WATER-TANK-HARIPUR---2018-PHOTO-TIHIDI

ତିହିଡ଼ି ବଜାରରେ ପାଇପ୍ ପାଣି ବନ୍ଦ

125

୭ ପାନୀୟଜଳ ପ୍ରକଳ୍ପ ଅଚଳ
ତିହିଡ଼ି, ୨୪ା୨(ଆପ୍ର): ତିହିଡି ବ୍ଲକ୍ରେ ବିଭିନ୍ନ ଗାଁ ଗଣ୍ଡାରେ ଥିବା ୨ ହଜାରରୁ ଅଧିକ ନଳକୂପ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସରକାରୀ ନଳକୂପ ଗୁଡିକରୁ ଅଧିକାଂଶ ଅଚଳ ହେବାକୁ ବସିଲାଣି । ଏଗୁଡିକୁ ମରାମତି କରିବା ପାଇଁ ଅର୍ଥ ବାଧକ ସାଜିଛି । ତିହିଡି ବ୍ଲକ୍ର ନଳକୂପ ଓ ପାଇପ୍ ପାଣି ପ୍ରକଳ୍ପ ସଜାଡିବା ପାଇଁ ଗତ ୪ ବର୍ଷ ମଧ୍ୟରେ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ଲକକୁ ଆସିଥିଲେ ମଧ୍ୟ ଏହାର ହିସାବ ଖୋଦ୍ ନଳକୂପ ଡିପାର୍ଟମେଣ୍ଟ ଖୋଜିଲେ ବି ପାଇଲେ ନାହିଁ । ଅନ୍ୟପକ୍ଷରେ ତିହିଡି ବ୍ଲକର ୩୧ଟି ପଞ୍ଚାୟତରେ ଥିବା ୪୧ଟି ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ୩ଟି ଅଧା ସଚଳ ଅବସ୍ଥାରେ କାର୍ଯ୍ୟ କରୁଛି । କେତେକ ପାନୀୟ ଜଳ ପ୍ରକଳ୍ପ ନାମକୁମାତ୍ର ଚାଲିଛି ଯାହାକି ପାଇପ ପାଣି ଲୋକେ ପାଇବା ଆଗରୁ ଡ୍ରେନରେ ଓ ବିଲବାଡିରେ ନିଷ୍କାସିତ ହେଉଛି । ମିଳିଥିବା ତଥ୍ୟ ଅନୁଯାୟୀ ରାଜନଗର ପଞ୍ଚାୟତରେ ଥିବା ଖଡିଜାଆଁଣ ପାନୀୟଜଳ ପ୍ରକଳ୍ପ, ଜାମଯୋଡି ପଞ୍ଚାୟତରେ ଥିବା ନୂଆସାହି, ବାହାବଳପୁର ପଞ୍ଚାୟତରେ, ଅଚକ ଆଦି ୪ଟି ପାନୀୟଜଳ ପ୍ରକଳ୍ପ କେବଳ ବିଦୁ୍ୟତ ଟ୍ରାନ୍ସଫର୍ମର ପୋଡି ଯିବାରୁ ଅଚଳ ହୋଇ ପଡିଛି । ସେହିପରି ସାହାପୁର ପଞ୍ଚାୟତର କଣ୍ଡରାଗଢିଆ, ମହରମପୁର ପଞ୍ଚାୟତର ସାଠିବାଟି ପାନୀୟଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇଛି । ଏହି ପ୍ରକଳ୍ପକୁ ୩ ଫେଜ ବିଦୁ୍ୟତ କନେକସନ୍ ହୋଇପାରୁ ନଥିବା ଦ୍ୱାହି ଦେଇ ଅଚଳ କରି ରଖାଯାଇଛି । ଆଗରୁ ଚାଲୁଥିଲା ଏବେ କାହିଁକି ଚାଲୁନାହିଁ । ତାହାର ଉତ୍ତର ଜଳ ପରିମଳ ବିଭାଗ ଦେଇପାରୁନାହିଁ । ସେହିପରି ସଦର ଭାଟପଡା ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପ ୬ ବର୍ଷ ହେଲା ଅଚଳ । ଏହି ପଞ୍ଚାୟତରେ ହରିପୁର ଠାରେ ଥିବା ଏବଂ ତିହିଡି ତହସିଲ୍ ପରିସର ଭିତରେ ୨ଟି ପ୍ରକଳ୍ପ ରହିଛି । ତିହିଡି ବଜାର ମଧ୍ୟରେ ୨୦୧୨ ଠାରୁ ପାଣି ପାଇପ୍ ଯୋଗେ ଲୋକେ ପାଣି ପାଇବା ଆଉ ସମ୍ଭବ ହେଉ ନାହିଁ । ହରିପୁର ଓ ତହସିଲ କାର୍ଯ୍ୟାଳୟ ପମ୍ପ ରୁ ପାଣି ବାହାରୁନି । ଖୋଦ ତିହିଡି ଗାଁର ଲୋକେ କୂଅ ପାଣିକୁ ନିର୍ଭର କରୁଛନ୍ତି । ଏହାର ଫଟୋ ଆମେ ଦର୍ଶାଇଛୁ । ଅଚକ ପଞ୍ଚାୟତରେ ଥିବା ନନ୍ଦପୁର ପ୍ରକଳ୍ପରେ ପାଇପ ଫାଟି ପାନୀୟଜଳ ଡ୍ରେନରେ ମିଶୁଛି । ଯାହାକିଛି ପାଣି ପାଇପରେ ଆସୁଛି କାଦୁଅମିଶା ପାଣି ଥିବାରୁ ଲୋକେ ପିଇବାକୁ କୁଣ୍ଠାବୋଧ କରୁଛନ୍ତି । ତିହିଡି ବ୍ଲକ୍ରେ ୨୬୧୯ଗୋଟି ନଳକୂପ ସରକାରୀ ଭାବେ ଖୋଳାଯାଇଛି ବୋଲି ତାଲିକା କହୁଛି । ଏଥିରେ ଇଣ୍ଡିଆ – ୨ ନଳକୂପ ୧୯୦୦ ଥିଲା ବେଳେ, ସାଲ ଟିୱଲ ୫୫୯ ଗୋଟି ଏବଂ ତାରା ଟିୱଲ ୧୬୪ ଗୋଟି ଖୋଳ ହୋଇଥିଲା । ଏବେ ଅଧିକାଂଶ ନଳକୂପ ମରାମତି ଅପେକ୍ଷାରେ । ଖାଲି ନଳକୂପ ନୁହଁ ଲୋକଙ୍କୁ ପାଇପ୍ ପାଣି ଯୋଗାଇବା ପାଇଁ ୪୧ଟି ୱାଟର ସପ୍ଲାଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏଥିରୁ ୧୦ଟି ଅଚଳ ଅବସ୍ଥାକୁ ଗତି କରୁଛି ।

ସେଆର କରନ୍ତୁ:



Powered by odothemes.com