karnataka_election_2018

ପ୍ରାର୍ଥୀ ଚୟନ ନେଇ ବିଜେପିରେ କନ୍ଦଳ

69

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମାସକରୁ କମ୍ ସମୟ ରହିଛି । କ୍ଷମତାସୀନ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବା ଲାଗି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବେଶ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମେ’ ୧୨ରେ ଏଠାରେ ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଜନମତ ସର୍ଭେ ଅନୁଯାୟୀ ଝୁଲା ବିଧାନସଭା ହେବାର ସଙ୍କେତ ଦେଇଛି । ରାଜନୈତିକ ପଣ୍ଡିତମାନଙ୍କ କହିବା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡାଙ୍କ ନେତୃତ୍ୱାଧୀନ ଜେଡିଏସ୍ କିଙ୍ଗ୍ମେକର ଭୂମିକା ନିର୍ବାହ କରିବେ । ୨୨୪ ଆସନବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜାତୀୟ ରାଜନୈତିକ ଦୃଷ୍ଟିପଟ୍ଟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଜେପି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୭୨ ଜଣଙ୍କ ନାମ ଘୋଷଣା କରାଯାଇଥିବାବେଳେ କଂଗ୍ରେସ କନ୍ଦଳ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିନାହିଁ । ବିଜେପି ଘୋଷଣା କରିଥିବା ପ୍ରାର୍ଥୀଙ୍କ ନେଇ ମଧ୍ୟ ସେଠାରେ ବିବାଦ ଦେଖାଦେଇଛି । ନିର୍ବାଚନ ଜିତିବା ସମ୍ଭାବନା ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେପିର ଯେଉଁ ପ୍ରାର୍ଥୀମାନଙ୍କ ନାମ ତାଲିକାରେ ନାହିଁ ସେମାନେ ବିଦ୍ରୋହ ଆରମ୍ଭ କରିଛନ୍ତି । ଟଙ୍କା ଓ ଜାତିଅଣା ଭାବକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯାଇଥିବା ସେମାନେ ମତ ଦେଉଛନ୍ତି । ବିଜେପି ଛାଡିଲା ପରେ ବିଏସ୍ ୟେଦୁରୁପ୍ପା କର୍ଣ୍ଣାଟକ ଜନତା ପକ୍ଷ (କେଜେପି) ଗଠନ କରିଥିଲେ । ପୁନର୍ବାର ସେ ବିଜେପିକୁ ଫେରିଲା ପରେ କେଜେପି ବିଜେପିରେ ଲୀନ ହୋଇଥିଲା । ବିଜେପି ୟେଦୁରୁପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଚିତ୍ରଣ କରି ନିର୍ବାଚନ ଲଢୁଛି । ତେବେ ଯେଉଁମାନେ ପୂର୍ବରୁ ବିଜେପିରେ ଥିଲେ, ସେମାନଙ୍କ ପରିବର୍ତ୍ତେ କେଜେପିରୁ ଆସିଥିବା ଲୋକମାନଙ୍କୁ ପ୍ରାର୍ଥୀ କରାଯାଇଛି । ବେଲ୍ଗାଭୀ ଜିଲ୍ଲାର ବାଇଲୋହଙ୍ଗା ନିର୍ବାଚନମଣ୍ଡଳୀରେ ବିଶ୍ୱନାଥ ପାଟିଲଙ୍କୁ ଏଥର ପ୍ରାର୍ଥୀ କରାଯାଇଛି । ପୂର୍ବ ନିର୍ବାଚନରେ ସେ କେଜେପିରୁ ଲଢିଥିଲେ । ସେହିଭଳି ବରିଷ୍ଠ ବିଜେପି ନେତା ଜଗଦିଶ୍ ମେଟଗୁଡଙ୍କୁ ପ୍ରାର୍ଥୀ କରାଯାଇନାହିଁ । ପୂର୍ବରୁ ସେ ସେଠାରୁ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ । ସେହିଭଳି ଅନେକ ନିର୍ବାଚନମଣ୍ଡଳୀରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଆଗାମୀ ଦିନରେ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି ।
