ଜିଲ୍ଲାରେ ୫ ହଜାର ୨ ଶହ ରୋଗୀ

38

ଢେଙ୍କାନାଳ,୨୮ ।୫(ଆପ୍ର): ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ରୂପାରୋଶନ ସାହୁ ଅଧ୍ୟକ୍ଷତା କରି ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପ୍ରତିକାର, ପ୍ରତିଷେଧମୂଳକ ବ୍ୟବସ୍ଥା ଓ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୧୪ରେ ଜିଲ୍ଲାରେ ୫ ହଜାର ୨ ଶହ ମ୍ୟାଲେରିଆ ପଜିଟିଭ୍ ରୋଗୀ ଓ ୨୭୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣଙ୍କର ମ୍ୟାଲେରିଆରେ ମୃତୁ୍ୟ ଘଟିଥିବା ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଂଗ୍ରାମ କିଶୋର ଦାସ ଯୋଗଦେଇ ମଶା ସଂଖ୍ୟା ହ୍ରାସ କରିବା ଉପରେ ଆଲୋକପାତ କରିଥିଲେ । ମ୍ୟାଲେରିଆ ଅଫିସର ଡା. ବାସୁଦେବ ବେହେରା ମ୍ୟାଲେରିଆ ନିୟନ୍ତ୍ରଣ ଓ ମଶା ସଂଖ୍ୟା ହ୍ରାସ ପାଇଁ କୀଟନାଶକ ସିଞ୍ଚନ କରାଯାଉଛି ବୋଲି କହିଥିଲେ । ଗତ ୧୨ ତାରିଖଠାରୁ ହିନ୍ଦୋଳ ବ୍ଲକର ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଗୃହମାନଙ୍କରେ କୀଟନାଶକ ସିଞ୍ଚନ ଆରମ୍ଭ କରାଯାଇଛି । ପରେ ପର୍ଯ୍ୟାୟକ୍ରମେ ଶ୍ରୀରାମଚନ୍ଦ୍ରପୁର, ପରଜଙ୍ଗ ଓ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଗ୍ରାମାଞ୍ଚଳରେ ଗୃହଙ୍କରେ କୀଟନାଶକ ସିଞ୍ଚନ କରାଯିବ । ଏଥିସହ ବ୍ଲକସ୍ତରରେ ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ନେଇ ସଚେତନତା, ମ୍ୟାଲେରିଆ ରୋଗ ଲକ୍ଷଣ ଦେଖାଦେଲେ ତୁରନ୍ତ ରୋଗୀଙ୍କ ଚିକିତ୍ସା, ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ମଶାରୀ ବ୍ୟବହାର, ମଶା ସଂଖ୍ୟା କମାଇବା ପାଇଁ ପରିବେଶ ପରିଷ୍କାର ରଖିବା, କୀଟନାଶକ ସିଞ୍ଚନ, ନାଳନର୍ଦ୍ଧମା ସଫା, ଜଳାଶୟରେ ମଶା ଲାର୍ଭାଖିଆ ଗାମ୍ବୁସିଆ ମାଛ ଛାଡିବାକୁ ଆଲୋଚନା ହୋଇଥିଲା । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ନିରୋଧ ବଟିକା ମାଗଣାରେ ମିଳୁଛି ବୋଲି ସିଡିଏମ୍ଓ ସୂଚନା ଦେଇଥିଲେ । ଡେଙ୍ଗୁ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା । ଏଡିଶ୍ ମଶା ଦ୍ୱାରା ଡେଙ୍ଗୁ ରୋଗ ବ୍ୟାପିଥାଏ । ଏଡିଶ୍ ମଶା ସ୍ଥିର ପାଣିରେ ଡିମ୍ବ ଦେଇ ବଂଶବୃଦ୍ଧି କରିଥାଏ । ପାଣି ଜମୁଥିବା ସ୍ଥାନ, ପାତ୍ର ଓ ପାଣିଟାଙ୍କି ଆଦି ପରିଷ୍କାର ରଖିବା, ଘର ଚାରିପାଖରେ ଥିବା ବୁଦା, ଅନାବନା ଗଛ ଆଦି କାଟି ସଫା ରଖିବା ଉଚିତ୍ । ଡେଙ୍ଗୁ ରୋଗର ଲକ୍ଷଣ ଯଥା ଅତ୍ୟଧିକ ଜ୍ୱର ଆସିବା, ମୁଣ୍ଡ ବିନ୍ଧିବା, ହାତ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ହେବା, ଅତ୍ୟଧିକ ବାନ୍ତି ହେବା, ପେଟରେ ଅଧିକ ଯନ୍ତ୍ରଣା ହେବା, ପାଟି ଶୁଖିଯିବା ଆଦି ହେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ଉଚିତ୍ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପରିବେଶ ପରିଷ୍କାର ରଖିବା ଓ ଏଡିଶ୍ ମଶା ସଂଖ୍ୟା ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ଜିଲ୍ଲାରେ ୨୦୧୪ ମସିହାରେ ୨୭୪ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ବୈଠକରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିନୋଦିନୀ ସାମଲ, ଏଡିଏମ୍ଓ ଡା. ସୁଜାତାରାଣୀ ମିଶ୍ର, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡା. ବିଦ୍ୟୁତ୍ ନନ୍ଦ, ଡିପିଏମ୍ ନିତ୍ୟରଂଜନ ବରାଳ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ଢେଙ୍କାନାଳ ଜିଲ୍ଲାରେ ମାତୃ ମୃତ୍ୟୁହାର ସଂପର୍କରେ ସମୀକ୍ଷା କରାଯିବା ସହ କ୍ରମାଗତ ପ୍ରସୂତୀ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳାମାନଙ୍କୁ ସଚେତନ କରିବା, ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟସେବା ଠିକ୍ ଭାବେ ଯୋଗାଇବା, ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଜିଲ୍ଲାପାଳଙ୍କୁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ହୋଇଥିବା ୯ ଜଣ ମାତୃ ମୃତ୍ୟୁ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।

ସେଆର କରନ୍ତୁ:



Powered by odothemes.com