୭୦ ହାତୀଙ୍କ ପାଇଁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍ | ସର୍ବସାଧାରଣ ଖବରକାଗଜ
hqdefault

୭୦ ହାତୀଙ୍କ ପାଇଁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍

40

କର୍ମଚାରୀ ଅଭାବ, ଜଣେ ମହିଳାଙ୍କୁ ଦୁଇ ବିଭାଗ ଦାୟିତ୍ୱ
ଢେଙ୍କାନାଳ,୨୯ା୩(ଆପ୍ର): ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ୍ ଗଦାଶିଳା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ଦିନ ଧରି ୭୦ ହାତୀଙ୍କ ଉତ୍ପାତ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ନାକେଦମ ହେବାକୁ ପଡ଼ିଛି ।
ସଦର ରେଞ୍ଜ୍ ଗଦାଶିଳା ଫରେଷ୍ଟ ସେକ୍ସନ ଅଧିନସ୍ଥ ରସାସିଂହ ନିକଟରେ ୬୩ଟି ହାତୀ ୧୦ଦିନ ହେବ ଉପଦ୍ରବ ଚଳାଇଛନ୍ତି । ଏହି ହାତୀ ପଲରେ ୪ ଦନ୍ତା ରହିଥିବା ବେଳେ ୩୭ ମାଇ ଓ ୨୨ ଛୁଆ ହାତୀ ରହିଥିବାର ଜଣାପଡ଼ିଛି । ଏହି ହାତୀ ପଲ ସନ୍ଧ୍ୟା ହେବାମାତ୍ରେ ନିକଟସ୍ଥ ମଠରଗଡି ସଂରକ୍ଷିତ ପାହାଡ଼ରୁ ବାହାରି ୫୫ ନଂ ଜାତୀୟ ରାଜପଥ ଅତିକ୍ରମ କରି ରସାସିଂହ, ପଶାସିଂହ, କାଉଁରିଆପାଳ, ତେନ୍ତୁଳିଆପଡ଼ା, ରଗଡିପଡ଼ା, ବଉଳପୁର, ସଦାଶିବପୁର, ଭୋଜଦେଇପୁର ଗେଙ୍ଗୁଟିଆ ଅଞ୍ଚଳରେ ଉପଦ୍ରବ କରୁଛନ୍ତି । ହାତୀ ପଲ ବ୍ୟାପକ ପରିମାଣର ତରଭୂଜ ଫସଲ ନଷ୍ଟ କରିବା ସହିତ କଦଳୀ, କାଜୁ ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗର କର୍ମଚାରୀ ରବିନାରାୟଣ ନାୟକଙ୍କ ନେତୃତ୍ୱରେ ହାତୀ ପଲକୁ ୫୫ ନଂ ରାଜପଥ ପାର କରାଉଥିବା ବେଳେ ଅତି ବିପଦ ସଙ୍କୁଳ ଅବସ୍ଥାରେ ହାତୀପଲ ରେଳଧାରଣା ଅତିକ୍ରମ କରି ବ୍ରାହ୍ମଣୀ ନଦୀକୂଳରେ ପ୍ରବେଶ କରିବା ସହିତ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲ ଯୋଗୁଁ ରସାସିଂହ, ସଦାଶିବପୁର ରାସ୍ତା ଶୂନଶାନ ହୋଇପଡୁଛି । ଗୁରୁବାର ସନ୍ଧ୍ୟାରେ ୬୩ଟି ହାତୀ ରାସ୍ତା ପାରହୋଇ ରସାସିଂହ ଅଞ୍ଚଳକୁ ପ୍ରବେଶ କରିଥିବାବେଳେ ଗେଙ୍ଗୁଟିଆ ଠାରେ ୭ଟି ହାତୀ ଗ୍ରାମ ନିକଟରେ ରହିଥିବା ଜଣାପଡ଼ିଛି । ହାତୀ ଯୋଗୁଁ ଗ୍ରାମବାସୀ ରାତି ଅନିଦ୍ରା ହୋଇ ଜନଜୀବନକୁ ସୁରକ୍ଷା ଦେଉଥିବା ବେଳେ ଏହାର ସମାଧାନ ପାଇଁ ସଦାଶିବପୁର ସରପଞ୍ଚ ନିବେଦନ କରିଛନ୍ତି । ସେହିପରି ଯେଉଁ ଚାଷୀଙ୍କର ତରଭୂଜ ଫସଲ ନଷ୍ଟ ହୋଇଛି ସେମାନଙ୍କର କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହି ଅଞ୍ଚଳରେ ହାତୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ବେଳେ କର୍ମଚାରୀଙ୍କର ଅଭାବ ରହିଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ସନ୍ଧ୍ୟାହେବା ମାତ୍ରେ ରସାସିଂହ ଠାରେ ୬୩ ହାତୀ ପଲକୁ ୫୫ ନମ୍ବର ଜାତୀୟ ରାଜପଥ ଓ ରେଳପଥ ଅତିକ୍ରମ କରାଇବା ଏବଂ ଜନଜୀବନକୁ ସୁରକ୍ଷା ଦେବା ବନବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଥିବା ବେଳେ ଏକ ସମୟରେ ଗେଙ୍ଗୁଟିଆ ଅଞ୍ଚଳରେ ହାତୀ ରହିଥିବାରୁ କର୍ମଚାରୀ ଅଭାବ ଦେଖାଦେଉଛି । କର୍ମଚାରୀଙ୍କ ପାଇଁ ଗୋଟିଏ ବୋଲେରୋ ଗାଡ଼ି ରହିଥିବା ବେଳେ ଅଧିକ ଗାଡ଼ି ଯୋଗାଇଦେବାକୁ ଦାବି ହୋଇଛି । ସେହିପରି କାଉଁରିଆପାଳ ଓ କୋରିଆଁ ଗେଙ୍ଗୁଟିଆ ସେକ୍ସନରେ ବନବିଭାଗ ତରଫରୁ ଜଣେ ମହିଳା କର୍ମଚାରୀଙ୍କୁ ଦାୟୀତ୍ୱ ଦିଆଯାଇଥିବାବେଳେ ହାତୀକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି । ହାତୀ ଘଉଡ଼ାଇବା ଓ ଜନଜୀବନକୁ ସୁରକ୍ଷା ଦେବା ପାଇଁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇଛି ।




Powered by odothemes.com