ଦାରୁ ଖୋଜା ପ୍ରାପ୍ୟ ଦୁଇଗୁଣ

ପୁରୀ,୨୪ା୫(ଆ.ପ୍ର): ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଦାରୁ ଅନ୍ୱେଷଣରେ ଯାଇଥିବା ବନଯାଗ ଦଳର ସେବାୟତମାନଙ୍କୁ ୧୯୯୬ ନବକଳେବର ତୁଳନାରେ ଏଥର ଦୁଇଗୁଣ ପ୍ରାପ୍ୟ ମିଳିବ । ତେବେ ୧୯୯୬ରେ ଏଥିପାଇଁ ସେବାୟତଙ୍କୁ ପ୍ରାପ୍ୟ ଆକାରରେ କ’ଣ ମିଳିଥିଲା ଓ ଏବର୍ଷ କେତେ ମିଳିବ ସେ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ଦେଇନାହାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଯେଉଁ ଯେଉଁ ସ୍ଥାନରୁ ବ୍ରହ୍ମଦାରୁ ଅଣାଗଲା ସେସବୁ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଶ୍ରୀମନ୍ଦିର ପାଣ୍ଠିରୁ ଦିଆଯିବ । ତେବେ ଜଗତ୍ସିଂହପୁର ଜିଲ୍ଲା ଖରିପଡ଼ିଆରୁ ପ୍ରାପ୍ତ ଶ୍ରୀଜଗନ୍ନାଥଙ୍କ ଦାରୁ ପାଇଁ ଜମି ମାଲିକଙ୍କୁ ୩ ଲକ୍ଷ ଟଙ୍କା ଦିଆଯିବ । ଅନ୍ୟାନ୍ୟ ଦାରୁ ଯେଉଁ ଯେଉଁ ସ୍ଥାନରୁ ପ୍ରାପ୍ତ ହେଲେ ସେଗୁଡ଼ିକ ସରକାରୀ ଜାଗା ହୋଇଥିବାରୁ ସେଥିପାଇଁ ଜମି ମାଲିକଙ୍କୁ କୌଣସି ପ୍ରାପ୍ୟ ଦିଆଯିବାର ଅବକାଶ ନାହିଁ । ଗଡ଼କଣ୍ଟୁଣିଆରୁ ପ୍ରାପ୍ତ ସୁଦର୍ଶନଙ୍କ ଦାରୁ ବାବଦରେ ଗୋଟଇଏ ରଥଚକ ଦିଆଯିବାର ବ୍ୟବସ୍ଥା ରହିଛି । ଶାରଳା ପୀଠରୁ ପ୍ରାପ୍ତ ଶ୍ରୀବଳଭଦ୍ରଙ୍କ ଦାରୁ, ଅଢ଼ଙ୍ଗଗଡ଼ରୁ ପ୍ରାପ୍ତ ଦେବୀ ସୁଭଦ୍ରାଙ୍କ ଦାରୁ ପାଇଁ ସମ୍ପୃକ୍ତ ସ୍ଥାନରେ ମନ୍ଦିର ନିର୍ମାଣ ସକାଶେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।