Bijepur-1

ବିଜେପୁର ଉପନିର୍ବାଚନ ଭୋଟ୍ ଆଜି

501

ସୁରକ୍ଷା କଡ଼ାକଡ଼ି
ଭୁବନେଶ୍ୱର, ୨୩ ।୨ (ବୁ୍ୟରୋ): ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳି ଉପନିର୍ବାଚନ ଲାଗି ଆସନ୍ତା କାଲି ଭୋଟ ଗ୍ରହଣ କରାଯିବ । ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ । ରାଜ୍ୟରେ ପ୍ରଥମଥର ପାଇଁ ଭିଭିପାଟ୍ ମେସିନ୍ ଏହି ନିର୍ବାଚନରେ ବ୍ୟବହାର କରାଯାଉଛି । ଏଥିଲାଗି ପ୍ରତିବୁଥ୍ରେ ଜଣେ ପି୍ରଜାଇଣ୍ଡିଂ ଅଫିସରଙ୍କ ବ୍ୟତୀତ ୪ ଜଣ ପୁଲିଂ ଅଧିକାରୀ ରହିବେ । ଜଣେ ଲେଖାଏଁ କନେଷ୍ଟବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ବିଜେପୁରରେ ସମୁଦାୟ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୫ ହଜାର ୪୧୭ ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୧ ଲକ୍ଷ ୫ ହଜାର ୭୧୩ ଜଣ ମହିଳା ଭୋଟର ଓ ୧୪ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ପ୍ରଥମ ଥର ପାଇଁ ଏହି ଉପନିର୍ବାଚନ ମତଦାନରେ ଭିଭିପ୍ୟାଟ୍ ଜରିଆରେ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିବେ । ମତଦାନ ପାଇଁ ୨୭୦ଟି ନିୟମିତ ଓ ୧୧ଟି ଅତିରିକ୍ତ ବୁଥ୍ର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୧୫୫ଟି ବୁଥ୍ ସମ୍ବେଦନଶୀଳ ଓ ୭୯ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ବୁଥ୍ଗୁଡ଼ିକରେ ପୁଲିସର ବ୍ୟାପକ ବନେ୍ଦାବସ୍ତ କରିଛି । ବିଜେପୁରରେ ୫ ପ୍ଲାଟୁନ୍ ସିଆରପିଏଫ୍ ଓ ବିଏସ୍ଏଫ୍ ଯବାନ୍ ମୁତୟନ ହୋଇଛନ୍ତି । ସିଆରପିଏଫ୍ମାନେ ଇଭିଏମ୍ ଜଗି ରହିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । ୧୮ଟି ସ୍ଥାନରେ ସିଆରପିଏଫ୍ ଓ ୩୨ଟିରେ ଓଡ଼ିଶା ପୁଲିସ ମୁତୟନ ରହିଛନ୍ତି । ସେହିପରି ସ୍ଥାନଗୁଡ଼ିକରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ ହୋଇଛନ୍ତି ବୋଲି ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ଲାଗି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନରେ ୧୩ରୁ ଊଦ୍ଧ୍ୱର୍ ପ୍ରାର୍ଥୀ ଥିଲେ ହେଁ ମୁଖ୍ୟତଃ ବିଜେଡି ପ୍ରାର୍ଥୀ ରୀତା ସାହୁ, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏହି ତିନି ପ୍ରାର୍ଥୀଙ୍କ ଲାଗି ସବୁ ଦଳର ହେଭିୱେଟ୍ ନେତାମାନେ ପ୍ରଚାର କରି ଫେରିଛନ୍ତି । ନେତା ଓ ଅଭିନେତାଙ୍କର ଗହଳିରେ ବିଜେପୁର ମାଟି କିଛିଦିନ ହେବ ଖାଲି କମ୍ପୁଥିଲା । ଗତକାଲିଠାରୁ ସବୁ ଶାନ୍ତ ହୋଇ ଯାଇଛି । ହେଲେ ଗତକାଲି ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରକୁ ଗୁଳିମାଡ ଘଟଣା ଆଜି ପୁଣି ରାଜନୈତିକ ବାତାବରଣକୁ ଉଷ୍ମ କରିଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭାରୀରେ ସଭା କରୁଥିବା ବେଳେ ଜଣେ ବିଜେପି କର୍ମୀ ତାଙ୍କ ସଭାମଞ୍ଚ ଉପରକୁ ଚପଲ ଫୋପାଡ଼ିଥିଲେ । ଗତକାଲିର ଗୁଳିକାଣ୍ଡ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଯଦିଓ ବିଜେପି ପକ୍ଷରୁ ଏହି ଦୁଇଟି ଘଟଣାରେ ସେମାନଙ୍କ ସମ୍ପୃକ୍ତି ନାହିଁ ବୋଲି ସଫେଇ ଦିଆଯାଉଛି ତେବେ ତାହା ସାଧାରଣରେ ବିଶ୍ୱାସ ଯୋଗ୍ୟ ହେଉନଥିବା ସୂଚନା ମିଳୁଛି ।

ସେଆର କରନ୍ତୁ:



Powered by odothemes.com