pipil-filgree

ମୁଖ୍ୟ ଆକର୍ଷଣ ୭୦ଫୁଟ୍ର ଚାନ୍ଦୁଆ ଦୋଳମଣ୍ଡପ

540

ପିପିଲି ଚାନ୍ଦୁଆରେ ଝଲସିଲା ଦିଲ୍ଲୀ ଓଡ଼ିଶା ପର୍ବ
ପିପିଲି (ଆପ୍ର୍ର): ଓଡ଼ିଆ ସମାଜ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ପାଶ୍ୱର୍ରେ ଚାଲିଥିବା ୩ଦିନିଆ ଓଡ଼ିଶା ପର୍ବ-୨୦୧୮ର ମୁଖ୍ୟ ଆକର୍ଷଣ ପାଲଟିଛି ପିପିଲିର ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ କାରିଗରୀ । ପ୍ରବେଶ ପଥରେ ନିର୍ମିତ ୭୦ଫୁଟ୍ ଉଚ୍ଚର ବିଶାଳ ଚାନ୍ଦୁଆ ଦୋଳମଣ୍ଡପ ଦେଶବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦିଲ୍ଲୀର ଓଡ଼ିଶା ପର୍ବ ପାଭିଲିୟାନ ଝଲସୁଛି ପିପିଲି ଚାନ୍ଦୁଆରେ । ରଙ୍ଗ ବେରଙ୍ଗର ଚାନ୍ଦୁଆ କପଡ଼ାରେ ନିର୍ମିତ ୪୫ଫୁଟ ଦୈର୍ଘ୍ୟ, ୪୫ଫୁଟ୍ ପ୍ରସ୍ତ ଓ ୭୦ଫୁଟ ଉଚ୍ଚତାର ଦୋଳମଣ୍ଡପ ଆକୃତିର ପ୍ରବେଶ ତୋରଣ ଏହାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଏହାର କାରୁକାର୍ଯ୍ୟକୁ ଦେଖି ଦର୍ଶକ ବିମୋହିତ ହେଉଛନ୍ତି । ଯେଉଁଥି ପାଇଁ ସଞ୍ଜ ନଇଁବା ମାତ୍ରେ ଓଡ଼ିଶା ପର୍ବରେ ଲାଗୁଛି ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାର ଚାନ୍ଦୁଆରେ ଝଲସୁଥିବା ମେଳା ପଡ଼ିଆକୁ ଦେଖି ଦର୍ଶକ ବିମୋହିତ ହେବା ସହ ଚାନ୍ଦୁଆ କାରିଗରୀକୁ ଭୁରି ପ୍ରଶଂସା କରୁଛନ୍ତିି । ୭୦ଫୁଟ୍ ଉଚ୍ଚତାର ଚାନ୍ଦୁଆରେ ନିର୍ମିତ ବୃହତକାୟ ଦୋଳମଣ୍ଡପ ନିକଟରେ ବିଶେଷ କରି ଭିଡ଼ ପରିଲକ୍ଷିତ ହେଉଛି । ଏହି ମେଳା ପଡ଼ିଆର ଚାରିପାଖରେ ଝୁଲୁଛି ୫ହଜାର ଚାନ୍ଦୁଆ ଲ୍ୟାମ୍ପସେଟ । ମେଳାମଞ୍ଚରେ ଶୋଭା ପାଉଛି ପିପିଲିର ପାରମ୍ପରିକ ଚାନ୍ଦୁଆ ଆଲଟ, ଛତ୍ରୀ ଓ ଝାଲର । ପଡ଼ିଆ ମଧ୍ୟରେ ଲାଗିଛି ୧୦୦ଟି ଚାନ୍ଦୁଆ ଛତା, ୪୫ଟି ଚାନ୍ଦୁଆ ତ୍ରାସ ଓ ୫୫ଟି ଚାନ୍ଦୁଆ ଛତି । ସବୁଠାରୁ ବଡ଼କଥା ହେଉଛି ଏହି ସବୁ ଚାନ୍ଦୁଆକୁ ପ୍ରସ୍ତୁତ କରିବାକୁ ପିପିଲିର ଯୁବ ଚାନ୍ଦୁଆ ବ୍ୟବସାୟୀ ତଥା ଆପ୍ଲିକ ଇଣ୍ଟରନାସନାଲ୍ର ମାଲିକ ସୁରେଶ କୁମାର ମହାପାତ୍ରଙ୍କୁ ମାତ୍ର ୧୦ଦିନ ସମୟ ଲାଗିଥିଲା । ୧୨ଟି ରଙ୍ଗର ୧୨ହଜାରରୁ ଊଦ୍ଧ୍ୱର୍ ମିଟର କପଡ଼ା ଏଥିରେ ବ୍ୟବହାର ହୋଇଛି । ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ମହିଳା ଚାନ୍ଦୁଆ କାରିଗର ରୀନା ସେନାପତିଙ୍କ ନେତୃତ୍ୱରେ ଏସବୁକୁ ୬୮ଜଣ ପୁରୁଷ ଓ ୨୧ଜଣ ମହିଳା କାରିଗର ପ୍ରସ୍ତୁତ କରିଥିବା ଜଣାଯାଇଛି । ଏତେ କମ୍ ସମୟ ମଧ୍ୟରେ ଓ ପାରମ୍ପରିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯିବା ନିଶ୍ଚତ ରୂପେ ଏକ ପ୍ରକାର ରେକର୍ଡ । ସମସ୍ତ କାରିଗର ଭାଇ, ଭଉଣୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହେଲା ବୋଲି ସୁରେଶ କହିବା ସହ ଏଭଳି ଏକ ବୃହତ ମେଳାରେ ପିପିଲିର ଚାନ୍ଦୁଆ କଳାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇ ନିଜକୁ ସେ ଧନ୍ୟ ମନେ କରୁଛନ୍ତି । ଆଗାମୀ ଦିନରେ ସୁଯୋଗ ମିଳିଲେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ଚାନ୍ଦୁଆରେ ପ୍ରଦର୍ଶନ କରିବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । ତେବେ ପିପିଲିର ଚାନ୍ଦୁଆ କାରିଗରୀକୁ ଦିଲ୍ଲୀର ଓଡିଶା ପର୍ବରେ ପ୍ରଦର୍ଶନ କରି ପିପିଲି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବାରୁ ସୁରେଶଙ୍କୁ ଏଥିପାଇଁ ଆସନ୍ତା ଅପ୍ରେଲ ମାସରେ ହେବାକୁ ଥିବା ୧୯ତମ ପିପିଲି ମହୋସôବରେ ପିପିଲି ଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି ମହୋସôବ କମିଟି ପକ୍ଷରୁ ଘୋଷଣା କରାଯାଇଛି ।




Powered by odothemes.com