IMG-20180313-WA0025

ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ବିକଳ

103

ରସୁଲପୁର(ଆପ୍ର): ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଡହଳବିକଳ ଟିକରପଡା ପଞ୍ଚାୟତବାସୀ । ହେଲେ ଏସବୁ ଜାଣି ମଧ୍ୟ ପ୍ରଶାସନ ନୀରବ । ସରକାର ସମସ୍ତ ଗାଁକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ କିଛି ରାଜନୈତିକ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇ ଲୋକମାନେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଥିବା ଦେଖାଦେଇଛି । ରସୁଲପୁର ବ୍ଲକ୍ ଟିକରପଡ଼ା ପଞ୍ଚାୟତରେ ସ୍ଥିତ ସେଠୀ ସାହିର ଲୋକେ ଏହିଭଳି ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ପଞ୍ଚାୟତରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପଟି ଦୀର୍ଘ ଦିନଧରି ଅଚଳ ହୋଇଥିବା ବେଳେ ଏବେ କାର୍ଯ୍ୟକ୍ଷମ ହୋଇଛି । ଗାଁର ସମସ୍ତ ସାହିକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଥିବା ବେଳେ ନିକଟରେ ଥିବା ସେଠୀ ସାହିକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇ ନାହିଁ । ଉକ୍ତ ସାହିରେ ଗୋଟିଏ ମାତ୍ର ସରକାରୀ ନଳକୂପ ଥିବା ବେଳେ ଏହି ନଳକୂପର ପାଣି ବ୍ୟବହାର ଉପଯୋଗୀ ନହେଉଥିବାରୁ ସେମାନେ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ତେଣୁ ସରପଞ୍ଚଙ୍କୁ ତାଙ୍କ ସାହିକୁ ପାଇପ୍ ଯୋଗେ ପାଣି ଯୋଗାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସରପଞ୍ଚ ପଇସା ଖର୍ଚ୍ଚ କରି ତମ ସାହିକୁ ପାଣି ନେବା ପାଇଁ କହିଥିଲେ । ଏ ସମ୍ପର୍କରେ ସେମାନେ ବିଭାଗୀୟ କତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରି ନାହିଁ । ନିକଟରେ ଏହି ଗାଁରେ ହୋଇଥିବା ଜନଶୁଣାଣି ଶିବିରରେ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ଖରାଦିନ ହୋଇଥିବାରୁ ପିଇବା ପାଣି ଅଭାଗରୁ ଏହି ସାହିରେ ଥିବା ପ୍ରାୟ ଶତାଧିକ ବାସିନ୍ଦା ଭୀଷଣ ଅସୁବିଧାରେ ଅଛନ୍ତି । ତେଣୁ ଉକ୍ତ ସାହିକୁ ତୁରନ୍ତ ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ଏକାଦସି ସେଠୀ, ଦୁର୍ଯ୍ୟଧନ ସେଠୀ, ପ୍ରଭାତ ସେଠୀ, ରବିନ୍ଦ୍ର ସେଠୀ ଓ ଅଜୟ ସେଠୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com