12-3-2018=2

ବିଜୁ ଏକ୍ସପ୍ରେସ୍ ୱେ ଲୋକାର୍ପିତ

117

ଝାରସୁଗୁଡା, ୧୨ା୩(ଆପ୍ର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାଠାରେ ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପିତ କରିଛନ୍ତି । ଝାରସୁଗୁଡା ପଞ୍ଚପଡା ହାଇସ୍କୁଲ ପଡିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୬୩ କିମି ଦୀର୍ଘ ବିଜୁ ଏକ୍ସପ୍ରେସ ୱେକୁ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଲୋକାର୍ପଣ କରିଛନ୍ତି । ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨ଶହ କୋଟି ଟଙ୍କା ବ୍ୟୟ କରିଛନ୍ତି । ଚାରି ଲେନ୍ ରାସ୍ତା ବିଶିଷ୍ଟ ଏହି ମେଗା ପ୍ରକଳ୍ପ ପାଇଁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସୂଚନା ମୁତାବକ ଆଜି ଦିବା ୧୨.୧୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବଲପୁରରୁ ପଞ୍ଚପଡା ଅଭିମୁଖେ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ନୂତନ ଡାକ୍ତରଖାନା, ନୂତନ ବସ୍ଷ୍ଟାଣ୍ଡ ଆଦିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ସୁୂବର୍ଣ୍ଣଯୁଗ ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ହେଉଛି ବିଜୁ ଏକ୍ସପ୍ରେସ୍ ୱେର ମୂଳଲକ୍ଷ୍ୟ । ଏହାଦ୍ୱାରା ଆଉ ଜନସାଧାରଣଙ୍କୁ ଯାତାୟାତରେ ବିଶେଷ ଅସୁବିଧା ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହାଛଡା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ଝାରସୁଗୁଡା ବିଧାୟକ ନବ ଦାସ, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏ, ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷ ହରିଶ ଗଣତ୍ରା, ଜିଲ୍ଲା ପରିଷଦ ଚେୟାରମ୍ୟାନ ଲକ୍ଷ୍ମୀ ନାରାୟଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ବିରଷ୍ଠ ନେତା ମଙ୍ଗଳା କିଶାନ, ମୁଖ୍ୟଯନ୍ତ୍ରୀ ନଳୀନି କାନ୍ତ ପ୍ରଧାନ, ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏସ୍ପି ଆର ପ୍ରକାଶଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଗଣ୍ଡଗୋଳକୁ ଏଡ଼ାଇବା ପାଇଁ ଝାରସୁଗୁଡ଼ାର ବଡ଼ମାଳ ଥାନା ପକ୍ଷରୁ ବିଜେପିର ୨୦ ଜଣ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା ।




Powered by odothemes.com