_dsc0058tps

ଆଗକୁ ଭୟଙ୍କର ରୂପ ନେବା ଆଶଙ୍କା

81

ଯାଜପୁରରେ ଉକ୍ରଟ ହେଉଛି ଜଳସଙ୍କଟ
ଯାଜପୁର (ଆପ୍ର): ଯାଜପୁର ଜିଲ୍ଲାରେ ଉକ୍ରଟ ହେଉଛି ଜଳସଙ୍କଟ । ଆଗକୁ ଭୟାଭୟ ରୂପ ନେବ ଏହା ସ୍ପଷ୍ଟ ବାରୀ ହୋଇପଡ଼ୁଛି । ଗ୍ରୀଷ୍ମଋତୁ ଆସିବାର ମାସକ ପୂର୍ବରୁ ଯାଜପୁର ଜିଲ୍ଲାର ବହୁ କୁଅ, ପୋଖରୀ ଏବଂ ନଳକୂପ ଗୁଡିକ ଶୁଖି ଯାଇଥିବା ଦେଖିବାକୁ ମିଳୁଛି । କେବଳ ଦଶରଥପୁର ଓ ବିଂଝାରପୁର ବ୍ଲକର ସାଲାଇନ ବେଲ୍ଟ ହୋଇଥିବା କିଛି ଅଞ୍ଚଳର ଗଭୀରତମ ନଳକୂପ ବ୍ୟତିତ ଜିଲ୍ଲାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଉଭୟ ସରକାରୀ ଓ ବେସରକାରୀ ନଳକୂପ ଗୁଡିକରୁ ଆଉ ପାଣି ବାହାରୁ ନାହିଁ । ସରକାରଙ୍କ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ(ଆର୍ଡବ୍ଲୁ୍ୟଏସ୍ଏସ୍) ପକ୍ଷରୁ ୨ଟି ପୌରାଞ୍ଚଳକୁ ଛାଡି ୧୦ଟି ଯାକ ବ୍ଲକ ଅଞ୍ଚଳରେ ସ୍ୱଜଳଧାରା ଯୋଜନାରେ କିଛି ବର୍ଷ ପୂର୍ବରୁ କରାଯାଇଥିବା ୨୫୪ଟି ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ସଂପୂର୍ଣ୍ଣ ଦିଗହରା ହୋଇପଡିଛି । ସରକାରୀ ଭାବେ ୮ଟି ପ୍ରକଳ୍ପ ଅଚଳ ହୋଇଯାଇଥିବାର କୁହାଯାଉଥିବା ବେଳେ ବାସ୍ତବପକ୍ଷେ କିନ୍ତୁ ୩୦ରୁ ଅଧିକ ପ୍ରକଳ୍ପ କାମ କରୁନି । ଅବଶିଷ୍ଟ ପ୍ରକଳ୍ପରୁ ଶେଷ ମୁଣ୍ଡରେ ଥିବା ଲୋକମାନେ ପାଣି ଟୋପାଏ ପାଇପାରୁ ନାହାନ୍ତି । ଗାଁରେ ଲମ୍ବିଥିବା ପାଇପ୍ରୁ ଯିଏ ଯେଉଁଠି ପାଇଲା ଘରକୁ ସଂଯୋଗ ନେଇ ମଟର ଯୋଗେ ପାଣି ଟାଣିନେବା ଯୋଗୁ ଅନେକ ଲୋକ ଏବଂ ଷ୍ଟାଣ୍ଡ ପଏଣ୍ଟ ଗୁଡିକ ଉପରେ ନିର୍ଭର କରୁଥିବା ଜନତା ଜଳକଷ୍ଟ ଭୋଗୁଛନ୍ତି । ଆରଡବ୍ଲୁ୍ୟଏସ୍ଏସ୍ ହାତରୁ ଯାଇ ଏହି ପାନୀୟଜଳ ପ୍ରକଳ୍ପ ଗୁଡିକର ପରିଚାଳନା ପଞ୍ଚାୟତ ପ୍ରଶାସନ ହାତରେ ରହିବା ଦିନ ଠାରୁ ଉକ୍ତ ପ୍ରକଳ୍ପ ଗୁଡିକର ମୁରବୀ କେହି ଥିଲା ଭଳି ଜଣାପଡେନି । ଏଣେ ପାଇପ୍ ଜଳ ଯୋଗାଣ ରହିଥିବା ଗ୍ରାମାଞ୍ଚଳରେ ଆଉ ନୂଆ ନଳକୂପ ଖନନ କରାଯାଉନାହିଁ ।
