Death-Child-Village

ଦାରିଙ୍ଗବାଡ଼ିରେ ପ୍ରଶାସନ-ମଦବେପାରୀ ମଧୁଚନ୍ଦ୍ରିକା

99

ଝିଅକୁ କଚାଡ଼ି ମାରିଲା ବାପା
ବାଲିଗୁଡ଼ା/ଦାରିଙ୍ଗିବାଡ଼ି (ଆପ୍ର): ନିଶା କବଳରେ କବଳିତ କନ୍ଧମାଳ ଜିଲ୍ଲା । ନିଶା ଖାଇ ଲୋକେ କେତେବେଳେ ଦୁର୍ଘଟଣାରେ ଜୀବନ ହାରୁଥିବା ବେଳେ କେତେବେଳେ ପିଶାଚ ପାଲଟି ନିଜ ସ୍ତ୍ରୀ, ଛୁଆଙ୍କୁ ମାରିବାକୁ ପଛାଉ ନାହାନ୍ତି । ଏପରିକି ନିଶା ଯୋଗୁ ଦିନକୁ ଦିନ ଅପରାଧ ସଂଖ୍ୟା ଏହି ଜିଲ୍ଲାରେ ବଢ଼ିବାରେ ଲାଗିଛି । ଏ ବିଷୟରେ ପ୍ରଶାସନ ଜ୍ଞାତ ଥିଲେ ମଧ୍ୟ ସର୍ବାଧିକ ଟିକସ୍ ଆଦାୟ ହେଉଥିବାରୁ ପରୋକ୍ଷଭାବେ ଏହି ନିଶା ବେପାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି । ଦାରିଙ୍ଗବାଡ଼ିରେ ଦେଶୀ ଓ ବିଦେଶୀ ଚୋରା ମଦ କାରବାର ବଢ଼ୁଥିବା ବେଳେ ଅପରାଧ ସଂଖ୍ୟା ମଧ୍ୟ ସେହି ତୁଳନାରେ ବଢ଼ିବାରେ ଲାଗିଛି । ଏହା ବ୍ୟତୀତ ପୁଲିସ ଓ ଅବାକରୀ ବିଭାଗର ମଦ ବେପାରୀଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ବେପାରୀମାନେ ଖୋଲାମେଲାରେ ମଦ ବିକ୍ରି କରିବା ସହ ବିଷାକ୍ତ ମଦ ମଧ୍ୟ ବିକ୍ରି କରିବାକୁ ପଛାଉ ନାହାନ୍ତି । ଏପରିକି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ୍, ଚାଦୋକାନ ସହ ଛୋଟମୋଟ ଦୋକାନରେ ମଧ୍ୟ ଖୋଲାମେଲାରେ ଦେଶୀ, ବିଦେଶୀ ମଦ ବିକ୍ରି ହେଉଛି । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ମଦ ବିକ୍ରିକୁ ବିରୋଧ କରିବା ସହ ପ୍ରତିବାଦ କରିଲେ ସୁଦ୍ଧା ପ୍ରଶାସନ ନୀରବ ରହି ଏହି କାରବାର ବନ୍ଦ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦାରିଙ୍ଗିବାଡ଼ି ଥାନା ଅର୍ନ୍ତଗତ ବାଂଜାମାହା ଗାଁର ଅରବିନ୍ଦ ପ୍ରଧାନ ନିଶାଗ୍ରସ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ମାରି ଗୋଡ଼ାଇବା ସହ ନିଜର ଜନ୍ମଜାତ ୨ବର୍ଷର ଶିଶୁକନ୍ୟା ରିତିମାକୁ ଅତି ଅମାନୁଷିକ ଭାବେ ଗୋଡ଼ ଧରି କଚାଡ଼ି ମାରିଦେଇଥିଲା । ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାଇ ସବୁଦିନ ଭଳି ଅରବିନ୍ଦ ଗୁରୁବାର ମଦପିଇ ଘରକୁ ଫେରି ସ୍ତ୍ରୀ କୁମୁଦିନୀକୁ ଖୋଜିଥିଲା । କୁମୁଦିନୀ ଚାଉଳ ପାଇଁ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଅରବିନ୍ଦ ରାଗିଯାଇ ବଡ଼ଭାଇ ଓ ଅନ୍ୟପିଲାଙ୍କ ସହ ଖେଳୁଥିବା ରିତିମାକୁ ଟାଣି ଆଣିଥିଲା । କେହି କିଛି ଭାବିବା ପୂର୍ବରୁ ଅରବିନ୍ଦ ରିତିମାର ଦୁଇ ଗୋଡ଼ ଧରି ଟେକିନେଇ ତଳେ କଚାଡ଼ି ଦେଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତା’ ହାତରୁ ରିତିମାକୁ ଛଡ଼ାଇ ମେଡିକାଲ୍ ନେଇ ଯାଇଥିଲେ । ପ୍ରଥମେ ବାଲିଗୁଡ଼ା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତୁରନ୍ତ ତାକୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ରାତିମାର ମୃତୁ୍ୟ ହୋଇଥିଲା । ଏନେଇ ଅରବିନ୍ଦଙ୍କ ବଡ଼ଭାଇ ଅନିରୁଦ୍ଧ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ଅରବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଗ୍ରାମବାସୀଙ୍କ ମତ ନେବାରେ ଅରବିନ୍ଦ ଏକ ଉତ୍ତମ ଚରିତ୍ର ବ୍ୟକ୍ତି ବୋଲି କହିଥିଲେ । ମାତ୍ର ନିଶାଗ୍ରସ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା କହିଥିଲେ । ତେବେ କିରିକୁଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟମାନେ କହିଛନ୍ତି, କିରିକୁଟି, ସିମନ୍ବାଡ଼ି, ତିଲୋରୀ, ବୁଡ଼ାଗୁଡ଼ାରେ ମଦର ବନ୍ୟା ହେଉଛି । ଫଳରେ ଅଞ୍ଚଳରେ ସାମାଜିକ ଅସ୍ଥିରତା, ନାରୀ ନିର୍ଯାତନା, ଘରୋଇ ହିଂସା ପ୍ରବଳ ମାତ୍ରାରେ ବୃଦ୍ଧି ପାଉଥିବା କହିଛନ୍ତି । କନ୍ଧମାଳ ଦୁର୍ନୀତି ଓ ନିଶାମୁକ୍ତ ଅଭିଯାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା କହଁର କହିଛନ୍ତି ଯେ, ବାସ୍ତବରେ ପ୍ରଶାସନର ଅବହେଳା ଓ ସ୍ଥାନୀୟ ପୁଲିସର କାର୍ଯ୍ୟକଳାପ ପାଇଁ ଏଭଳି ଘଟଣା ଘଟୁଛି । ମଦକୁ ବିରୋଧ କରି ଆମେ ଅନେକବାର ଆନେ୍ଦାଳନ କରିଆସୁଛୁ । କିନ୍ତୁ ପ୍ରଶାସନ ଆମକୁ ସହଯୋଗ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଉଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରକୁ ଆର୍ଥିକ ସାହାୟତା ପ୍ରଦାନ କରିବା ସହ ଏହି ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।




Powered by odothemes.com