bijepur-big-fight-master-head

ଅନ୍ଧାରିବିଜେ ଲାଗି ନେତା ସଜବାଜ

87

ସରିଲା ପ୍ରଚାର
ଭୁବନେଶ୍ୱର, ୨୨ା୨(ବୁ୍ୟରୋ): ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ଆଜି ସନ୍ଧ୍ୟା ୫ଟାରୁ ପ୍ରଚାର ଶେଷ ହୋଇଛି । ଦୀର୍ଘଦିନ ଧରି ହାଇପ୍ରୋଫାଇଲ୍ ପ୍ରଚାରରେ ଘୋ ଘୋ ଶୁଭୁଥିବା ନିର୍ବାଚନମଣ୍ଡଳୀ ଶାନ୍ତ ପଡିଛି । ଭୋଟରଙ୍କୁ ମନାଇବା ପାଇଁ ନେତାମାନେ ଅନ୍ଧାରିବିଜେ ଆରମ୍ଭ କରିଛନ୍ତି । ତେବେ ସବୁ ଦଳ ପକ୍ଷରୁ ଛକାପଞ୍ଝା ଆରମ୍ଭ ହୋଇଯାଇଛି । କିଏ କାହାକୁ କେଉଁଠି ଘେରିବ ସେଥିପାଇଁ ରଣନୀତି ମଧ୍ୟ ଧାର୍ଯ୍ୟ ହୋଇଛି । ୨୮ ତାରିଖ ଦିନ ଏହି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ଆସନ୍ତା ୨୪ ତାରିଖ ଦିନ ବିଜେପୁର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୨୧ ହଜାର ୧୪୪ ଭୋଟର ୨୭୦ ବୁଥ୍ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୩ଟି ବ୍ଲକ୍ ଓ ଗୋଟିଏ ଏନ୍ଏସିକୁ ନେଇ ଗଠିତ ବିଜେପୁର ନିର୍ବାଚନମଣ୍ଡଳୀ ବେଶ୍ କିଛିଦିନ ହେବ ରାଜ୍ୟ, କେନ୍ଦ୍ରୀୟ ନେତା ଓ ଅଭିନେତାଙ୍କୁ ନେଇ ଏହି ନିର୍ବାଚନମଣ୍ଡଳୀ କମ୍ପୁଥିଲା । ଆଜି ସନ୍ଧ୍ୟାଠାରୁ ନିରବତା ଛାଇଛି । ମାଇକ୍ ପ୍ରଚାର ସାଙ୍ଗକୁ ରୋଡ୍ ସୋ’, ନିର୍ବାଚନୀ ଗୀତ ଆଦି ବନ୍ଦ ହୋଇଯାଇଛି । ଏହି ନିର୍ବାଚନରେ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପନôୀ ରୀତା ସାହୁଙ୍କ ଲାଗି ଦଳର ବହୁ ବରିଷ୍ଠ ନେତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋଡ୍ ସୋ’ କରିବା ସହ ୩ଟି ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ପ୍ରାୟ ମାସାଧିକକାଳ ବିଜେପୁରରେ ରହି ପ୍ରଚାର ଚଳାଇଛନ୍ତି । ପ୍ରଚାରରେ ମଧ୍ୟ ବିଜେପି ପଛରେ ପଡିନି । ୩ରୁ ୪ କେନ୍ଦ୍ର ମନ୍ତ୍ରୀଙ୍କୁ ଓଡିଶା ଆଣି ପ୍ରଚାର କରାଇବା ସହ ଓଡିଆ ସିନେଜଗତର ଲୋକପ୍ରିୟ ତାରକାମାନଙ୍କୁ ନେଇ ମଇଦାନକୁ ଓହ୍ଲାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ପ୍ରଚାର ଚାଲିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରାୟ ୪୦ଟି ସଭା କରିଛନ୍ତି । ଅଭିନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ ରୋଡ୍ ସୋ’ କରି ବିଜେପୁରବାସୀଙ୍କୁ ବିଜେପି ପ୍ରତି ଆକୃଷ୍ଟ ହେବାକୁ ଭରପୁର ଉଦ୍ୟମ କରିଛନ୍ତି । ଶେଷମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ମଧ୍ୟ ରାଜ୍ୟସ୍ତରୀୟ ନେତାଙ୍କୁ ମଇଦାନକୁ ଛାଡିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, କିଶୋର ପଟେଲ, ପ୍ରଦୀପ ମାଝୀ, ନିମାଇଁ ସରକାର, ସୁରେଶ ରାଉତରାୟ, ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡି, ବିଜେପିର ହାଇଭୋଲ୍ଟେଜ୍ ପ୍ରଚାରର ଜବାବ୍ ଦେବା ଲାଗି ସେମାନେ ସଗଡରେ ବସି ପ୍ରଚାର କରିଛନ୍ତି । ମୁଖ୍ୟତଃ ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏକୁଆରକ ବଳି ବୋଲି ଭୋଟର ମତ ଦେଉଛନ୍ତି । ବିଜେଡି ବିକାଶର କଥା କହୁଥିବାବେଳେ ବିଜେପି ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରିଛି । ଏପରିକି ଭୋଟ୍ ପାଇଁ ବିଜେପି ନେତୃବର୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋଠିଆଭାବେ ବର୍ଣ୍ଣନା କରିବାକୁ ଦ୍ୱିଧା ପ୍ରକାଶ କରିନାହାନ୍ତି । କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କ ପାଇଁ ସ୍ଥାନୀୟ ଓ କୁଲ୍ଟା କାର୍ଡ ଖେଳିଛି । ବିଶେଷକରି ନିର୍ବାଚନରେ ଚାଷୀ ପ୍ରସଙ୍ଗ ଛାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜକୁ ଏକ ଚାଷୀ ବୋଲି ଅବିହିତ କରିବା ସହ ସେ କୁଲ୍ଟା ସମ୍ପ୍ରଦାୟର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକୁଥିଲେ ଓ ତାଙ୍କ ମା’ ଅନ୍ୟ ଘରେ ବାସନ ମାଜି ଏମାନଙ୍କୁ ମଣିଷ କରିଛନ୍ତି ବୋଲି ବିଜେପି ପ୍ରଚାର ସମୟରେ ପ୍ରକାଶ କରିଛି । ଲୋକଙ୍କ ଅନୁକମ୍ପାକୁ ହାସଲ କରିବା ପାଇଁ ଏହିଭଳି ବାକ୍ୟ ପ୍ରୟୋଗ କରାଯାଇଛି । ବିଜେଡି ମଧ୍ୟ ବିଜେପୁରର ବିକାଶ ପାଇଁ ଅଙ୍ଗୀକାରବଦ୍ଧତାକୁ ଦୋହରାଇବା ସହ ସୁବଳ ସାହୁଙ୍କ ଲୋକପ୍ରିୟତାକୁ ଆଧାର କରି ଅନୁକମ୍ପା କାର୍ଡ ଖେଳିଛି । ସୁବଳଙ୍କ ପନôୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ସ୍ୱାମୀଙ୍କ କଥା ସଭାସମିତିରେ କାନ୍ଦିପକାଉଥିବାର ନଜିର ଦେଖିବାକୁ ମିଳିଛି । ସମୟ ଶେଷ ହୋଇଛି । ଭୋଟରମାନଙ୍କୁ କିଏ କେତେଦୂର ଆପଣାଇଛି, ତାହା ୨୮ ତାରିଖ ଦିନ ଜଣାପଡିବ ।

ସେଆର କରନ୍ତୁ:



Powered by odothemes.com