ଯାଜପୁର ଜିଲ୍ଲାରେ ଆରଡବ୍ଲୁ୍ୟଏସ୍ଏସ୍ ପକ୍ଷରୁ ଗତ ଆର୍ଥିକ ବର୍ଷରେ ୧୬,୧୬୩ଟି ନଳକୂପ ଖନନ କରାଯାଇଥିବା ବେଳେ ୨୦୧୬-୧୭ ରେ ଆଉ ୧୧୫୦ଟି ନୂଆ ନଳକୂପ ସ୍ଥାପନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ବିଂଝାରପୁର ଓ ଦଶରଥପୁରର କିଛି ସାଲାଇନ ଅଞ୍ଚଳକୁ ଛାଡିଦେଲେ ସେହି ବ୍ଲକ ଗୁଡିକର ଅବଶିଷ୍ଟ ଭାଗ ଏବଂ ବରୀ, ରସୁଲପୁର, ଯାଜପୁର ଅଞ୍ଚଳରେ ୪୫ ରୁ ୬୦ ମିଟର ମଧ୍ୟରେ ପାଣି ରହିଥିବା ହେତୁ ସେତିକି ଗଭୀର ଯାଏ ନଳକୂପ ଖୋଳା ଯାଇଥାଏ । ସେହିଭଳି ବଡଚଣା, ଧର୍ମଶାଳା, ସୁକିନ୍ଦା ଓ ଦାନଗଦୀର କିଛି ଅଂଶକୁ ଛାଡିଦେଲେ ଅନ୍ୟ ସବୁ ଅଞ୍ଚଳରେ ୬୦ ଫୁଟ୍ ମଧ୍ୟରେ ରହିଥିବା ଜଳସ୍ତର ମୁତାବକରୁ ସେଠାରେ ନଳକୂପ ଖନନ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ହେଲା ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ଗତ ମାସେ ପୂର୍ବରୁ ଜଳସ୍ତର ଉଭାନ ହୋଇଯାଇଥିବାରୁ ଲୋକେ ନାହିଁନଥିବା ଜଳକଷ୍ଟ ଭୋଗୁଛନ୍ତି । ଅଧିକାଂଶ ନଦୀନାଳଗୁଡିକ ମଧ୍ୟ ମାର୍ଚ୍ଚ ମାସ ପୂର୍ବରୁ ଶୁଖି ଗଲାଣି । ଜିଲ୍ଲାର ବଡଚଣା, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ରହିଥିବା କିଛି ଝରଣା ମଧ୍ୟରୁ ଅନେକରେ ପାଣି ଆସୁନଥିବା ବେଳେ ଆଉ କେତେକ ଝରଣାରୁ ବୁନ୍ଦାଏ ବି ଜଳ ଝରୁନାହିଁ । କିନ୍ତୁ ଜଳ ସମସ୍ୟାକୁ ପ୍ରଶାସନ ସ୍ୱୀକାର କରୁନଥିବା ଅଭିଯୋଗ ହେଉଛି । ନଳକୂପ ଗୁଡିକ ମରାମତି ପାଇଁ ଆରଡବ୍ଲୁ୍ୟଏସ୍ଏସ୍ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଇ ଦେଉଥିଲେ ହେଁ ତାହା ବିଶେଷ ଭାବେ କାମରେ ଆସୁନାହିଁ । ଏହାର ସୁଯୋଗ କିଛି ଅସାଧୁ କର୍ମଚାରୀ ନେଉଥିବା ଦେଖାଯାଉଛି । ଅନ୍ୟପକ୍ଷରେ ଉଭୟ ଗଭୀର ଓ ଅଗଭୀର ନଳକୂପ ଗୁଡିକର ଏବଂ ସ୍ୱଜଳଧାରା ପ୍ରକଳ୍ପର ଉପଯୁକ୍ତ ପରିଚାଳନା କରାଗଲେ ଜଳକଷ୍ଟ ଏତେ ଗୁରୁତର ହେବ ନାହିଁ ବୋଲି