19-3-2018=1

୧ଠଠ କୋଟି ବିନିଯୋଗ

124

ଓଡ଼ିଶା ଲଘୁଶସ୍ୟ ମିଶନର ସଂପ୍ରସାରଣ
ଭୁବନେଶ୍ୱର, ୧୯ା୩(ବୁ୍ୟରୋ): ଓଡିଶା ଲଘୁଶସ୍ୟ ମିଶନ ସମ୍ପ୍ରସାରଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୮-୧୯ରେ ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଲଘୁ ଶସ୍ୟ ଅମଳ କରୁଥିବା ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟ ବଦଳରେ ଖାଦ୍ୟ ଶସ୍ୟ ସଂଗ୍ରହ କରିବେ ଏବଂ ଏହାକୁ ବିଭିନ୍ନ ପୁଷ୍ଟି ସୁରକ୍ଷା ଯୋଜନାରେ ସାମିଲ କରାଯିବ । ଏହାଦ୍ୱାରା ରାଜ୍ୟର ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳର ୫ଲକ୍ଷ ଚାଷୀ ବିଶେଷତଃ ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ଚାଷୀମାନେ ଉପକୃତ ହେବେ ଏବଂ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲଘୁଶସ୍ୟଗୁଡ଼ିକ ହେଉଛି ଜନଜାତି ବହୁଳ ଅଞ୍ଚଳର ମୁଖ୍ୟ ପୁଷ୍ଟିକର ଖାଦ୍ୟ । ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଏହା ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ଚାଷ କରାଯାଏ । ସୂଚନାଯୋଗ୍ୟ, ରାଜ୍ୟର ୭ଟି ଜିଲ୍ଲାର ୩୦ଟି ବ୍ଲକ୍ରେ ଓଡ଼ିଶା ଲଘୁ ଶସ୍ୟ ମିଶନ ଏକ ପାଇଲଟ୍ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେଉଛି । ଏହାକୁ ବର୍ତ୍ତମାନ ୧୧ଟି ଜିଲ୍ଲାର ୫୫ଟି ବ୍ଲକ୍ରେ କାର୍ଯ୍ୟକାରୀ କରାଯିବ । ଏଥିରେ କ୍ୟାଲସିୟମ୍, ଲୌହ ଓ ତନ୍ତୁଜାତୀୟ ପୋଷକତତ୍ତ୍ୱ ଅଧିକ ମାତ୍ରାରେ ରହିଛି । ତେଣୁ ଏହା ଏକ ପୁଷ୍ଟିକର ଖାଦ୍ୟ ଭାବରେ ପରିଗଣିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲଘୁଶସ୍ୟ ହେଉଛି ଆଦିବାସୀମାନଙ୍କର ଜୀବନ ସହ ସମ୍ପୃକ୍ତ । ଦୀର୍ଘଦିନ ଧରି ଆଦିବାସୀମାନେ ବାଜରାକୁ ସେମାନଙ୍କ ଖାଦ୍ୟପେୟରେ ବ୍ୟବହାର କରିଆସୁଛନ୍ତି । ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀଙ୍କୁ ଦୃଷ୍ଟିରେ ରଖି ସ୍ୱଳ୍ପ ବୃଷ୍ଟି ଅଞ୍ଚଳରେ ବାଜରା ଚାଷ ଲାଗି ଓଡିଶା ବାଜରା ମିଶନ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଚାଷୀମାନଙ୍କୁ ଉଚିତ ଦାମ ମିଳିବା ସହ ସେମାନଙ୍କ ପୁଷ୍ଟିହୀନଜନିତ ସମସ୍ୟାର ସମାଧନ ହୋଇପାରିବ । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଜନାରେ ଚାଷୀଙ୍କଠାରୁ ବାଜରା କିଣିବେ । ଆଗାମୀ ବର୍ଷ ଏଥିରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଭବିଷ୍ୟତରେ ଏହି ପରିମାଣ ବୃଦ୍ଧି ହେବ । ପ୍ରାୟ ୫ ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହେବେ । ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡା ଜିଲ୍ଲାର ୩୦ ବ୍ଲକ୍ରେ ଖାଦ୍ୟଶସ୍ୟର ବିକାଶ ନିମନ୍ତେ ଏନ୍ସିଡିଏସ୍ ୱାସନ ଓ ଅନ୍ୟ ୨୬ଟି ବେସରକାରୀ ସଂସ୍ଥା ଦ୍ୱାରା ଅନୁବନ୍ଧିତ କରାଯାଇ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଣ୍ଡିଆ, ସୁଆଁ, ଗୁରଜି, କାଙ୍ଗୁ, ଜନା ଓ ବାଜରାର ସାମଗ୍ରିକ ଉନ୍ନତି ସହ ଆଦିବାସୀ ପରିବାରର ଖାଦ୍ୟ ଓ ପୋଷକ ତତ୍ତ୍ୱରେ ଉନ୍ନତି କରିବା ହେଉଛି ଏହାର ଲକ୍ଷ୍ୟ । ପଞ୍ଚାୟତ ଓ ବ୍ଲକ୍ରେ ସ୍ତରରେ ବ୍ୟବସାୟିକ କ୍ଷୁଦ୍ରଶସ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ମହିଳାମାନଙ୍କ କଠିନ ଶ୍ରମକୁ ମଧ୍ୟ ଲାଘବ କରାଯାଇପାରିବ । କ୍ଷୁଦ୍ରଶସ୍ୟ କୃଷକ ସଂଗଠନ ଓ ମହିଳା ଗୋଷ୍ଠୀ ଦ୍ୱାରା ଏହାକୁ ବଜାରଭିତ୍ତିକ କରିବା, ଉପଯୁକ୍ତ ବଜାର ସୃଷ୍ଟି କରିବା, ଉତ୍ପାଦନ ବୃଦ୍ଧି ସହ ଆୟକୁ ସୁନିଶ୍ଚିତ କରିବା ଆଦି ଏହି ଯୋଜନାର ଲକ୍ଷ୍ୟ । ଚଳିତ ଖରିଫ୍ରେ ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୭୪୪୪ ଏକର ଜମିରେ କ୍ଷୁଦ୍ରଶସ୍ୟ ଚାଷ କରାଯାଇଛି । ଏହାର ବ୍ୟବହାରର ବୃଦ୍ଧିକୁ ଲକ୍ଷ୍ୟ କରି ୨୫ ବ୍ଲକ୍ରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ ପାଇଁ ପଦକ୍ଷେପ ନିଆଯାଉଛି । ସମଗ୍ର ୧୧ ଜିଲ୍ଲାର ୫୫ ବ୍ଲକ୍ରେ ଏହା କାର୍ଯ୍ୟକାରୀ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ୧୨୬.୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚଳିତ ବର୍ଷ ମେ’ ପହିଲାରୁ ପ୍ରଥମ କରି ଭୁବନେଶ୍ୱରର ୨୬ଟି ସ୍ଥାନରେ କ୍ଷୁଦ୍ରଶସ୍ୟରେ ତିଆରି ଖାଦ୍ୟ ହାଲୁଆ, ବରା, ଦୋସା, ପକୋଡା, ବିସ୍କୁଟ୍ ଓ କେକ୍ର ବିକ୍ରୟକୁ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ରରେ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ସରକାର ଚତୁର୍ଥ ବର୍ଷଠାରୁ ବାର୍ଷିକ ୧୦୦ କୋଟି ଟଙ୍କା ବ୍ୟୟବରାଦରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।




Powered by odothemes.com