ତ ଅନୁଭୂତିକୁ ଭୂଲି ପୁଣି ଗିରିଧରଙ୍କୁ ଆପଣାଇବ ତାହା ବିଶ୍ୱାସ ଯୋଗ୍ୟ ହେଉ ନାହିିଁ । ନିଜକୁ ‘ବୋଝ’ ବୋଲି କହୁଥିବା ଗିରଧରଙ୍କୁ କେଉଁ ଦଳ କାହିଁକି ନେବ ତାହା ଏବେ ବଡ଼ ପ୍ରଶ୍ନ । ଏକଦା ଅବିଭକ୍ତ କୋରାପୁଟ୍ରେ ଗିରଧରଙ୍କ ପତିଆରା ଥିଲା । ୨୦୦୯ ନିର୍ବାଚନ ପର ଠାରୁ ତାହା କ୍ଷୁର୍ଣ୍ଣ ହୋଇଥିବା ରାଜନୀତି ପଣ୍ଡିତମାନେ ଜାଣିଛନ୍ତି । ତେଣୁ ନିଜ ପାଇଁ ନୁହେଁ ପୁତ୍ରର ରାଜନୈତିକ ଭବିଷ୍ୟତକୁ ଏକ ଦିଶା ଦେବା ପାଇଁ ଗିରଧର ଯେଉଁ ଇସ୍ତଫା ଡ଼୍ରାମା କରିଛନ୍ତି ତାହା ସଫଳ ହେଲା ଭଳି ଦୃଷ୍ଟି ଗୋଚର ହେଉ ନାହିଁ ।




Powered by odothemes.com