sangma

ମେଘାଳୟରେ ସରକାର ଗଠନ ଲାଗି ଏନ୍ପିପିର ଦାବି

47

ନୂଆଦିଲ୍ଲୀ, ୪ା୩: ମେଘାଳୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଲାଗି ସ୍ୱର୍ଗତଃ ପିଏ ସାଙ୍ଗ୍ମାଙ୍କ ପୁଅ କନ୍ରାଡ୍ ସାଙ୍ଗ୍ମା ଏବେ ପ୍ରମୁଖ ଦାବିଦାର ହୋଇଛନ୍ତି । ନ୍ୟାସ୍ନାଲ୍ ପିପୁଲ୍ସ ପାର୍ଟି (ଏନ୍ପିପି)ର ନେତା ଶ୍ରୀ ସାଙ୍ଗ୍ମା ଆଜି ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସାକ୍ଷାତ କରି ପରବର୍ତ୍ତୀ ସରକାର ତାଙ୍କୁ ଗଠନ କରିବା ଲାଗି ସୁଯୋଗ ଦେବା ପାଇଁ ଦାବି କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ତାଙ୍କ ସପକ୍ଷରେ ୩୪ ବିଧାୟକଙ୍କ ସମର୍ଥନ ରହିଛି । ସୂଚନା ଅନୁଯାୟୀ, ଆସନ୍ତା ୬ ତାରିଖ ଦିନ ସେ ଶପଥଗ୍ରହଣ କରିବେ ।ଏନ୍ପିପି ସହ ୟୁଡିପି, ବିଜେପି, ଏଚ୍ଏସ୍ପିଡିପି ଓ ପିଡିଏଫ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଏନ୍ପିପିର ୧୯ ବିଧାୟକ ଥିବାବେଳେ ବିଜେପିର ୨, ୟୁଡିପିର ୬, ଏଚ୍ଏସ୍ପିଡିପିର ୨, ପିଡିଏଫ୍ର ୪ ଓ ଜଣେ ସ୍ୱାଧୀନ ବିଧାୟକ ଏହି ମେଣ୍ଟକୁ ସମର୍ଥନ କରୁଛନ୍ତି । ସେମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ସାଙ୍ଗ୍ମା କହିଛନ୍ତି ଯେ ମିଳିତ ମନ୍ତ୍ରିମଣ୍ଡଳ ଚଳାଇବା ସହଜ କଥା ନୁହେଁ । ମାତ୍ର ସେ ଆଶ୍ୱସ୍ତ ଯେ ଯେଉଁ ବିଧାୟକମାନେ ତାଙ୍କୁ ସମର୍ଥନ କରୁଛନ୍ତି, ସେମାନେ ରାଜ୍ୟର ସ୍ୱାର୍ଥ ଓ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ । ରାଜ୍ୟର ବିକାଶ ପାଇଁ କାମ କରାଯିବ । ଆଗାମୀ ଦୁଇ ତିନି ଦିନ ହେଉଛି ଅତ୍ୟନ୍ତ କଠିନ ସମୟ । ବିଧାନସଭାର ସମୟସୀମା ୭ ତାରିଖରେ ସରିବ । ଏହା ପୂର୍ବରୁ ସବୁକିଛି ସ୍ପଷ୍ଟ ହୋଇଯିବ । ବିଜେପି ବିଧାୟକ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ କନ୍ରାଡ୍ ହେଉଛନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । କୌଣସି ଉପମୁଖ୍ୟମନ୍ତ୍ରୀ ପଦବୀ ରହିବନାହିଁ ।
ତେବେ ଏହି ମେଣ୍ଟ ରାଜ୍ୟପାଳ ଶ୍ରୀ ପ୍ରସାଦଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ମଧ୍ୟ ମେଘାଳୟ ବିଧାନସଭାର ସର୍ବବୃହତ ଦଳଭାବେ ସରକାର ଗଠନ କରିବାକୁ ଦାବି ଜଣାଇଛି । ସେମାନେ ମୁକୁଲ ସାଙ୍ଗ୍ମାଙ୍କୁ ତାଙ୍କର ନେତା ବୋଲି ସ୍ୱୀକାର କରିଛନ୍ତି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜ୍ କହିଛନ୍ତି ଯେ ଏଠାରେ ଆମେ ନିର୍ଣ୍ଣାୟକ ଭୂମିକାରେ ନାହୁଁ । ହେଲେ ଅଣକଂଗ୍ରେସ ସରକାର ଗଠନ ଲାଗି ଆମେ ଆଞ୍ଚଳିକ ଦଳଗୁଡିକୁ ସମର୍ଥନ ଦେଉଛୁ । ଅଣକଂଗ୍ରେସ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏନ୍ପିପି ସରକାର କରୁ ବୋଲି ଆମେ ସମର୍ଥନ କରୁଛୁ ।
ସୂଚନାଯୋଗ୍ୟ, ଗତକାଲି ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ କଂଗ୍ରେସ ୨୧ ଆସନ ପାଇ ସର୍ବବୃହତ ଦଳଭାବେ ଉଭା ହୋଇଥିଲାବେଳେ ଏନ୍ପିପି ୧୯ ଆସନ ପାଇଛି । ଏନ୍ପିପି ପକ୍ଷରୁ ଅଣକଂଗ୍ରେସ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେଆର କରନ୍ତୁ:



Powered by odothemes.com