ନିମ୍ନମାନର ଖାଦ୍ୟ ଶିଶୁ ମୃତୁ୍ୟର କାରଣ! | ସର୍ବସାଧାରଣ ଖବରକାଗଜ
1----------Apa-Pusti-News-Photo

ନିମ୍ନମାନର ଖାଦ୍ୟ ଶିଶୁ ମୃତୁ୍ୟର କାରଣ!

62

ଫୁୁଲବାଣୀ (ବୁ୍ୟରୋ): ସମାଜରୁ ଶିଶୁ ମୃତୁ୍ୟ ଓ ମାତୃ ମୃତୁ୍ୟହାର ନିୟନ୍ତ୍ରଣକୁ ଆଣିବା ପାଇଁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ଭାବେ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା କାର୍ଯ୍ୟକାରୀ ହୋଇଛି । ମାତ୍ର ଏହି ଜିଲ୍ଲାରେ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁଁ ଶିଶୁ ମୃତୁ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଗହମ, ଡାଲି ଯୋଗାଇଦେବା ସହ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ୩ବର୍ଷରୁ ୬ବର୍ଷର ଶିଶୁମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ରାଜ୍ୟରେ ଡାଲି ଦୁର୍ନୀତି ପରେ ୨୦୧୧ ମସିହାଠାରୁ ଶୁଖିଆ ଖାଦ୍ୟ ହିସାବରେ ୩ ପ୍ରକାର ଛତୁଆ ଯୋଗାଇ ଦିଆଯାଇଛି । ଏହି ଯୋଜନାର ସଠିକ୍ ରୂପାୟନ ପାଇଁ ଅଙ୍ଗନୱାଡ଼ିଠାରୁ ଆରମ୍ଭ କରି ମହିଳା ଓ ଶିଶୁ ବିଭାଗର ସଚିବ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି । କିନ୍ତୁ କର୍ମଚାରୀମାନଙ୍କ ନିମ୍ନ ମାନସିକତା ଓ ଲୋଭଗ୍ରସ୍ତ ହେତୁ ଏହି ଯୋଜନାର କୁପରିଚାଳନା, ଅନିୟମିତତା ଏବଂ ଦୁର୍ନୀତି ବଢ଼ିବାରେ ଲାଗିଛି । କାମକୁ ମାତ୍ର ଗଠନ ହୋଇଥିବା କମିଟି ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନୁହନ୍ତି । ଯାଞ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା କି ଉପଯୁକ୍ତ ତାଲିମ୍ ବ୍ୟବସ୍ଥା ନଥିବା ବେଳେ ଖାଦ୍ୟ ଯାଞ୍ଚର ଦାୟିତ୍ୱ ମହିଳାମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱବୋଧତା ପ୍ରତି ଗମ୍ଭୀର ନୁହଁନ୍ତି । ନିୟମ ହିତାଧିକାରୀ ଅନୁଯାୟୀ, ପ୍ରତ୍ୟେକ ଛତୁଆ ପ୍ୟାକେଟ୍ରେ ୬୧୫ ଗ୍ରାମରୁ ୯୨୨ ଗ୍ରାମ୍ ପର୍ଯ୍ୟନ୍ତ ଫ୍ୟାଟ୍ ଏବଂ ୬.୬୭ ଗ୍ରାମରୁ ୨୦ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ରହିବା ଆବଶ୍ୟକ । ୧୦ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା ଛତୁଆ ବଣ୍ଟନ ହେବାର ନିୟମ ଥିବାବେଳେ ଫୁଲବାଣୀ, ଦାରିଙ୍ଗବାଡ଼ି, ତୁମୁଡିବନ୍ଧ, କୋଟଗଡ଼ ଭଳି ବ୍ଳକ୍ରେ ପ୍ରସ୍ତୁତି ତାରିଖ ପଡ଼ୁନଥିବା ଦେଖିବାକୁ ମିଳୁଛି । ଆଉ କେତେକ କେନ୍ଦ୍ରରେ ଆସନ୍ତା ମାସର ଅଗ୍ରୀମ ତାରିଖ ପଡ଼ିଥିବା ଦେଖିବାକୁ ମିଳୁଛି । ମାସରେ ୨ଥର ଖାଦ୍ୟ ଦେବାର ନିୟମ ଥିବାବେଳେ ଦାରିଙ୍ଗବାଡ଼ି ବ୍ଳକ୍ରେ ଗୋଟିଏ ଥର ଦେଇ ଥରକର ଗାଡ଼ି ଭଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗରୁ ନିଆଯାଉଛି । ଜିଲ୍ଲାରେ ୭୯ ପ୍ରତିଶତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ପ୍ରତି ମାସରେ ଶିଶୁମାନଙ୍କ ପାଇଁ ୪ କେଜି, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ୫ କେଜି, ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ୬ କେଜି, ୩ ବର୍ଷରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ମାସିକ ୨ କେଜି ଉନ୍ନତମାନର ଛତୁଆ ଦେବା ପାଇଁ ସରକାରୀ ନିଦେ୍ର୍ଦଶନାମା ରହିଛି । ମାତ୍ର ଏସବୁ ନିୟମକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ କନ୍ଧମାଳରେ ୫ ବର୍ଷର ଶିଶୁମୃତୁ୍ୟ ହାର ଭାରତବର୍ଷରେ ସର୍ବାଧିକ । ଜିଲ୍ଲାରେ ପ୍ରାୟ ୧୬ରୁ ୧୮ ହଜାର ଗର୍ଭବତୀ ଓ ପ୍ରସୂତି ଛତୁଆ ହିତାଧିକାରୀ ରହିଛନ୍ତି । ୬ ମାସରୁ ୬ ବର୍ଷର ହିତାଧିକାରୀ ପ୍ରାୟ ୭୦-୮୦ ହଜାର ଛତୁଆ ପାଇବାକୁ ଯୋଗ୍ୟ ଅଟନ୍ତି । ପ୍ରାୟ ୩ ହଜାର ଅତିଶୟ ପୁଷ୍ଟିହୀନ ଶିଶୁ ରହିଛନ୍ତି । ମାସିକ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଅଧିକ ଅର୍ଥ ଛତୁଆ ପ୍ରସ୍ତୁତକାରୀଙ୍କୁ ପ୍ରଦାନ କରାଯାଉଛି । ଛତୁଆର ବିଲ୍ ପ୍ରତି ମାସରେ ଦେବା ପାଇଁ ନିୟମ ଥିବାବେଳେ କମିଶନ ପାଇବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ୨/୩ ମାସ ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ନିର୍ଦ୍ଦିଷ୍ଟ ପରିମାଣର ବୁଟ, ଚିନି ଓ ଚିନାବାଦାମ ନ ମିଶାଇ ସଠିକ୍ ଭାବେ ନ ଭାଜି ନିମ୍ନମାନର ଛତୁଆ ବଣ୍ଟନ ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ସଠିକ୍ ଯାଞ୍ଚ କରୁନାହାନ୍ତି । କେବେ କେମିତି ଯାଞ୍ଚ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଶିଶୁ ଖାଦ୍ୟରେ ଅପମିଶ୍ରଣ ହେଉଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।




Powered by odothemes.com