ପିସିସିର ନୂଆ ଟିମ୍ | ସର୍ବସାଧାରଣ ଖବରକାଗଜ
pcc

ପିସିସିର ନୂଆ ଟିମ୍

278

ନିରଞ୍ଜନ ପୁଣି ସଭାପତି – ଚିରଞ୍ଜୀବ, ନବ, ପ୍ରଦୀପ କାର୍ଯ୍ୟକାରୀ ସଭାପତି
ଭୁବନେଶ୍ୱର, ୧୯ା୪(ବୁ୍ୟରୋ): ଦୀର୍ଘଦିନର କସରତ ପରେ ରାଜ୍ୟ କଂଗ୍ରେସର ନବକଳେବର ହୋଇଛି । ଓଡିଶା କଂଗ୍ରେସ ପ୍ରଭାରୀଭାବେ ଜିତେନ୍ଦ୍ର ସିଂହ ଦାୟିତ୍ୱ ନେବା ପରେ ପରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଠାରୁ ଆରମ୍ଭ କରି ବିଭିନ୍ନ ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି । ବରିଷ୍ଠ ନେତାମାନଙ୍କ ସହ ଯୁବ ନେତାମାନଙ୍କର ଏକ ସନ୍ତୁଳନ ବଜାୟ ରଖି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ପାଇଁ ନୂଆ ଟିମ୍ ଘୋଷଣା କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣି ପିସିସି ସଭାପତି ଦାୟିତ୍ୱ ଦିଆଯାଇଛି । ଏହାଛଡା ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନବ କିଶୋର ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତିଭାବେ ନିଯୁକ୍ତ କରାଯାଇଛି । ସେହିଭଳି ପଶ୍ଚିମ ଓଡିଶା ନେତା ଭକ୍ତ ଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇଛି । ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ଏହି କମିଟିରେ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ଆବାହକ କରାଯାଇଥିବାବେଳେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଅଧ୍ୟକ୍ଷ ଓ ଶରତ ପଟ୍ଟନାୟକଙ୍କୁ ମଧ୍ୟ ସଂଯୋଜକଭାବେ ନିଯୁକ୍ତି ଦିଆଯାଇଛି । ୨୦୧୯ ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶରତ ରାଉତ ଏହାର ଆବାହକ ଅଛନ୍ତି । କଂଗ୍ରେସର ଏହି ନୂଆ ଟିମ୍କୁ ନେଇ ଦଳ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଆସନ୍ତା ଶନିବାର ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ନୂଆ ଟିମ୍ ଓଡିଶା ଆସିବେ ବୋଲି ସୂଚନା ମିଳିଛି । ପିସିସି ସଭାପତି ପଦବୀରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ଲାଗି ଦୀର୍ଘଦିନ ଧରି ବିଧାୟକ ଦଳ ଦାବି କରିଆସୁଥିଲେ । ଏପରିକି ଓଡିଶା କଂଗ୍ରେସର ପୂର୍ବ ପ୍ରଭାରୀ ବିକେ ହରିପ୍ରସାଦଙ୍କ ଯୋଗୁଁ ପ୍ରସାଦ ଏଠି ଦାୟିତ୍ୱରେ ଅଛନ୍ତି ବୋଲି ସେମାନେ ଏଆଇସିସି ନେତାମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ । ଓଡିଶା କଂଗ୍ରେସ ପ୍ରଭାରୀ ପଦରୁ ହରିପ୍ରସାଦଙ୍କର ଅପସାରଣ ପରେ ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରାଜ୍ୟ କଂଗ୍ରେସର ଦୟନୀୟ ସ୍ଥିତିକୁ ସଠିକ୍ଭାବେ ସେ ରାହୁଲଙ୍କୁ ବୁଝାଇଥିଲେ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଓ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇବା ଘଟଣାକୁ ରାହୁଲ ଭଲ ଦୃଷ୍ଟିରେ ଦେଖିନଥିଲେ । ଏହାପରେ ପିସିସି ପରିବର୍ତ୍ତନ ଲାଗି ସେ ମନ ବଳାଇଥିଲେ । ଦୁଇଦିନ ତଳେ ରାଜ୍ୟ କଂଗ୍ରେସର ୪ ନେତାଙ୍କୁ ଦିଲ୍ଲୀ ଡକାଯାଇଥିଲା । ସେମାନଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ନବ କିଶୋର ଦାସ, ପ୍ରଦୀପ ମାଝୀ ଥିଲେ । ଏହାପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଡକରା ଆସିଥିଲା । ସେ ଆଜି ପୂର୍ବାହ୍ନରେ ଦିଲ୍ଲୀ ଯାଇଥିଲେ । ପୂର୍ବରୁ ଶ୍ରୀକାନ୍ତ ଜେନା ଦିଲ୍ଲୀ ଯାଇଥିଲାବେଳେ ପ୍ରସାଦ ମଧ୍ୟ ଅକ୍ଷି ତୃତୀୟା କାର୍ଯ୍ୟ ସାରି ଦିଲ୍ଲୀ ପଳାଇଥିଲେ । ଗତକାଲି ନେତାମାନେ ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏହାପରେ ଆଜି ସମସ୍ତେ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ରାହୁଲଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଆଲୋଚନାରେ ପ୍ରସାଦ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ । ତେବେ ବୈଠକ ଅଧାରୁ ପ୍ରସାଦ ପଳାଇବା ଘଟଣାକୁ ନେଇ ପିସିସି ପଦରୁ ତାଙ୍କୁ ଅପସାରଣ କରାଯିବ ବୋଲି ସଂକେତ ମିଳିଥିଲା । ଏହାପରେ ଅପରାହ୍ଣରେ ଏଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନୂଆ କର୍ମକର୍ତ୍ତାଙ୍କର ତାଲିକା ପ୍ରକାଶ ପାଇଥିଲା ।
ବିଭିନ୍ନ ଦୃଷ୍ଟିକୁ ବିଚାର କରାଯାଇ ନୂଆ ଟିମ୍ କରାଯାଇଥିବା ସୂଚନା ମିଳିଛି । ଉପକୂଳ, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡିଶା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ କମିଟି ଗଠନ ହୋଇଛି । ଯୁବ ନେତୃତ୍ୱଙ୍କ ସହ ବରିଷ୍ଠ ନେତାଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପିସିସି ସଭାପତିଭାବେ ନିଯୁକ୍ତ ହେଲାପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି । ଏହା ତାଙ୍କ ପାଇଁ ଏକ ଆହ୍ୱାନ । କଂଗ୍ରେସର ସ୍ଥିତିକୁ ସଜାଡିବା ଲାଗି ସେ ଯଥା ସମ୍ଭବ ଉଦ୍ୟମ କରିବେ । ଉଭୟ ବିଜେଡି ଓ ବିଜେପି ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି । ୧୮ ବର୍ଷ କାଳ ବିଜେଡି କ୍ଷମତାରେ ଥିଲେ ବି ଲୋକଙ୍କ ଆଶା ଭରସା ପୁରଣ କରିବାରେ ସକ୍ଷମ ହୋଇନାହିଁ । ସେହିଭଳି ବିଜେପି ପାଇଁ ଦେଶ ବିପଦରେ ପଡିଛି । ଦେଶକୁ ବଞ୍ଚାଇବାକୁ ଏକ ସଂଘର୍ଷର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତେବେ ଯେଉଁମାନେ ଦଳ ଛାଡି ଯାଇଛନ୍ତି, ସେମାନଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ମାନଙ୍କ ହାତ ଖୋଲା ରହିଛି । ଯେଉଁମାନେ ଆସିବାକୁ ଚାହିଁବେ, ସେମାନଙ୍କୁ ଗ୍ରହଣ କରିବାରେ ବାଧା ନାହିଁ । କିଛି ନେତା ବ୍ୟକ୍ତିଗତ କାରଣରୁ ଦଳ ଛାଡିଛନ୍ତି । ତେଣୁ ହୃଦୟ ବନ୍ଦ ଥିଲେ ବି ଦେଶର ସ୍ୱାର୍ଥ ପାଇଁ ସେମାନଙ୍କ ସହ ହାତ ମିଳାଯିବ ବୋଲି ସେ କହିଛନ୍ତି ।




Powered by odothemes.com