heat

ଅଂଶୁଘାତ ମୃତୁ୍ୟ ୬୭ ହେଲା

14

ଉପକୂଳରେ ତାପମାତ୍ରା ହ୍ରାସ, ପଶ୍ଚିମ ଓଡିÿଶାରେ ତାତି ଅବ୍ୟାହତ
ଭୁବନେଶ୍ୱର, ୨୬ ।୫(ବୁ୍ୟରୋ): ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି, ଅଥଚ ଏହି ଅଞ୍ଚଳରେ ଅଂଶୁଘାତ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର (ଏସ୍‍ଆର୍‍ସି)ଙ୍କ କାର୍ଯ୍ୟାଳୟରୁ ଗତକାଲି ସୁଦ୍ଧା ୪୩ଟି ଅଂଶୁଘାତ ମୃତୁ୍ୟ ରିପୋର୍ଟ ଆସିଥିବାବେଳେ ଆଜି ସେହି ସଂଖ୍ୟା ୬୭ରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ଉପକୂଳବର୍ତ୍ତୀ ଗଞ୍ଜାମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ଅଂଶୁଘାତର ଶିକାର ହୋଇଛନ୍ତି । ସୋମବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମାତ୍ର ୩ ଜଣଙ୍କ ଅଂଶୁଘାତ ମୃତୁ୍ୟ ହୋଇଥିବା ରିପୋର୍ଟ ଆସିଥିଲା । ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି । ଗତକାଲି ସୁଦ୍ଧା ଏହି ଜିଲ୍ଲାରେ ୬ଜଣଙ୍କ ଅଂଶୁଘାତ ମୃତୁ୍ୟ ହୋଇଥିବା ରିପୋର୍ଟ ଆସିଥିଲା । କେନ୍ଦୁଝର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଅଂଶୁଘାତ ମୃତୁ୍ୟ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇଛି । ଆଜି ପୂର୍ବାହ୍ନରେ ଉପକୂଳବର୍ତ୍ତୀ ଓଡିଶାର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ରହିଥିବାବେଳେ ମଧ୍ୟାହ୍ନ ବେଳକୁ ତାପମାତ୍ରା ବୃଦ୍ଧି ପାଇଥିଲା । ଏହାସତ୍ତ୍ୱେ ଆଜି ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ଗୋପାଳପୁର, ପୁରୀ, କେନ୍ଦୁଝର, କୋରାପୁଟ ସମେତ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଥିବା ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ଥିବାବେଳେ ଆଜି ତାହା ୫ ଡିଗ୍ରୀରୁ ଅଧିକ ଖସି ୩୯.୮ ଡିଗ୍ରୀରେ ରହିଛି । ତେବେ ପଶ୍ଚିମ ଓଡିଶାରେ ଉକ୍ରଟ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିଛି । ଟିଟିଲାଗଡରେ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ବୃଦ୍ଧି ପାଇ ୪୭.୬ ଡିଗ୍ରୀରେ ପହଞ୍ଚିଛି । ହୀରାକୁଦରେ ସର୍ବାଧିକ ତାପମାତ୍ରା ୪୬.୬ ଡିଗ୍ରୀ, ସମ୍ବଲପୁରରେ ୪୬.୪ ଡିଗ୍ରୀ, ଝାରସୁଗୁଡା ଓ ବଲାଙ୍ଗୀରରେ ୪୬ ଡିଗ୍ରୀ, ଭବାନିପାଟଣାରେ ୪୫.୭ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଅନୁଗୁଳରେ ୪୫.୧ ଡିଗ୍ରୀ, ସୁନ୍ଦରଗଡରେ ୪୪.୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଜନଜୀବନକୁ ଅତିଷ୍ଠ କରିଥିବାବେଳେ ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସହର ବଜାର ଓ ମୁଖ୍ୟ ରାସ୍ତା ଜନଶୂନ୍ୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଗ୍ରୀଷ୍ମ ପ୍ରବାହବେଳେ ବିଦୁ୍ୟତ୍‍ ବିଭ୍ରାଟ୍‍ ଲୋକଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଛି ।




Powered by odothemes.com