News-5

ରୋଜଗାର ଯୋଗାଉଛି ଭଗାମୁଣ୍ଡା ଟସର ସମବାୟ ସମିତି

380

ଘଟଗାଁ,୨୩ ।୨(ଆପ୍ର): ରାଜ୍ୟ ଟସର (ରେଶମ) ଚାଷରେ କେନ୍ଦୁଝର ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେନ୍ଦୁଝର ଜିଲ୍ଲାର ଆଦିବାସୀମାନେ ନିଜର ଜୀବନ ଜୀବିକା ସହ ଟସର ଚାଷର ସମ୍ପର୍କ ଅତି ନିବିଡ଼ । ଏହି ରେଶମ ଚାଷକୁ ପ୍ରସôାହନା ଦେବା ପାଇଁ ଚାଷୀଙ୍କୁ ସରକାରଙ୍କ ତରଫରୁ ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ସ୍ୱାସ୍ଥ୍ୟବୀମା, ଜୀବନବୀମା, ପିଲାମାନଙ୍କୁ ଶିକ୍ଷା ବୃତ୍ତି, ବ୍ୟାବହାରିକ ଉପକରଣ ଏବଂ ଗୃହ ଯୋଗାଇ ଦିଆଯାଉଛି । ଏଥି ସହିତ ଜିଲ୍ଲାରେ କିଛି ଟସର ସମବାୟ ସମିତି ପ୍ରତିଷ୍ଠା କରାଯାଇ ସ୍ଥାନୀୟ ବହୁ ପୁରୁଷ ଓ ମହିଳାଙ୍କୁ ସ୍ୱାବଲମ୍ବି କରାଯାଇ ପାରୁଛି । ଯେମିତିକି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଟସର ସମବାୟ ସମିତିର ପ୍ରୟାସ ଆଜି ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସନୀୟ ହୋଇପାରିଛି । ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଟସର ସମବାୟ ସମିତିର ପ୍ରୟାସ ଯୋଗୁଁ ଆଜି ସ୍ଥାନୀୟ ଅଞ୍ଚଳର ବହୁ ଆଦିବାସୀ ପରିବାର ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ସମବାୟ ସମିତିରୁ ଅସନ ଓ ଅର୍ଜୁନ ଗଛର ଚାରା, ସାର, ଔଷଧ, ଉନ୍ନତ ମାନର ଟସର ଅଣ୍ଡା ପ୍ରଭୃତି ପାଇ ସ୍ଥାନୀୟ ଆଦିବାସୀମାନେ ଟସର ଚାଷ କରିବା ସହ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ଷରେ ଦୁଇ ତିନି ମାସ ପରିଶ୍ରମ କରି ଉନ୍ନତ ଜ୍ଞାନକୌଶଳ ଯୋଗୁଁ ଏଠାକାର ଚାଷୀ ଆଶାଠାରୁ ଅଧିକ ଟସର ଉତ୍ପାଦନ କରୁଥିବା ବେଳେ ସରକାରଙ୍କ ସହାୟତାରେ ଟସରକୁ ସମବାୟ ସମିତିରେ ବିକ୍ରି କରି ପ୍ରାପ୍ୟ ମୂଲ୍ୟ ପାଇ ପାରୁଛନ୍ତି । ତେବେ ଏହି ଟସର ଚାଷ ଯୋଗୁଁ କେବଳ ଚାଷୀ ନୁହଁ ଆହୁରି ମଧ୍ୟ ସ୍ଥାନୀୟ ବହୁ ବେକାର ପୁରୁଷ ଓ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । ଏଠାରେ ଆମଦାନୀ ହେଉଥିବା ଟସରରୁ ପର୍ଯ୍ୟାୟ କ୍ରମେ ସୁତା ବାହାର କରାଯାଇ ବିଭିନ୍ନ ପ୍ରକାରର ରେଶମ(ଟସର) ପୋଷାକ ପ୍ରସ୍ତୁତ କରାଯାଉଛି ଯାହା ବଜାରରେ ବେଶ ଆଦୃତ ହୋଇପାରୁଛି । ଏହି ସମବାୟ ସମିତିରେ ବିଭିନ୍ନ ପ୍ରକାରର ଉନ୍ନତ ମାନର ଯନ୍ତ୍ରପାତି ଲଗାଯାଇଛି ଯାହାକୁ ବ୍ୟବହାର କରି ସ୍ଥାନୀୟ ଅଂଚଳର ବହୁ ମହିଳା ରେଶମର ଶାଢି, ସାର୍ଟ, କୋଟ୍, ଚାଦର ଆଦି ପ୍ରସ୍ତୁତ କରିବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏଠାରେ ମଧ୍ୟ ବେକାର ଯୁବତୀମାନଙ୍କୁ ବିନା ମୂଲ୍ୟରେ ତାଲିମ ଦିଆଯାଉଛି । ତେବେ ସବୁଠାରୁ ବଡ଼କଥା ଏଠାକାର କିଛି ଯୁବତୀ ମଧ୍ୟ ବିଗତ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଯାହା ଅନ୍ୟ ଯୁବତୀମାନଙ୍କୁ କାମ କରିବା ପାଇଁ ପ୍ରେରଣା ଯୋଗାଉଛି । ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଚାଷୀ ଅଧିକ ପରିମାଣରେ ଟସର ଉତ୍ପାଦନ କରିପାରୁଥିବା ବେଳେ ଟସରର ମୂଲ୍ୟ ସ୍ଥର ରହୁଥିବା ଯୋଗୁଁ ଏବେ ହରିଚନ୍ଦନପୁର ବ୍ଲକରେ ଦିନକୁ ଦିନ ଟସର ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖାଯାଉଛି । ଧାନ ଚାଷ ପରେ ବଳକା ସମୟରେ ଆଦିବାସୀମାନେ ଜଂଗଲ ଭିତରେ ଟସର ଚାଷ କରି ରୋଜଗାର ବଢାଇ ପାରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଟସର ଚାଷୀଙ୍କର ଆର୍ଥିକ ସ୍ଥିତି ଏବେ ସ୍ୱଚ୍ଛଳ ହେବାରେ ଲାଗିଛି ଓ ନିରକ୍ଷରତାରୁ ବାହାରି ନିଜ ପିଲାଛୁଆଙ୍କୁ ଭଲ ଶିକ୍ଷା ଯୋଗାଇବା ସହ ସମାଜ ସହ ତାଳ ଦେଇ ଚାଲି ପାରୁଛନ୍ତି ।




Powered by odothemes.com