ଦଇତାଙ୍କ ପ୍ରାପ୍ୟ କୋଟିଏ ଟଙ୍କାରେ ତୁଟିଲା

41

ପୁରୀ,୨୮ା୫ (ଆପ୍ର): ୪୦ ଲକ୍ଷ ହେଲାନାହିଁ ଶେଷରେ କୋଟିଏରେ ତୁଟିଲା ଦଇତାଙ୍କ ପ୍ରାପ୍ୟ ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ କର୍ମକର୍ତ୍ତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଢ଼ାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନରେ କଟକଣା ଲାଗି କ୍ଷତିଗସ୍ତ ହୋଇଥିବା ଦଇତାପତିମାନଙ୍କର ପ୍ରାପ୍ୟ ପାଉଣା ବିବାଦ ତୁଟିଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ପ୍ରାପ୍ୟ ପାଉଣା ବାବଦରେ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ତେବେ ସେଥିରେ ଦଇତାପତି ନିଯୋଗର କର୍ମକର୍ତ୍ତାମାନେ ଅସନ୍ତୁଷ୍ଟ ଥିଲେ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ, ଦଇତାପତି ନିଯୋଗର କର୍ମକର୍ତ୍ତାମାନଙ୍କ ସହିତ ସେମାନଙ୍କ ପ୍ରାପ୍ୟ ପାଉଣା ବିଷୟରେ ଆଲୋଚନା କରି ୧ କୋଟି ଟଙ୍କା ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସ୍ନାନପୂର୍ଣ୍ଣିମା ଠାରୁ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆସନ୍ତା ସ୍ନାନ ପୂର୍ଣ୍ଣିମା ସମୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ୬ ଜଣ ଅନୁଗାମୀଙ୍କ ସହିତ ସ୍ନାନ ମଣ୍ଡପକୁ ଆସିବେ । କେବଳ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ସ୍ପର୍ଶ କରିବେ ବୋଲି ସ୍ଥିର ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖରେ ଘଟ ପରିବର୍ତ୍ତନ ହେବ । ଘଟ ପରିବର୍ତ୍ତନ ପରେ ଶ୍ରୀମନ୍ଦିର ଭିତରେ ସାଧାରଣ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ସ୍ଥିରହୋଇଛି । ତେଣୁ ଆସନ୍ତା ଜୁଲାଇ ୧୮ରେ ଶ୍ରୀଜୀଉମାନଙ୍କ ପହଣ୍ଡି ସମୟରୁ ରଥାରୁଢ଼ ବିଗ୍ରହମାନଙ୍କୁ ଭକ୍ତମାନେ ଦର୍ଶନକରିବେ । ଚଳିତ ବର୍ଷ ନବକଳେବର ହେଉଥିବାରୁ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଜୀଉମାନେ ଅଧିକ ଗୋଟିଏ ଦିନ ରଥରେ ରହିବେ । ତେବେ ସନ୍ଧ୍ୟାଦର୍ଶନ ଦିନ କକ୍ତମାନେ ଆଡ଼ପ ମଣ୍ଡପର ବାହାର କାନ୍ଥ ନିକଟରୁ ଦର୍ଶନ କରିବେ ବୋଲି ସ୍ଥିର ହୋଇଛି । ଆଜିର ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର, ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖଙ୍କ ସହିତ ମୁଖ୍ୟ ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ ।




Powered by odothemes.com