Mahuli-Gotau-Chanti-Adibasi-Mahila-BALIGUDA

ମହୁଲ ବେପାର: ଆଦିବାସୀ ଶୋଷିତ, ବେପାରୀ ମାଲାମାଲ୍

60

ଫୁଲବାଣୀ/ବାଲିଗୁଡ଼ା(ବୁ୍ୟରୋ): ଶିଳ୍ପବିହୀନ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଅଧିବାସୀ ଦୀର୍ଘବର୍ଷ ହେବ ଅସାଧୁ ବ୍ୟବସାୟୀ ଓ ସାହୁକାରଙ୍କ ଶୋଷଣର ଶିକାର ହେଉଛନ୍ତି । ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷତମାମ ହାଡ଼ଭଙ୍ଗା ପରିଶ୍ରମ କରି ଯେଉଁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି ତା’ର ଫାଇଦା ଉଠାନ୍ତି ଅସାଧୁ ବ୍ୟବସାୟୀ । ବର୍ତ୍ତମାନ ମହୁଲ ଋତୁ ଚାଲିଥିବାରୁ ଆଦିବାସୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ମହୁଲ ସଂଗ୍ରହରେ ନିୟୋଜିତ ହୋଇଛନ୍ତି । ମହୁଲ ସଂଗ୍ରହ ଓ ବିକ୍ରୟ ଆଦିବାସୀଙ୍କ ପାରମ୍ପରିକ ଜୀବନ ଜୀବିକାର ପ୍ରମୁଖ ଅଙ୍ଗ ଭାବରେ ପରିଚିତ । ଆଦିବାସୀ ଜୀବନ ଧାରା, ଚାଲିଚଳଣି, ସଂସ୍କୃତି ପରମ୍ପରା ସହିତ ମହୁଲର ରହିଛି ନିବିଡ଼ ସମ୍ପର୍କ । ବିଭିନ୍ନ ଯାନିଯାତ୍ରା, ବିବାହ, ନିର୍ବନ୍ଧ ଆଦି କାର୍ଯ୍ୟରେ ଆଦିବାସୀ ସମ୍ପ୍ରଦାୟ ମହୁଲ ଫୁଲରୁ ପ୍ରସ୍ତୁତ ମଦ ବ୍ୟବହାର କରିଥାନ୍ତି । ଏଥିରୁ ସଂଗୃହୀତ ଅର୍ଥରୁ ବର୍ଷସାରା ପାଇଁ ସେମାନଙ୍କ ସଂସାର ଚଳିଥାଏ । ମାତ୍ର ବର୍ତ୍ତମାନ ମହୁଲର ଅବ୍ୟବସ୍ଥିତ କାରବାର ଯୋଗୁ ଆଦିବାସୀମାନେ ଉଚିତ୍ ପ୍ରାପ୍ୟ ପାଇବା ପରିବର୍ତ୍ତେ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଉଛି । ଭୋର ୫ଟାରୁ ଦିନ ଦୁଇଟା ହେଉଛି ମହୁଲ ଫୁଲ ଝଡ଼ିବା ସମୟ । ଆଦିବାସୀମାନେ ଏହି ସମୟ ମଧ୍ୟରେ ସଂଗ୍ରହ କରିଥିବା ମହୁଲକୁ ଆଣି ଖରାରେ ଶୁଖାଇ ବଜାରରେ ବିକ୍ରି କରିଥାନ୍ତି । ଗୋଟିଏ ଗୋଟିଏ ପରିବାର ଦୈନିକ ୬ ରୁ ୮ କେଜି ପର୍ଯ୍ୟନ୍ତ ମହୁଲ ସଂଗ୍ରହ କରିଥାନ୍ତି । ଜିଲ୍ଲାରେ ଲଘୁଜାତ ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ସାହୁକାରକୁ ଉଚିତମୂଲ୍ୟ ଠାରୁ ବହୁ କମ୍ ମୂଲ୍ୟରେ ସେମାନେ ମହୁଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଆଦିବାସୀମାନେ ଖୁବ୍ ବେଶିରେ କେଜି ପ୍ରତି ୧୦ରୁ ୧୫ଟଙ୍କା ପାଇଥାନ୍ତି । ବେସରକାରୀ ଆକଳନ ଅନୁଯାୟୀ, ଜିଲ୍ଲାରେ ପ୍ରାୟ ୧ଲକ୍ଷ କ୍ୱିଣ୍ଟାଲ ମହୁଲ ସଂଗ୍ରହ ହୋଇଥାଏ । ବ୍ୟବସ୍ଥାଗତ ତ୍ରୁଟି ତଥା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏହାର ଫାଇଦା ଆଦିବାସୀଙ୍କୁ ମିଳୁନାହିଁ । ରାଜ୍ୟ ସରକାର ସଂଗ୍ରହ ଓ ବିକ୍ରୟ ଆଇନ୍ ଅନୁଯାୟୀ ୬୩ ଲଘୁ ବନଜାତ ଦ୍ରବ୍ୟର ଅଧିକାର ବନ ବିଭାଗ ପରିବର୍ତ୍ତେ ପଞ୍ଚାୟତ ଅଧୀନରେ ରହିଛି । ଏହି ଆଇନ ଅନୁଯାୟୀ ମହୁଲ ଉପରୁ ପୂର୍ବରୁ ଥିବା ରୟାଲଟି ଉଚ୍ଛେଦ କରାଯାଇଛି । ମହୁଲ ସଂଗ୍ରହ, ଗଚ୍ଛିତ ଓ ବିକ୍ରି ଲାଗି ଲାଇସେନ୍ସ ଦେବାର କ୍ଷମତା ପଞ୍ଚାୟତ ନିକଟରେ ରହିଛି । ଅବକାରୀ ନିୟମ ଅନୁସାରେ ବ୍ୟକ୍ତିଗତ ଭାବେ ଜଣେ ୩ କ୍ୱିଣ୍ଟାଲରୁ ଅଧିକ ମହୁଲି ରଖିପାରିବେ ନାହିଁ । ଉକ୍ତ ପରିମାଣରୁ ଅଧିକ ରଖିବାକୁ ହେଲେ ଅବକାରୀ ବିଭାଗରୁ ଲାଇସେନ୍ସ ଆବଶ୍ୟକ । ମହୁଲ ସଂଗ୍ରହକାରୀ ବିଭାଗରୁ ଲାଇସେନ୍ସ ହାତେଇ ନପାରିବା ହେତୁ ଏବଂ ପଲ୍ଲିସଭାରେ ମୂଲ୍ୟ ନିର୍ଦ୍ଧାରଣ ହୋଇପାରୁନଥିବାରୁ ଆଦିବାସୀମାନେ ବାଧ୍ୟ ହୋଇ ସ୍ୱଳ୍ପ ମୂଲ୍ୟରେ ଦଲାଲଙ୍କୁ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି । ସରକାରୀ ସ୍ତରରେ ମହୁଲ କ୍ରୟ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ମହୁଲକାରବାର ବର୍ତ୍ତମାନ ଅସାଧୁ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି । ଆଦିବାସୀଙ୍କ ଅଜ୍ଞତାର ସୁଯୋଗ ନେଇ ବ୍ୟବସାୟୀମାନେ ଠକିବା ଏକ ପରମ୍ପରାରେ ପରିଣତ ହୋଇଛି । ଯାହାଦ୍ୱାରା ଗରିବ ଆଦିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିପାରୁନାହିଁ । ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।




Powered by odothemes.com