ଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳଙ୍କୁ ସରପଞ୍ଚଙ୍କ ଅଭିଯୋଗ | ସର୍ବସାଧାରଣ ଖବରକାଗଜ
News-4

ଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳଙ୍କୁ ସରପଞ୍ଚଙ୍କ ଅଭିଯୋଗ

76

ଝୁମ୍ପୁରା (ଆପ୍ର): ବ୍ଲକ୍ ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ବିଲ ଖମାର ମଧ୍ୟରେ ଯାଉଥିବା ପ୍ରସ୍ତାବିତ କାନପୁର ଶାଖା କେନାଲରେ ସ୍ଥାନ ପରିବର୍ତ୍ତନ ପାଇଁ ଦାବି ହୋଇଛି । ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିଭାଗ ସମେତ ବିଭିନ୍ନ ଅଧିକାରୀଙ୍କୁ ଜଣାଇଥିବାବେଳେ ସ୍ଥାନୀୟ ସରପଞ୍ଚ ବୈଜୟନ୍ତି ନାଏକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି । ସେମାନଙ୍କ କହିବା ମୁତାବକ, କିଛିଦିନ ତଳେ ୨୦ନଂ ଜାତୀୟ ରାଜପଥ ବାଇପାଶ୍ ନିର୍ମାଣବେଳେ ସେମାନେ ଅନେକ ଚାଷଜମି ହରାଇଛନ୍ତି । ଏପରି ସ୍ଥଳେ ଚାଷୀଙ୍କ ମତାମତ ବିନା ସେମାନଙ୍କ ଶାରଦ ୧ ଓ ଶାରଦ ୨ ଚାଷଜମି ଉପରେ କେନାଲ ନିର୍ମାଣ ହେଲେ ବାର୍ଷିକ ଉତ୍ପାଦନ ପ୍ରଭାବିତ ହେବ ବୋଲି ସ୍ଥାନୀୟ ଚାଷୀ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ । ଅପରପକ୍ଷେ ପ୍ରସ୍ତାବିତ ଶାଖା କେନାଲ ଉପରେ ଗୃହପାଳିତ ପଶୁ ତଥା ଅମଳବେଳେ ଟ୍ରାକ୍ଟର ଯାତାୟାତ ସୁବିଧା ବିଷୟରେ ସମ୍ପୃକ୍ତ ଅଧିକାରୀ ଚାଷୀଙ୍କୁ ଅବଗତ କରିନଥିବାରୁ ଚାଷୀକୂଳ ଦ୍ୱନ୍ଦ୍ୱରେ ରହିଛନ୍ତି । ସରପଞ୍ଚ ଏନେଇ କାନପୁର ବିସ୍ଥାପନ ଥଇଥାନ ପ୍ରକଳ୍ପ ନିଦେ୍ର୍ଦଶକ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ଲିଖିତ ରୂପେ ଜଣାଇଥିଲେ । ମାତ୍ର ପଦକ୍ଷେପ ନେବା ପରିବର୍ତ୍ତେ ମିଥ୍ୟା ତଥ୍ୟ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଗତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଗ୍ରାମସଭା ମାଧ୍ୟମରେ ଚାଷୀଙ୍କ ଜମି ଅଧିଗ୍ରହଣ ନେଇ ସରପଞ୍ଚ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ବାସୁଦେବପୁରରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର ଏକ ଶାଖା କେନାଲ ଝୁମ୍ପୁରା ଖମାର ମଧ୍ୟଦେଇ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଛି । ଏଥିପାଇଁ ମୋଟ ୧୦.୬୬୮ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ୨୦୧୭ ନଭେମ୍ବର ୨୭ରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାନପୁର ଜଳସେଚନ ପ୍ରକଳ୍ପ ରିମୁଳିଙ୍କ ଦ୍ୱାରା ଘୋଷଣାନାମା ପ୍ରକାଶ ପାଇଥିବା ଦର୍ଶାଯାଇଛି । ହେଲେ ଏହା କେବଳ କାଗଜ କଲମରେ ସୀମିତ ଥିବା ସରପଞ୍ଚ କହିଛନ୍ତି । ତେଣୁ ଗ୍ରାମସଭା ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।




Powered by odothemes.com