bijepur

ନିର୍ବାଚନୀ ହିଂସା

65

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଉପରକୁ ଗୁଳିମାଡ଼
ବରଗଡ, ୨୩ ।୨(ବୁ୍ୟରୋ): ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର ଶେଷ ହେବାର କେଇଘଣ୍ଟା ନଯାଉଣୁ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଓ ତାଙ୍କ ସହଯୋଗୀଙ୍କ ଉପରେ କିଛି ଦୁର୍ବୃତ୍ତ ଗତକାଲି ରାତିରେ ଗୁଳିମାଡ଼ କରିଛନ୍ତି । ସୋହେଲା ଥାନା ଅଞ୍ଚଳର ବାରଦିନାରେ ଏହି ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଗୁଳି ଚଳାଇବା ସହ ଟେକାପଥର ମାଡ କରିଛନ୍ତି । ଏଥିରେ ମନ୍ତ୍ରୀ ଶ୍ରୀ ସିଂଙ୍କ ଭାଇ ସୁବ୍ରତ ସିଂ, ମାଝି ସାହୁ, କାର୍ତ୍ତିକ ନାଗ ଓ ଖଗେଶ୍ୱର ମହାମଲ୍ଲିକ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ବାବୁ ଓରଫ ବାସୁଦେବ ନାୟକ, ଜୟ ପ୍ରକାଶ ଅଗ୍ରୱାଲ, ଗୁଡ଼ୁକୁ ପୁଲିସ ଗିରଫ କରିଛି । ପୁଲିସ ଘଟଣାସ୍ଥଳରୁ ଏକ ମାରୁତି କାର, ବୁଲେଟ୍ ଓ ଗୋଟିଏ ଜୀବନ୍ତ ଗୁଳି, ଦୁଇଟି ୯.୬ ଏମ୍ଏମ୍ର ଖୋକାକୁ ଜବତ କରିଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳ ଉପରେ ଆକ୍ରମଣ କରିଥିବା ଅତିରିକ୍ତ ଏସ୍.ପି. ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ପଛରେ ବିଜେପିର ହାତଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଗତକାଲି ରାତିରେ ସୁଶାନ୍ତଙ୍କ ଭାଇ ଓ ତାଙ୍କ ସହଯୋଗୀମାନେ ନିଜ ସୋହେଲା ବାସଭବନକୁ ଫେରୁଥିବାବେଳେ ବନାବୀର ଛକନିକଟରେ ହଠାତ୍ କିଛି ଲୋକ ଗୋଟିଏ ମାରୁତି କାର୍, ବୁଲେଟ୍ ମଟର ସାଇକେଲ ଓ ବୋଲେରୋରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପ୍ରାୟ ୩୦ ରାଉଣ୍ଡ ଗୁଳି ସେମାନେ ଚଳାଇଥିବାର ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ମନ୍ତ୍ରୀ ଶ୍ରୀ ସିଂଙ୍କ ଭାଇଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଆସନ୍ତା ୨୪ ତାରିଖରେ ବିଜେପୁରରେ ବିଧାନସଭା ନିର୍ବାଚନ କରାଯାଉଛି । ମନ୍ତ୍ରୀ ଶ୍ରୀ ସିଂ ବିଜେପୁର ନିର୍ବାଚନ ମଣ୍ଡଳି ଦାୟିତ୍ୱରେ ଅଛନ୍ତି । ରାଜନୈତିକ ଉଦେ୍ଦଶ୍ୟ ରଖି ତାଙ୍କ ଭାଇ ଓ ସହଯୋଗୀଙ୍କୁ ଗୁଳି ଚାଳନା କରାଯାଇଥିବା ସନେ୍ଦହ ପ୍ରକାଶ ପାଉଛି । ଘଟଣା ସଂପର୍କରେ ସୂଚନାଦେଇ ଅତିରିକ୍ତ ଏଏସ୍ପି କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳ ଉପରେ ଆକ୍ରମଣ କରିଛି । ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଅନ୍ୟମାନେ ଖସିଯାଇଛନ୍ତି । ଏ ସମ୍ପର୍କରେ ସୋହେଲା ଥାନାରେ ୫ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଦୁଇଟି ଟିମ୍ ଗଠନ କରାଯାଇ ଅନୁସନନ୍ଧାନ କରାଯାଉଛି । ଖୁବ୍ଶୀଘ୍ର ଅପରାଧୀମାନଙ୍କୁ ଧରାଯିବ । ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଏଥିରେ ବିଜେପି ନେତାଙ୍କର ହାତରହିଛି । ନିର୍ବାଚନ ହାରିଯିବା ଭୟରେ ବିଜେପି ଏବେ ଗୁଣ୍ଡାରାଜ ଆରମ୍ଭ କରିଛି । ଗଣ୍ଡଗୋଳ କରି ଯେନତେନ ପ୍ରକାରେଣ ନିର୍ବାଚନକୁ ବାତିଲ କରିବାକୁ ଚାହୁଁଛି । ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଗୁଳିକାଣ୍ଡ ଘଟଣାର ପ୍ରତିବାଦ କରି ବିଜେଡି ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଜିଙ୍କ କ୍ୟାମ୍ପ ଅଫିସ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସେମାନେ ଦାବି କରିଛନ୍ତି ।
ବରଗଡ଼ ଜିଲ୍ଲାପାଳ ଜାମିନ ଷଡ଼ଙ୍ଗି, ଏସ୍ପି ପଙ୍କଜ କୁମାର ମିଳିତଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ଶାନ୍ତି ବଜାୟ ରଖିବାକୁ ସବୁରାଜନୈତିକ ଦଳକୁ ନିବେଦନ କରିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ସେମାନେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଅପରପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ବରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଅଧିକ ପ୍ଲାଟୁନ୍ ଫୋର୍ସ ମୁତୟକ କରିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ସମ୍ବେଦନଶୀଳ ବୁଥ୍ ନିକଟରେ ଅଧିକ ସୁରକ୍ଷାବଳ ମୁତୟନ କରିବାପାଇଁ ନିଦେ୍ର୍ଦଶ ଦିଆଯାଇଛି । ବିଜେପି କର୍ମୀଙ୍କର ଏହି ଗୁଣ୍ଡାଗର୍ଦ୍ଦିକୁ ସବୁ ମହଲରେ ନିନ୍ଦା କରାଯାଇଛି । ସୂଚନା ଯୋଗ୍ୟ ମନ୍ତ୍ରୀ ଶ୍ରୀ ସିଂ ବିଜେପୁର ନିର୍ବାଚନ ମଣ୍ଡଳି ଦାୟିତ୍ୱରେ ଥିବାରୁ ବିଜେପି ତାଙ୍କ ଉପରେ ଖପ୍ପା ହୋଇଛି । ମନ୍ତ୍ରୀଙ୍କ ଲୋକପି୍ରୟତା ଓ ଦୃଢ଼ ସଂଗଠନ ଯୋଗୁ ବିଜେପି ବିଜେପୁର ଅଞ୍ଚଳକୁ ପ୍ରବେଶ କରିପାରୁ ନାହିଁ । ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନେ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଶ୍ରୀ ସିଂଙ୍କର ଅପରାଧ ପୃଷ୍ଠଭୂମି ରହିଛି ବୋଲି କହିବା ସହ ତାଙ୍କ ଗତିବିଧିର ଭିଡ଼ିଓ ରେକଡିଂ ପାଇଁ କହିଥିଲେ । ଏପରିକି ମନ୍ତ୍ରୀଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳି ସୀମାରୁ ବାହାର କରିବା ଲାଗି ଦାବି କରିଥିଲେ । ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ସେ ଗୁଣ୍ଡା ବୋଲି ଅବରତାରଣ କରିବାକୁ ପଛାଇ ନାହାନ୍ତି । ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟର ମାତ୍ର କେଇଘଣ୍ଟା ନଯାଉଣୁ ମନ୍ତ୍ରୀ ଶ୍ରୀ ସିଂଙ୍କ ଭାଇଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି ।




Powered by odothemes.com