derabish-MAHU-MACHHI-AKRAMANA

ସ୍କୁଲରେ ମହୁମାଛି ଆକ୍ରମଣ, ୧୦ ଆହତ

48

ଡେରାବିଶ (ଆପ୍ର): ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଦୁମୁକା ଚାଟରାଚକଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ସକାଳେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସମେତ ୧୦ ଆହତ ହୋଇଛନ୍ତି । ବିଦ୍ୟାଳୟରେ ରାଜମିସ୍ତ୍ରୀ କାମ କରୁଥିବା ସ୍ଥାନୀୟ ଫକିରାବାଦ ଗ୍ରାମର ଚକ୍ରଧର ବେହେରା ଓ ହାଟକୁ ଯାଉଥିବା ଦୁମୁକା ଗ୍ରାମର ଉପେନ୍ଦ୍ର ସେନାପତି ଗୁରୁତର ହୋଇ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଚକ୍ରଧର ବିଦ୍ୟାଳୟର ଶୌଚାଳୟରେ ଟାଇଲ ବସାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମୁଣ୍ଡ, ଛାତି ଓ ହାତରେ କ୍ଷତ ଥିବା ଦେଖିବାକୁ ମିଳିଛି । ଉପେନ୍ଦ୍ର ସ୍ଥାନୀୟ ଛତାହାଟକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ । ଉଭୟଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଚକ୍ରଧରଙ୍କ ସହଯୋଗୀ କ୍ଷିରୋଦ ବେହେରା, ଦୁମୁକା ଗ୍ରାମର ସୁରେନ୍ଦ୍ର କାଣ୍ଡି, ବସନ୍ତ କାଣ୍ଡି, ପ୍ରଥମ ଶ୍ରେଣୀ ଛାତ୍ରୀ ଜୟନ୍ତୀ କାଣ୍ଡିଙ୍କ ସମେତ ଗ୍ରାମର ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇ ଘର ଭିତରେ କବାଟ ଦେଇ ରହିଥିଲେ । ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ କବାଟ ବନ୍ଦକରି ରହିଥିଲେ । ପ୍ରଧାନ ଶିକ୍ଷକ ନିରଞ୍ଜନ ପତିଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ପାଚେରୀ ନିକଟରେ ଥିବା ଏକ ପୁରୁଣା ବରଗଛରେ ଦୀର୍ଘଦିନ ହେଲା ମହୁମାଛି ବସାକରିଛନ୍ତି । ସକାଳେ ବରଗଛରେ ବସିଥିବା କିଛି ମାଙ୍କଡ଼ କାମୁଡ଼ା କାମୁଡ଼ି ହୋଇ ମହୁ ଫେଣାକୁ ଭାଙ୍ଗି ଦେବାରୁ ମହୁମାଛିମାନେ ଲୋକଙ୍କୁ ଆକ୍ରମଣ କରିଥିଲେ । ତେବେ ଗ୍ରାମର କିଛି ଯୁବକ ସାହସ କରି ଗଛମୂଳରେ ଧୂଆଁ କରିବାରୁ ମହୁମାଛି ଦଳ ବିଦ୍ୟାଳୟ ଛାଡ଼ି ପଳାଇ ଯାଇଥିଲେ ।

ସେଆର କରନ୍ତୁ:



Powered by odothemes.com