ସ୍ନାନମଣ୍ଡପରେ ହାତୀବେଶରେ ଦର୍ଶନଦେବେ ଶ୍ରୀଜିଉ

31

ପୁରୀ,୩୧ା୫(ଆପ୍ର): ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା । ସ୍ନାନମଣ୍ଡପରେ ଶ୍ରୀଜିଉମାନେ ଭକ୍ତଙ୍କୁ ଦର୍ଶନ ଦେବେ । ଚଳିତବର୍ଷ ନବକଳେବର ହେଉଥିବାରୁ ଗତ ୧୯ ବର୍ଷ ଧରି ଶ୍ରୀମନ୍ଦିରରେ ପୂଜାପାଇଆସୁଥିବା ବିଗ୍ରହମାନଙ୍କୁ ଦର୍ଶନ କରିବାର ଏହା ହେଉଛି ଶେଷ ସୁଯୋଗ । ଏହାପରେ ଆରମ୍ଭ ହୋଇଯିବ ମହାଅଣସର । ତେଣୁ ଚଳିତ ବର୍ଷ ସ୍ନାନପୂର୍ଣ୍ଣମାର ବେଶ୍ ଗୁରୁତ୍ୱ ରହିଛି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନୀର୍ଘଣ୍ଟ ସହ ବ୍ୟବସ୍ଥାବଳି ପ୍ରକାଶ ପାଇଛି । ପ୍ରକାଶିତ ବ୍ୟବସ୍ଥାବଳୀ ଅନୁଯାୟୀ ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକ ଟେରାବାନ୍ଧି ସ୍ନାନବେଦୀ ଶୋଧ କରିବେ । ଶୋଧପରେ ଜଳବିଜେ, ଜଳପୂଜା ଓ ଜଳଲାଗି ବେଳେ ସ୍ନାନ ମଣ୍ଡପରେ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛୁ ମହାପାତ୍ର, ତଳଛୁ ମହାପାତ୍ର, ପାଳିଆ ପୁଷ୍ପାଳକ, ପାଳିଆପୂଜା ପଣ୍ଡା, ମୁଦିରସ୍ତ, ପ୍ରତିହାରୀ, ଗରାବଡୁ, ସୁଆରବଡ଼ୁ, ପାତ୍ରୀବଡ଼ୁ, ଖୁଣ୍ଟିଆ ମେକାପ ଓ ଦଇତା ସେବକମାନେ ସ୍ନାନମଣ୍ଡପରେ ରହିବେ । ଗରାବଡୁ ଛେକ ଆଣିବା ସମୟରେ ପ୍ରତିହାରୀ ସେବକ ଦକ୍ଷିଣଦ୍ୱାର ପ୍ରବେଶ ପଥରେ ଆବଶ୍ୟକ ସୁରାକ୍ଷା ରଖିବେ । ଜଳପୂଜା, ଜଳବିଜେ ଓ ଜଳଲାଗି ବେଳେ କୌଣସି ସେବକ ବିଗ୍ରହଙ୍କ ପ୍ରଭା ଉପରେ, ପ୍ରଭାପାର୍ଶ୍ୱ କାନ୍ଥରେ ବସିପାରିବେ ନାହିଁ । ପୂଜାବିଧିରେ ବିଘ୍ନ କିମ୍ବା ଅସମ୍ମାନ ସୂଚକ କାର୍ଯ୍ୟର ପ୍ରମାଣ ମିଳିଲେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ ବୋଲି ପ୍ରଶାସନ ଚେତାବନୀ ଦେଇଛି । ନୀତିନିର୍ଘଣ୍ଟ ଅନୁଯାୟୀ ମଙ୍ଗଳବାର ଭୋର ସାଢେ ତିନିଟାରେ ମଙ୍ଗଳାର୍ପଣ ଶେଷହେବ । ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ୪ଟାରୁ ପହଣ୍ଡି ଆରମ୍ଭ ହେବ । ମଙ୍ଗଳ ଆଳତୀ, ମଇଲମ୍ , ରୋଷହୋମ ଓ ଦ୍ୱାରପାଳ ପୂଜା ଆଦି ନୀତିଶେଷ ହେବାପରେ ୯ଟା ୩୦ରୁ ଜଳବିଜେ ହେବ । ଜଳବିଜେ, ପୂଜା ଓ ସ୍ନାନ ୧୧ଟା ମଧ୍ୟରେ ଶେଷ ହେବ । ପରେ ମଇଲମ୍, ମେକାପ ଓ ସର୍ବାଙ୍ଗ ପରେ ଶଙ୍କରାଚାର୍ଯ୍ୟ ତାଙ୍କ ଅନୁଗାମୀମାନଙ୍କ ସହିତ ଆସି ଜିଉଙ୍କୁ ଦର୍ଶନ କରିବେ । ଗଜପତି ମହାରାଜ ଶ୍ରୀନଅରରୁ ଆସି ୧୨ ଟା ୧୫ ସମୟରେ ଛେରା ପହଁରା କରିବେ । ଏହାପରେ ସାଢେ ବାରଟାରୁ ୩ଟା ମଧ୍ୟରେ ହତୀବେଶ ଅନୁଷ୍ଠିତ ହେବ । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।




Powered by odothemes.com