ପ୍ରସ୍ତାବ ଖାରଜ କଲେ ଭେଙ୍କିଆ

17

ସିଜେଆଇଙ୍କ ବିରୋଧରେ ମହାଭିଯୋଗ
ନୂଆଦିଲ୍ଲୀ, ୨୩ା୪: ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଅଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଖାରଜ କରିଛନ୍ତି । ତେବେ ଏହି ଅଭିଯୋଗର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ସୂଚନା ଦିଆଯାଇଛି । ଯଦିଓ ମହାଅଭିଯୋଗ ପ୍ରସ୍ତାବ ଆଲୋଚନା ହୋଇଥାନ୍ତା କି ଗ୍ରହଣ ହୋଇଥାନ୍ତା, ତାହେଲେ ପ୍ରଧାନ ବିଚାରପତିଙ୍କ ଲାଗି କୌଣସି ବିପଦ ନଥିଲା । ଆବଶ୍ୟକ ସଂଖ୍ୟକ ସଭ୍ୟ ବିରୋଧୀଙ୍କ ନିକଟରେ ନାହାନ୍ତି । ଅପରପକ୍ଷରେ କଂଗ୍ରେସ ଉପରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍କୋର୍ଟକୁ ଯିବ ବୋଲି ସୂଚନା ଦେଇଛି । ମହାଅଭିଯୋଗ ପ୍ରସ୍ତାବକୁ ଖାରଜ କରିବାର କ୍ଷମତାର ଉପରାଷ୍ଟ୍ରପତିଙ୍କର ରହିଛି । ପ୍ରଧାନ ବିଚାରପତିଙ୍କ ବିରୋଧରେ ସେଭଳି କିଛି ଅସଦାଚରଣର ଅଭିଯୋଗ ନଥିବାରୁ ଏହାକୁ ସେ ଖାରଜ କରିଛନ୍ତି । କୌଣସି ବିଚାରପତିଙ୍କୁ ବାହାର କରିବାକୁ ହେଲେ ପ୍ରମୁଖ ଦୁଇଟି କାରଣକୁ ବିଚାର କରାଯାଇଥାଏ । ଗୋଟିଏ ହେଉଛି ତାଙ୍କର ଦକ୍ଷତାର ଅଭାବ ଓ ଅନ୍ୟଟି ହେଉଛି ଅସଦାଚାରଣ । ଉପରାଷ୍ଟ୍ରପତି ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ସମ୍ପର୍କରେ ଆଇନବିଷାରଦଙ୍କ ସମେତ ଲୋକସଭାର ପୂର୍ବତନ ମହାସଚିବ ଓ ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ଏହାକୁ ଗ୍ରହଣ କରିବାର କୌଣସି କାରଣ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ବ୍ୟବସ୍ଥା ଅନୁଯାୟୀ ପ୍ରଧାନ ବିଚାରପତି ହେଉଛନ୍ତି ସୁପ୍ରିମ୍କୋର୍ଟ ପ୍ରଶାସନର ସର୍ବେସର୍ବା । କେଉଁ ଖଣ୍ଡପୀଠକୁ କେଉଁ ମାମଲା ଦିଆଯିବ, କେଉଁ ଜଜ୍ଙ୍କୁ ଏଥିରେ ସାମିଲ କରାଯିବ ଏହା ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେଇଥାନ୍ତି । ଏହାକୁ ଆଧାର କରି ପ୍ରଧାନ ବିଚାରପତିଙ୍କର ଦକ୍ଷତା ଅଭାବ ବା ଅସଦାଚରଣକୁ ଗ୍ରହଣ କରାଯାଇପାରିବନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏଭଳି ନୋଟିସ୍କୁ ଗ୍ରହଣ କରିବାର କିଛି ଆବଶ୍ୟକତା ନାହିଁ । ଉପରାଷ୍ଟ୍ରପତି ମହାଅଭିଯୋଗ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନାହିଁ ବୋଲି ୧୦ ପୃଷ୍ଠାର ଏକ ନିଦେ୍ର୍ଦଶନାମା ଜାରି କରିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରଶାସନର କୌଣସି ସ୍ତମ୍ଭକୁ କୌଣସି ଭାବନା ବା କାର୍ଯ୍ୟକ୍ରମରେ ଦୁର୍ବଳ କରିବାକୁ ଦିଆଯିବନାହିଁ । ମହାଅଭିଯୋଗ ପ୍ରସ୍ତାବକୁ ସବୁଦୃଷ୍ଟିରୁ ବିଚାର କରାଗଲେ ଏହାକୁ ଗ୍ରହଣ କରିବାକୁ କୌଣସି ଗୋଟିଏ କାରଣ ଥିବା ସେ ଅନୁଭବ କରୁନାହାନ୍ତି । ଯଦି ଭିତ୍ତିଭୂମି ଦୋହଲିଯିବ ଏବଂ କର୍ତ୍ତୃପକ୍ଷଙ୍କ ପ୍ରତି ସମ୍ମାନବୋଧ ରହିବନାହିଁ, ତାହେଲେ କୋର୍ଟର କାର୍ଯ୍ୟ ପ୍ରଭାବିତ ହେବ । ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିବ । ଯଦି ଉପରାଷ୍ଟ୍ରପତି ଏହି ନୋଟିସ୍କୁ ଗ୍ରହଣ କରିଥାନ୍ତେ, ତାହେଲେ ୩ ଜଣିଆ ସଭ୍ୟ ଆସିଥିବା ଅଭିଯୋଗର ଅନୁଧ୍ୟାନ କରିଥାନ୍ତେ । ମାତ୍ର ତାହା କରାଗଲାନାହିଁ । ଏହା ହୋଇଥିଲେ ପ୍ରଧାନ ବିଚାରପତିଙ୍କୁ ତାଙ୍କର ନ୍ୟାୟିକ ଦାୟିତ୍ୱରୁ ବାରଣ କରାଯାଇଥାନ୍ତା । ଯାହା ବିରୋଧୀ ଦଳ ପାଇଁ ବିଜୟ ମଧ୍ୟ ହୋଇଥାନ୍ତା । ଏ ସମ୍ପର୍କରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥାନ୍ତା ଓ ତାହାର ଉତ୍ତର ଦେବାକୁ ପଡିଥାନ୍ତା । ଉପରାଷ୍ଟ୍ରପତି ତୁରନ୍ତ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଉପରାଷ୍ଟ୍ରପତି ଏହାକୁ ଖାରଜ କଲେ ସୁଧା ପ୍ରସଙ୍ଗଟି ଏତିକିରେ ସରୁନାହିଁ । ଦେଶର ସର୍ବୋଚ୍ଚ ବିଚାର ବିଭାଗୀୟ ସଂସ୍ଥାର ରାଜନୈତିକକରଣ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଯେ ଉପରାଷ୍ଟ୍ରପତିଙ୍କର ଏହି ନିଷ୍ପତ୍ତି ବେଆଇନ ଓ ତରବରିଆ । ଏହା ମଧ୍ୟ ସମ୍ବିଧାନ ବିରୋଧୀ । ଏହା ଏଥିଲାଗି ବେଆଇନ ଯେ କୌଣସି ଅନୁଧ୍ୟାନ ନକରି ଉପରାଷ୍ଟ୍ରପତି ଏଭଳି ନିଦେ୍ର୍ଦଶ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ଟ୍ୱିଟରରେ ଲେଖିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ପ୍ରସ୍ତାବକୁ ଖାରଜ କରିପାରିବେନାହିଁ । ପ୍ରସ୍ତାବର ବୈଧତା ଓ ଯୁକ୍ତିଯୁକ୍ତ କାରଣ ନେଇ ମଧ୍ୟ ସେ ନିଷ୍ପତ୍ତି ନେଇପାରିବେନାହିଁ । ୭ଟି ବିରୋଧୀ ଦଳ ଓ କଂଗ୍ରେସ ସମେତ ଗତ ସପ୍ତାହରେ ପ୍ରଧାନ ବିଚାରପତିଙ୍କର ଅସଦ୍ ବ୍ୟବହାର ନେଇ ୫ଟି କାରଣ ଦର୍ଶାଇ ଏହି ପ୍ରସ୍ତାବ ଦେଇଥିଲେ । ରାଜ୍ୟସଭାରେ କାର୍ଯ୍ୟରତ ୬୪ ଜଣ ସାଂସଦ ଏଥିରେ ସ୍ୱାକ୍ଷର କରିଥିଲେ । ପ୍ରଧାନ ବିଚାରପତିଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବରେ ରାଜ୍ୟସଭାର ୫୦ ସାଂସଦ ସ୍ୱାକ୍ଷର କରିବା ଜରୁରୀ । ଲୋକସଭାରେ ପ୍ରସ୍ତାବ ଦିଆଗଲେ ୧୦୦ ସାଂସଦଙ୍କ ସ୍ୱାକ୍ଷରର ଆବଶ୍ୟକତା ରହିଛି ।




Powered by odothemes.com