ନିଅାଁରେ ଚାଲିଲେ, ଦେହରେ କଣ୍ଟା ଫୋଡ଼ିଲେ | ସର୍ବସାଧାରଣ ଖବରକାଗଜ
JHAMU-AT-SARAKANTARA-(18)

ନିଅାଁରେ ଚାଲିଲେ, ଦେହରେ କଣ୍ଟା ଫୋଡ଼ିଲେ

58

ମହାବିଷୁବ ସଂକ୍ରାନ୍ତି ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତିରେ ମନୋବା‚ା ପୂରଣ ପାଇଁ ଶ୍ରଦ୍ଧାଳୁ ମାନେ ମାନସିକ ରଖି ମା’ କାଳୀଙ୍କ ପାଖରେ ଅଧିଆ ପଡ଼ିଥିଲେ । ୧୩, ୧୮ କିମ୍ବା ୨୧ ଦିନ ଧରି ମାନସିକଧାରୀମାନେ ଦିନତମାମ ଉପବାସ ପୂର୍ବକ ରାତିରେ ଏକଭକ୍ତ ଭୋଜନ କରି ମା’ଙ୍କ ସେବାରେ ରହିଥିଲେ । ଶେଷ ଦିନ ଅର୍ଥାତ୍ ଆଜି ସେମାନେ ବ୍ରତ ଭଙ୍ଗ କରିଛନ୍ତି । କେଉଁଠି ଦଣ୍ଡୁଆମାନେ ନିଆଁରେ ଚାଲିଥିଲେ ତ କେଉଁଠି ଦେହରେ କଣ୍ଟା ଫୋଡ଼ାଇଥିଲେ । ଆଉ କିଏ ତତଲା ବାଲିରେ ଗଡ଼ି ନିଜକୁ କଷ୍ଟ ଦେବା ପୂର୍ବକ ମାନସିକ ପୂରଣ ପାଇଁ ମା’ଙ୍କ ସମର୍ପି ଦେଇଥିଲେ । ନିଜକୁ ଦଣ୍ଡ ଦେଉଥିବାରୁ ଏହି ପର୍ବର ନାମ ଦଣ୍ଡଯାତ୍ରା । ନୟାପଲ୍ଲୀ, ବରମୁଣ୍ଡା, ଘାଟିକିଆ, ଜାଁଳା, ରସୁଲଗଡ଼, ଲକ୍ଷ୍ମୀସାଗର, ପଟିଆ, ଚନ୍ଦ୍ରଶେଖରପୁର, ଡ଼ମଣା, ଗାଡ଼କଣ, ରଘୁନାଥନଗର, ରଙ୍ଗମାଟିଆ, ଗାଡ଼କଣ, ସରକନ୍ତରା ଆଦି ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାକୁ ଶ୍ରଦ୍ଧାଳେ ମାନଙ୍କ ଭିଡ଼ ଜମିଥିଲା । ଖରା କିମ୍ବା ଗୁଳୁଗୁଳି ଶ୍ରଦ୍ଧାଳୁ ଓ ମାନସିକଧାରୀମାନଙ୍କ ଉପରେ ପ୍ରଭାବ ପକାଇପାରିନଥିଲା । ରାଜଧାନୀରେ ବିଶେଷ କରି ୯ଦିନ ଧରି ବ୍ରତ ପାଳନ କରିଥିଲେ । ସଂକ୍ରାନ୍ତିରେ ମାନସିକଧାରୀମାନେ ସକାଳୁ ଗାଁ ମାଗୁଣି କରିଥିଲେ । ଶେଷରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ ଝାମୁସ୍ଥଳୀରେ । ସେଠାରେ ନିଆଁରେ ଚାଲିବା, ତତଲା ବାଲିରେ ଗଡ଼ିବା ସହ ଦେହରେ କଣ୍ଟା ଫୋଡ଼ିଥିଲେ । ଏକାମକ୍ଷେତ୍ରରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଝାମୁଯାତ୍ରା ପାଳିତ ହୋଇଯାଇଛି । ଝାମୁଯାତ୍ରାରେ ଚାଲିବା ପାଇଁ ଦୀର୍ଘଦିନ ଧରି ଭକ୍ତ ମାନସିକରେ ରହିଥିଲେ । ଧଉଳି ଥାନା ଅଧୀନ ଇଟିପୁର, ଶିଶୁପାଳଗଡ଼, ସରଦେଈପୁର ଓ ନଖାଉରୁ ଗାଁରେ ଝାମୁଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା । ଗାଁ ଠାକୁରାଣୀଙ୍କ ନିକଟରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିବା ପରେ ଝାମୁଯାତ୍ରା କରାଯାଇଥିଲା । ଏହି ଯାତ୍ରାକୁ ଦେଖିବା ପାଇଁ ବିଭିନ୍ନ ଗାଁରୁ ଶହଶହ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶୃଙ୍ଖଳା ପାଇଁ ଯାତ୍ରାରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।




Powered by odothemes.com