ଆରଡବ୍ଲୁ୍ୟଏସଏସର ନିର୍ବାହୀଯନ୍ତ୍ରୀ କୁହନ୍ତି । ନିର୍ବାହୀଯନ୍ତ୍ରୀଙ୍କ କହିବା କଥା ହେଲା ରାଇଜର ପାଇପ୍କୁ ସଂପ୍ରସାରଣ କରି ୬ ରୁ ୮ ପିସ୍ ମେଣ୍ଟେନ କଲେ ଜଳସ୍ତର କମିଯିବା ସମସ୍ୟାର ସମାଧାନ ହୋଇପାରନ୍ତା । ଏ ଦିଗରେ ପ୍ରତ୍ୟେକ କର୍ମଚାରୀ ସଜାଗ ରହିବା ଉଚିତ୍ । ତେବେ ଜଳକଷ୍ଟ ଦୂର ପାଇଁ ଅଧିକ ପାଣି ଟ୍ୟାଙ୍କରର ଆବଶ୍ୟକତାକୁ ସ୍ୱୀକାର କରି ଏ ଦିଗରେ ଉଚ୍ଚକର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସେହିଭଳି ୨ଟି ଯାକ ପୌରାଞ୍ଚଳ ମଧ୍ୟରୁ ବ୍ୟାସନଗରରେ ଜଳକଷ୍ଟ ଯାଜପୁର ଠାରୁ ଅଧିକ ରହିଛି ବୋଲି ଜଣାଯାଏ । ଯାଜପୁରସ୍ଥିତ ପିଏଚ୍ଡି ସବ୍ଡିଭିଜନ ଏହି ୨ପୌରାଞ୍ଚଳରେ ଥିବା ୪ଟି ସେକ୍ସନ ଅନ୍ତର୍ଗତ ସମସ୍ତ ପମ୍ପହାଉସ ଠିକ୍ ନାହିଁ ବୋଲି ସୂଚନା ମିଳେ । ଯାଜପୁର ସହରରେ ରହିଥିବା ୯ଟି ପମ୍ପହାଉସରୁ ସକାଳ ୫ଟା ରୁ ୯ଟା ଏବଂ ଅପରାହ୍ନ ୧ଟା ରୁ ସଂଧ୍ୟା ୫ଟା ଯାଏ ୧୨୦୦ ଘରୋଇ ସଂଯୋଗକାରୀ ଓ ୨୦୮ ଷ୍ଟାଣ୍ଡ ପୋଷ୍ଟକୁ ପାନୀୟଜଳ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ସବୁ ଅଞ୍ଚଳକୁ ଉପରୋକ୍ତ ସମୟ ମଧ୍ୟରେ ପାଣି ଆସୁନାହିଁ । କେଉଁଠି ଘଣ୍ଟାଏ ବିଳମ୍ବରେ ଆସୁଛି ତ ଆଉ କେଉଁଠି ଘଣ୍ଟାଏ ପୂର୍ବରୁ ଜଳ ଯୋଗାଣ ବନ୍ଦ ହୋଇଯାଉଛି । ଏ ସହରରେ ୧୯୬ଟି ନଳକୂପ ମଧ୍ୟ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଛି । ସବୁ ନଳକୂପ ଚାଲୁଥିବା ଅଧିକାରୀମାନେ କହୁଥିଲେ ଏ ସହରରେ ମଧ୍ୟ ଭୂତଳ ଜଳସ୍ତର କମିଯିବା ଜନିତ କାରଣରୁ ଅର୍ଦ୍ଧାଧିକ ନଳକୂପରେ ପାଣି ଆସୁନାହିଁ । ଏନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯିବାକୁ ଏବଂ ପାନୀୟଜଳ ଯୋଗାଣ ନେଇ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯିବା ଉପରେ ପ୍ରଶାସନ ଓ ଜନପ୍ରତିନିଧି ମାନେ ଗୁରୁତ୍ୱାରୋପ କରିବେ ବୋଲି ଆଶା କରାଯାଏ ।




Powered by odothemes.com