naxal

୯ ସିଆର୍ପିଏଫ୍ ଯବାନ ସହିଦ୍

115

ସୁକ୍ମାରେ ମାଓ ହମ୍ଲା
ସୁକ୍ମା, ୧୩ା୩: ଛତିଶଗଡର ସୁକ୍ମାରେ ମାଓବାଦୀମାନେ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି । ମାଓବାଦୀମାନଙ୍କର ଆଜି ହୋଇଥିବା ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ସିଆର୍ପିଏଫ୍ର ୨୧୨ ବାଟାଲିୟନର ୯ ଜଣ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣ ପଛରେ ପିଏଲ୍ଜିଏର ୧ ନମ୍ବର ବାଟାଲିୟନ ଓ ନକ୍ସଲ କମାଣ୍ଡର ହିଡ୍ମାର ହାତ ରହିଥିବା ସୂଚନା ମିଳିଛି । ସହିଦଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କା ଅଛନ୍ତି । ମନୋରଞ୍ଜନଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସମଗ୍ର ବ୍ରହ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦମାନଙ୍କୁ ସଲାମ ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏଭଳି ଭିରୁ ଆକ୍ରମଣକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ସହିଦଙ୍କ ପରିବାର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାକୁ ଗଭୀର ଦୁଃଖଦାୟକ ବୋଲି ବର୍ଣ୍ଣନା କରିବା ସହ ସିଆର୍ପିଏଫ୍ ଡିଜିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୮ଟାରେ ସୁକ୍ମା ଜିଲ୍ଲାରେ ଜବାନ ଓମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ଶେଷ ହେଲା ପରେ ସିଆର୍ପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିଲା । ସିଆର୍ପିଏଫ୍ ପକ୍ଷରୁ ମଧ୍ୟାହ୍ନ ସାଢେ ୧୨ଟାରେ କିସ୍ତାରାମ-ପାଲୋଡି ରାସ୍ତାରେ ପାଟ୍ରୋଲିଂ କରାଯାଉଥିଲା । ଏହି ପାଟ୍ରୋଲିଂରେ ଯବାନମାନେ ଲ୍ୟାଣ୍ଡ ମାଇନ୍ ନିରୋଧ ଗାଡିରେ ଯାଉଥିଲେ । ହେଲେ ମାଓବାଦୀମାନେ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ ଘଟାଇଥିଲେ । ଘଟଣାସ୍ଥଳରେ ୯ ଯବାନ ସହିଦ ହୋଇଥିଲେ । ବିସ୍ଫୋରଣ ଏଭଳି ଶକ୍ତିଶାଳୀ ଥିଲା ଯେ ଯବାନମାନଙ୍କ ଗାଡି ଓ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଲ୍ୟାଣ୍ଡ ମାଇନ୍ ନିରୋଧୀ ଗାଡି ପ୍ରାୟ ୧୦ ଫୁଟ୍ ଉପରକୁ ଉଠିଯାଇ ଖଣ୍ଡବିଖଣ୍ଡିତ ହୋଇ ତଳେ ପଡିଥିଲା । ଏହି ବିସ୍ଫୋରଣ ଯୋଗୁଁ ଗାଡିରେ ଥିବା ସମସ୍ତେ ମୃତୁ୍ୟବରଣ କରିଥିବାବେଳେ କିଛି ଲୋକ ଛିଟିକି ପଡିଥିଲେ । ପ୍ରାୟ ୫୦ କି.ଗ୍ରା. ବିସ୍ଫୋରକ ସାମଗ୍ରୀ ଏହି ବିସ୍ଫୋରଣରେ ବ୍ୟବହାର କରାଯାଇଛି । କିସ୍ତୋରାମ-ପାଲୋଡି ନିର୍ମାଣାଧୀନ ରାସ୍ତାର ୫ କି.ମି. ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ନକ୍ସଲ ଅପରେସନ୍ର ସ୍ୱତନ୍ତ୍ର ଡିଜି ଡିଏମ୍ ଆଶ୍ୱସ୍ତି ମଧ୍ୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ପ୍ରାୟ ଶତାଧିକ ମାଓବାଦୀ ସେଠାରେ ରହି ଏହି କାଣ୍ଡ ଭିଆଇଥିଲେ । ଏହାପରେ ସେମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ତୁରନ୍ତ ସେଠାକୁ ହେଲିକପ୍ଟର ପଠାଯାଇଥିଲା ଓ ଆହତମାନଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିହ୍ନଟ ହୋଇଥିବା ସହିଦଙ୍କ ମଧ୍ୟରେ ଅଛନ୍ତି ଅଜୟ କୁମାର ଯାଦବ, ଜିତେନ୍ଦ୍ର ସିଂହ, ସବିତ୍ କୁମାର ଶର୍ମା, ମନୋଜ ସିଂହ, ଆର୍କେଏସ୍ ତୋମାର, ମନୋରଞ୍ଜନ ଲେଙ୍କା, ଧର୍ମେନ୍ଦ୍ର ସିଂହ, ଚନ୍ଦ୍ର ଏଚ୍ଏସ୍ ଓ ଲକ୍ଷ୍ମଣ ।
ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଦାୟିତ୍ୱ ନିର୍ବାହ ସମୟରେ ଯେଉଁ ଯବାନମାନେ ତାଙ୍କ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି ସେମାନେ ସର୍ବଦା ସ୍ମରଣୀୟ ହୋଇ ରହିବେ । ବସ୍ତର ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମରେ ମାଓବାଦୀମାନେ ଭୟଭୀତ ହୋଇପଡିଛନ୍ତି । ତେଣୁ ସେମାନେ ଏଭଳି ଭୀରୁ ଓ ଲଜ୍ଜାଜନକ ଆକ୍ରମଣ ଘଟାଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ସୁକ୍ମାର ଆଇଇଡି ବିସ୍ଫୋରଣ ବାସ୍ତବିକ୍ ଗଭୀର ଦୁଃଖଦାୟକ । ଯେଉଁ ସହିଦମାନେ ଦେଶ ପାଇଁ କାର୍ଯ୍ୟକରି ପ୍ରାଣବଳି ଦେଇଛନ୍ତି ମୁଁ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । ସିଆର୍ପିଏଫ୍ ଡିଜିଙ୍କ ସହ କଥା ହୋଇ ତୁରନ୍ତ ସେଠାକୁ ଯିବା ଲାଗି ନିଦେ୍ର୍ଦଶ ଦେଇଛି । କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ କେନ୍ଦ୍ର ସରକାର ପୁନର୍ବାର ମାଓ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି କୁହାଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ଏକ ବିବୃତିରେ କହିଛନ୍ତି ଯେ ଜାତୀୟ ସୁରକ୍ଷା ନୀତି ଏବେ ଲକ୍ଷ୍ୟହୀନ ହୋଇପଡିଛି । କେନ୍ଦ୍ର ସରକାର ମାଓବାଦକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନକ୍ସଲବାଦ୍ ଶେଷ ହୋଇଛି ବୋଲି କେନ୍ଦ୍ର ସରକାର କରୁଥିବା ଦାବି ଆଜିର ସୁକ୍ମା ଆକ୍ରମଣ ପରେ ଭୁଲ୍ ବୋଲି ପ୍ରମାଣିତ ହୋଇଛି । ଜାତୀୟ ସୁରକ୍ଷା ହେଉଛି ଏକ ଚିନ୍ତାଜନକ ବିଷୟ । ହେଲେ ମୋଦି ସରକାର ଲକ୍ଷ୍ୟହୀନ ଓ ଦାୟିତ୍ୱହୀନଭାବେ ଏଥିଲାଗି ନୀତି ନିର୍ଦ୍ଧାରଣ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ଆମେ କେବଳ ଏହିଭଳି ଅନେକ ଘଟଣା ଦେଖିଛୁ । ଗତ ୭ ବର୍ଷ ମଧ୍ୟରେ ସୁକ୍ମାର ବୁରାଖାଲ ଅଞ୍ଚଳରେ ୨୫ ଯବାନ ସହିଦ ହୋଇଥିବାବେଳେ ୬ ଆମ୍ବୁସ୍ ଆହତ ହୋଇଛନ୍ତି । ସିଆର୍ପିଏଫ୍ର ୭୪ ବାଟାଲିୟନ୍ର ଆମ୍ବୁସ୍ମାନେ ସେଠାରେ ନିର୍ମାଣାଧୀନ ରାସ୍ତା କାମର ତଦାରଖ କରୁଛନ୍ତି । ଗତବର୍ଷ ମାର୍ଚ୍ଚ ୧୧ରେ ଏହି ଜିଲ୍ଲାର ଭେଜି ଅଞ୍ଚଳରେ ୧୨ ସୁରକ୍ଷାକର୍ମୀ ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ ।




Powered by odothemes.com