୮ରେ ସିଭିଲ ସୋସାଇଟିର ରେଳରୋକ | ସର୍ବସାଧାରଣ ଖବରକାଗଜ
Pressmeet-by-Civil-Society-for-rail-Roko

୮ରେ ସିଭିଲ ସୋସାଇଟିର ରେଳରୋକ

34

ବାଲେଶ୍ୱରକୁ ରେଳ ବିଭାଗର ଉପେକ୍ଷା
ବାଲେଶ୍ୱର,୨୮ା୩(ଆପ୍ର): ଯାତ୍ରୀଙ୍କୁ ଉଚିତ ସେବା ପ୍ରଦାନ ସାଙ୍ଗକୁ ବାଲେଶ୍ୱର ରେଳ ଷ୍ଟେସନ ସଂପ୍ରସାରଣ ଓ ଆଧୁନିକୀକରଣ ନେଇ ଜିଲ୍ଲାବାସୀଙ୍କ ଦାବି ପ୍ରତି ରେଳ ବିଭାଗର ଉଦାସୀନତା ବିରୋଧରେ ଚରମ ନିଷ୍ପତ୍ତି ନେଇଛି ବାଲେଶ୍ୱର ସିଭିଲ ସୋସାଇଟି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସ ୮ ତାରିଖରେ ରେଳ ରୋକ ପାଇଁ ସଂଗଠନ ସିଦ୍ଧାନ୍ତ ନେଇଥିବା ଆଜି ଏକ ପ୍ରେସ ବିଜ୍ଞପ୍ତିରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ ସଂପ୍ରସାରଣ ଓ ଆଧୁନିକୀକରଣ ପାଇଁ ବାରମ୍ବାର ଦାବି ଦିଆଯାଉ ଆସୁଛି । ବିଶେଷ କରି ଷ୍ଟେସନର ପଶ୍ଚିମ ପାଶ୍ୱର୍ ମାଲଗୋଦାମ ସ୍ଥାନାନ୍ତର ଏକାନ୍ତ ଆବଶ୍ୟକ ହୋଇପଡ଼ିଥିବା କର୍ମକର୍ତ୍ତାମାନେ କହିଛନ୍ତିି । ରେଳଧାରଣାର ପଶ୍ଚିମ ପାଶ୍ୱର୍ରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ବିଭିନ୍ନ ବୃହତ୍ତ ଶିଳ୍ପାନୁଷ୍ଠାନ, ନୋସି, ସିପେଟ୍ ସମେତ ଏକାଧିକ ବୈଷୟିକ ଶିକ୍ଷାନୁଷ୍ଠାନ ଓ ଜାତୀୟ ରାଜପଥ ଆଦି ରହୁଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଯାତ୍ରୀ ପୂର୍ବପାଶ୍ୱର୍ ମୁଖ୍ୟ ଦ୍ୱାରକୁ ଆସି ଟିକେଟ୍ କରି ପ୍ଲାଟଫର୍ମରୁ ଗାଡ଼ି ଚଢ଼ିବା ଦୁରୁହବ୍ୟାପାର ହୋଇଛି । ତୁରନ୍ତ ଏହି ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ପଶ୍ଚିମପାଶ୍ୱର୍ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଟିକେଟ୍ କାଉଣ୍ଟର ସମେତ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ସୋସାଇଟି ପକ୍ଷରୁ ଦାବି ହୋଇଛି । ପୂର୍ବରୁ ଏନେଇ ଜିଲ୍ଲା ପ୍ରାଶାସନ ଓ ଡିଆରଏମଙ୍କୁ ଦାବିପତ୍ର ଦିଆଯାଇଥିଲେ ବି କୌଣସି ପ୍ରତିକାର ନହେବା ବାସ୍ତବିକ୍ ଦୁର୍ଭାଗ୍ୟର ବିଷୟ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୮ ମସିହାରେ ବାଲେଶ୍ୱର ରେଳଷ୍ଟେସନ ନିର୍ମାଣ ହୋଇଥିଲା । ଦୀର୍ଘ ବର୍ଷ ଧରି ରେଳ ବିଭାଗ ବାଲେଶ୍ୱର ରେଳ ଷ୍ଟେସନ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହିତ ବାଲେଶ୍ୱରବାସୀଙ୍କୁ ସାମଗ୍ରିକ ଭାବେ ପ୍ରତାରିତ କରିଛି । ବିଭିନ୍ନ ସାମାଜିକ ସଂଗଠନ ଓ ଗଣ ସଂଗଠନମାନେ ବାଲେଶ୍ୱର ରେଳ ଷ୍ଟେସନକୁ ଅତ୍ୟାଧୁନିକ ଷ୍ଟେସନ ମାନ୍ୟତା ଦେବା ପାଇଁ ଦାବି, ଶୋଭାଯାତ୍ରା, ବିକ୍ଷୋଭ ଆଦି ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ରେଳ ବିଭାଗ ନୀରବ ରହିଛି । ଚଳିତ ରେଳ ବଜେଟରେ ବାଲେଶ୍ୱର ଜିଲ୍ଲା ରେଳଷ୍ଟେସନ ଗୁଡ଼ିକରେ ବିକାଶ ନିମନ୍ତେ ୧୦ଲକ୍ଷ ଟଙ୍କା ଦେବା ବାଲେଶ୍ୱରବାସୀଙ୍କୁ ଚରମ ଆଘାତ ଦେଇଛି । ରେଳ ବିଭାଗର ଉପେକ୍ଷା ବିରୋଧରେ ଆସନ୍ତା ୮ ତାରିଖ ସକାଳ ୬ଟାରେ ସିଭିଲ ସୋସାଇଟି ରେଳ ରୋକ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଶେଖ୍ ଅବଦୁଲ ରଫିକ୍, ଗୌରାଙ୍ଗ ପାଣିଗ୍ରାହୀ, ଶମ୍ଭୁନାଥ ସିଂହ, ମହମ୍ମଦ ଇକ୍ବାଲ, ରୋଜି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com