ତେବେ ବିଜେପି ଏପର୍ଯ୍ୟନ୍ତ ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିନାହିଁ । ଏପ୍ରିଲ ଶେଷ ସପ୍ତାହରେ ପ୍ରକାଶିତ ହେବାକୁ ଥିବା ଏହି ଇସ୍ତାହାରରେ ଲୋକାୟୁକ୍ତକୁ କ୍ଷମତା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସୂଚନା ମିଳୁଛି । ବିଜେପି ସାଧାରଣ ସମ୍ପାଦକ ପି. ମୁରଲୀଧର ରାଓଙ୍କ କହିବା ଅନୁଯାୟୀ ୬ ମାସ ଧରି ୨୨୪ ନିର୍ବାଚନମଣ୍ଡଳୀର ଲୋକଙ୍କ ସହିତ ୨୨୦ ଥର ବିଚାରବିମର୍ଶ କରାଯାଇଛି । ସେସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଇସ୍ତାହାର ପ୍ରଦାନ କରାଯିବ । ୨୦୧୭ରେ ପୂର୍ବତନ ଆଇନ ମନ୍ତ୍ରୀ ଏସ୍ ସୁରେଶ କୁମାରଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ଏମ୍ ମଦନ ଗୋପାଲ ଓ ସି. ସୋମାଶେଖରଙ୍କ ଭଳି ଦୁଇଜଣ ଅବସରପ୍ରାପ୍ତ ଅମଲାତନ୍ତ୍ରୀଙ୍କୁ ସାମିଲ କରାଯାଇଛି । ସେମାନେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରି ଇସ୍ତାହାର ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ବିଜେପି ତା ଇସ୍ତାହାରରେ ଆଞ୍ଚଳିକ କାର୍ଡ ଖେଳିପାରେ ବୋଲି ସୂଚନା ମିଳିଛି । ସମ୍ବିଧାନର ୩୭-ଜେ ଧାରା ଅନୁଯାୟୀ ତକ୍ରାଳୀନ ୟୁପିଏ ସରକାର ଆନ୍ଧ୍ର ସୀମାରେ ଥିବା ୬ ଜିଲ୍ଲାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ଲାଗି ସମ୍ବିଧାନ ସଂଶୋଧନ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହାକୁ କାର୍ଯ୍ୟକାରୀ କରିପାରିଲେନାହିଁ । ଏହି ଅଞ୍ଚଳରେ ଥିବା ୩୯ ବିଧାନସଭା ଆସନରେ ଏହା ଏକ ପ୍ରସଙ୍ଗ ହୋଇଛି । ସ୍ଥାନୀୟ ଲୋକଙ୍କୁ ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ୭୦% ସଂରକ୍ଷଣ ଦେବା, ଗ୍ରୁପ୍ ‘ଏ’ ଓ ‘ବି’ ସରକାରୀ ଚାକିରିରେ ୭୫% ଓ ଗ୍ରୁପ୍ ‘ସି’ ଓ ‘ଡି’ରେ ୮୦% ସଂରକ୍ଷଣ ଦେବା ଆବଶ୍ୟକ ରହିଛି । ବିଜେପି ମଧ୍ୟ ଜମି ଅଧିଗ୍ରହଣ ଦୁର୍ନୀତିକୁ ପ୍ରସଙ୍ଗ କରିପାରେ ବୋଲି ସୂଚନା ମିଳିଛି ।
କର୍ଣ୍ଣାଟକ ନିର୍ବାଚନ ପାଇଁ ରାହୁଲ ଗାନ୍ଧି ୩ଥର ଗସ୍ତ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ମେ’ ୧୨ରେ ନିର୍ବାଚନ ହେବାକୁ ଥିଲେ ହେଁ ରାହୁଲ ମାତ୍ର ଜନ ଆଶୀର୍ବାଦ ଯାତ୍ରା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇନାହାନ୍ତି । ଏହି ଅବସରରେ ହୋଇଥିବା ଶୋଭାଯାତ୍ରା ଓ ସାଧାରଣ ସଭାରେ ଜନସମାଗମ ବେଶ୍ ଉତ୍ସାହଜନକ ରହିଛି । ଯାହା କର୍ଣ୍ଣାଟକ କଂଗ୍ରେସ ମଧ୍ୟରେ ପୁନର୍ବାର ବିଜୟ ନେଇ ଆଶା ସଂଚାର କରିଛି । ରାହୁଲ ଗାନ୍ଧିଙ୍କ ଗସ୍ତ କର୍ମୀଙ୍କ ମଧ୍ୟରେ ଆହୁରି ଉତ୍ସାହ ଆଣିବ ବୋଲି ସ୍ଥାନୀୟ ନେତାମାନେ ମତପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ମୁଖ୍ୟତଃ କଂଗ୍ରେସ, ବିଜେପି ଓ ଏଚ୍ଡି ଦେବଗୌଡାଙ୍କର ଜେଡିଏସ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଆକଳନ କରାଯାଇଛି । ସର୍ଭେ ରିପୋର୍ଟ ମଧ୍ୟ ତାହା ଉଲ୍ଲେଖ କରୁଛି । ୧୩ ଏପ୍ରିଲରେ ହୋଇଥିବା ଇଣ୍ଡିଆ ଟୁ-ଡେର ସର୍ଭେ ଅନୁଯାୟୀ ବିଜେପିକୁ ୭୮ରୁ ୮୬, କଂଗ୍ରେସକୁ ୯୦ରୁ ୧୦୧, ଜେଡିଏସ୍କୁ ୩୪ରୁ ୪୩ ଓ ଅନ୍ୟାନ୍ୟଙ୍କୁ ୨ରୁ ୧୨ଟି ଆସନ ମିଳିବ । ତେବେ କଂଗ୍ରେସର ଭୋଟ୍ ସେୟାର ୩୭% ଥିବାବେଳେ ବିଜେପିର ୩୫%, ଜେଡିଏସ୍ର ୧୯% ଓ ଅନ୍ୟାନ୍ୟଙ୍କର ୨% ରହିଛି ।




Powered by odothemes.com