TIHIDI

ଦୋଛକିରେ ଜାମୁଝାଡ଼ି-ଧାମରା ଚାରିଲେନ ରାସ୍ତା

40

ତିହିଡ଼ି (ଆପ୍ର): ପୂର୍ବରୁ ଥିବା ୫ନଂ ଜାତୀୟ ରାଜପଥ ତଥା ବର୍ତ୍ତମାନର ୧୬ନଂ ରାଜପଥ ଜାମୁଝାଡି ଛକରୁ ଧାମରା ବନ୍ଦର ପର୍ଯ୍ୟନ୍ତ ଚାରିଲେନ ବିଶିଷ୍ଟ ନୂଆ ରାଜପଥ ନିର୍ମାଣ ହେବ । ହେଲେ ଏହି ରାଜପଥ ଏବେ ଦୋ’ଛକିରେ ପଡିଯାଇଛି । ଚାରିଲେନ ବିଶିଷ୍ଟ ନୂଆ ରାସ୍ତାକୁ ଜାତୀୟ ରାଜପଥ ମାନ୍ୟତା ମିଳିସାରିଛି । ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ରାଜପଥ ପ୍ରାଧୀକରଣ ସଂସ୍ଥା ଦୁଇଟି ପର୍ଯ୍ୟାୟରେ ୬୨ କିଲୋମିଟର ରାସ୍ତାକୁ ଦୁଇଟି ଟେଣ୍ଡର କରିଛନ୍ତି । ଜାମୁଝାଡି ଛକରୁ ୩୦ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ଟେଣ୍ଡର କରାଯାଇଥିଲା ବେଳେ ୩୦କିଲୋମିଟରରୁ ପୁଣି ଧାମରା ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ବାକି ୩୧.୬୬୦ କିଲୋମିଟର ରାସ୍ତାକୁ ଦ୍ୱିତୀୟ ଟେଣ୍ଡର କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ୬୧.୬୬୦ ଓ ସାଇଟ୍ ରାସ୍ତାକୁ ମିଶାଇ ମୋଟ୍ ୬୨ କିଲୋମିଟର ରାସ୍ତାକୁ ୬୭୨ କୋଟି ୪୮ଲକ୍ଷ ଟଙ୍କାରେ ଦୁଇଟି ଟେଣ୍ଡର ଜାତୀୟ ରାଜପଥ ପ୍ରାଧୀକରଣ ସଂସ୍ଥା ଡାକିଛି । ଜାତୀୟ ରାଜପଥ (ଏନ୍ଏଚ୍ଆଇ) ଏହି ଟେଣ୍ଡର ଡାକିବା ପରେ ୩୧ ମାସ ମଧ୍ୟରେ ୬୨ କିଲୋମିଟର ରାସ୍ତା ଜମି ଅଧିଗ୍ରହଣ ଓ ରାସ୍ତା ନିର୍ମାଣ ଶେଷ କରିବାକୁ ସମୟ ଧାର୍ଯ୍ୟ କରିଛି । ଏପରିକି ଏହି ଟେଣ୍ଡର ହୋଇଯିବା ପରେ ଭଦ୍ରକ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ କ୍ରମେ ଜମି ଅଧିଗ୍ରହଣ ପାଇଁ ଜଣେ ଭୂ-ଅର୍ଜନ ଅଧିକାରଙ୍କୁ ନିଯୁକ୍ତ ମଧ୍ୟ କରାଯାଇ ସାରିଲେଣି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ୨୧୦କୋଟି ଟଙ୍କାର ଆଉ ଏକ ଟେଣ୍ଡର ଡାକିଛି । ଦୁଇଟି ଯାକ ଟେଣ୍ଡର ଡକାଯିବା ପରେ ମଧ୍ୟ କେଉଁ ଗୋଟିଏ ଟେଣ୍ଡରର କାମ ଆରମ୍ଭ ହୋଇପାରୁ ନାହିଁ । କାରଣ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ଏହି ରାସ୍ତା କରିବ ନା ଜାତୀୟ ରାଜପଥ ପ୍ରାଧୀକରଣ ସଂସ୍ଥା ଏହି ରାସ୍ତା ନିର୍ମାଣ କରିବ ତାହା ଫାଇନାଲ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ରାସ୍ତା ନିର୍ମାଣ ଟେଣ୍ଡର ହୋଇଯିବା ପରେ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ୬୨ କିଲୋମିଟର ରାସ୍ତା କଡରେ ଥିବା ବେସରକାରୀ ଜମି ମାଲିକ ଏବେ ପ୍ଲଟିଂ କରିବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଏହି ରାସ୍ତା ପାଶ୍ୱର୍ ଜମି ଚଢା ଦାମରେ ବିକ୍ରି କରିବାକୁ ପ୍ଲଟିଂ ଆରମ୍ଭ ହୋଇଥିଲା ବେଳେ ସରକାରୀ ଜମିକୁ ଜବରଦଖଲ କରିଥିବା ଲୋକେ ଆତଙ୍କିତ ହୋଇଛନ୍ତି । ଏମାନଙ୍କୁ ମାର୍ଚ୍ଚ ଶେଷ ସୁଦ୍ଧା ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ । ଯେମିତି ହେଉ ଏପ୍ରିଲ ପ୍ରଥମ ସପ୍ତାହରେ ନୂଆ ଏହି ରାଜପଥ ନିର୍ମାଣ ଆରମ୍ଭ ହେବ । ରାଜ୍ୟ ହେଉକି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧୀକରଣ ସଂସ୍ଥା ହେଉ ଧାମରା ବନ୍ଦରକୁ ଚାରିଲେନ୍ ବିଶିଷ୍ଟ ସଡକ ପଥ ନିର୍ମାଣ ପାଇଁ ବରାଦ ହୋଇଥିବା ଅର୍ଥ ଖର୍ଚ୍ଚ କରିବାକୁ ଆରମ୍ଭ କରିବେ । ବିଶେଷ କରି ଜାମୁଝାଡି, ବେତଡା, ନରସିଂହପୁର ଛକ, ବାଲିମୁଣ୍ଡା ଛକ, ବିଦେଇପୁର, କରଞ୍ଜମାଳ, କଇଥଖୋଲା ବଜାର ଆଦି ବହୁ ସ୍ଥାନରେ ଜବରଦଖଲ କରିଥିବା ସରକାରୀ ଜମି ଉଚ୍ଛେଦ ସହିତ ବେସରକାରୀ ଜମି କିଣିବାକୁ ଭୂ-ଅର୍ଜନ ଅଧିକାରୀ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡିଛି ।




Powered by odothemes.com