ଶେଖ୍ବଜାରରେ ଫୁଟିଲା ବୋମା, ଜଣେ ଆହତ

Cuttack sekh bazar thare purba saturta ku nei boma mada police ra pachar uchara

ଦୋକାନବଜାର ବନ୍ଦ, ପୁଲିସ ମୁତୟନ
କଟକ, ୨୮ା୫(ବୁ୍ୟରୋ): ଦିନ ଦ୍ୱିପହରରେ ସହରରେ ତତଲା ପବନ ବୋହି ଚାଲିଥିବାବେଳେ ଲାଲବାଗ ଥାନା ଅନ୍ତର୍ଗତ ଶେଖବଜାର ଅଞ୍ଚଳ ଅଶାନ୍ତ ହୋଇପଡିଥିଲା । ଗୋଟିଏ ପରେ ଗୋଟିଏ ବୋମା ଫୁଟି ଚାଲିଥିଲା । ଏହାର ଗର୍ଜନରେ ଲୋକମାନେ ହୋଇପଡିଥିଲେ ଆତଙ୍କିତ । କିଛି ସମୟ ପରେ ଦୋକାନ ବଜାର ବନ୍ଦ ହୋଇଯାଇଥିଲା । ସ୍ଥାନୀୟ ଅଞ୍ଚଳ ହୋଇଯାଇଥିଲା ଖାଁଖାଁ ଓ ନିସ୍ତବତା । ଏହି ବୋମାମାଡ଼ ଘଟଣା ପୂର୍ବଶତ୍ରୁତାରେ ଘଟିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୩ ଜୁଲାଇ ୮ତାରିଖ ସକାଳେ କେଶିଆ ହତ୍ୟାକାଣ୍ଡ ଘଟିଥିଲା । ଘରୁ ବାହାରି କେଶିଆ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଆଖି ବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଶେଖବଜାର ଅଞ୍ଚଳ ଅଶାନ୍ତ ହୋଇଯାଇଥିଲା । କେଶିଆକୁ ହତ୍ୟା କରାଯିବା ପରେ କିଛି ଦୁବୃର୍ତ୍ତ ଚକୁଳି ଓରଫ ପ୍ରକାଶ ବେହେରାର ଜିପ ପୋଡିବା ସହ ଲାଡେନ ମୁନ୍ନା ଘର ଉପରକୁ ମଧ୍ୟ ବୋମାମାଡ଼ କରିଥିଲେ । ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରି ପ୍ରଥମେ ୫ଜଣଙ୍କୁ ଗିରଫ କରିଥିଲା । ଏହାପରେ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଆଉ ଜଣେ ଆସାମୀ ଫେରାର ହୋଇଯାଇଥିଲା । ପ୍ରଥମେ ପୁଲିସ ମୁନ୍ନା ଲାଡେନ ଓରଫ ସୟଦ ଅବଦୁଲ ମତାକ୍ୱିଦ, ଦେବରାଜ ବେହେରା ଓରଫ ଲିଟୁ, ପ୍ରକାଶ ବେହେରା ଓରଫ ଚକୁଳି, କେଶବ ବେହେରା ଓରଫ ମଣ୍ଟୁ, ବିଶ୍ୱନାଥ ବେହେରା ଓରଫ ଭେଲରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ସୁଧାଂଶୁ ଦାସ ଓରଫ ରନି, ସେକ ସହିଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତ ୨୦ରେ ଏହି ବହୁଚର୍ଚ୍ଚିତ କେଶବ ବେହେରା ଓରଫ କେଶିଆ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଥିଲା । ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୨) ରାୟ ପ୍ରକାଶ କରି ମାମଲାରେ ୯ଜଣ ଆସାମୀ ଥିବାବେଳେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ୩ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଧୋଶରେ ଖଲାସ କରିଥିଲେ । ତେବେ ନିର୍ଦ୍ଧୋଶରେ ଖଲାସ ହୋଇଥିବା ପ୍ରକାଶ ବେହେରା ଓରଫ ଚକୁଳି ଓ ତାଙ୍କ ବଡ଼ବାପା ଧର୍ମାନନ୍ଦ ବେହେରାଙ୍କ ଘର ଉପରକୁ ଦୁବୃର୍ତ୍ତମାନେ ପେଟ୍ରୋଲ୍ ବୋମା ଫିଙ୍ଗି ପଳାୟନ କରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଅନୁସାରେ ଗୋଟିଏ ବାଇକ୍ରେ ୩ଜଣ ଆସି ୫ଟି ପେଟ୍ରୋଲ୍ ବୋମା ଫିଙ୍ଗିଥିଲେ । ସମସ୍ତେ ମୁହଁକୁ ଗାମୁଛା ଦ୍ୱାରା ଆଚ୍ଛାଦିତ କରିଥିଲେ । ବୋମାମାଡ଼ରେ ଜଣେ ଲୋକ କରିମ ଆହତ ହୋଇଥିବା ଜଣାଯାଇଛି । ଏହି ଘଟଣା ପରେ ଦୋକାନବଜାର ବନ୍ଦ ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସେଠାରେ ଚାପା ଉତ୍ତେଜନା ଥିବାରୁ ପୁଲିସ ମୁତୟନ କରାଯାଇଛି ।