ଆଜିଠୁ ମାଟ୍ରିକ ପରୀକ୍ଷା

70

କଟକ, ୨୨/୨ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ଶେଷ ହେବ । ରାଜ୍ୟର ମୋଟ ୨୯୧୯ଟି କେନ୍ଦ୍ରରେ ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ନିୟମିତ ୫ ଲକ୍ଷ ୯୦ ହଜାର ୩୬୦ ଛାତ୍ରଛାତ୍ରୀ ୨୮୧୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ବେଳେ ଏହି କେନ୍ଦ୍ରମାନଙ୍କ ମଧ୍ୟରୁ ୪୭ଟି କେନ୍ଦ୍ରରେ ୩ ହଜାର ୭୧୫ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷା ଦେଉଥିବା ୧୩ ହଜାର ୯୭୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୦୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ମୋଟ ୩୦୨ଟି ନୋଡାଲ ସେଂଟର ଖୋଲାଯାଇଥିବା ବେଳେ ଏଗୁଡିକ ମଧ୍ୟରୁ ସମ୍ବେଦନଶୀଳ ଜିଲ୍ଲାଗୁଡିକରେ ୨୩ଟି ଥାନାକୁ ନୋଡାଲ ସେଂଟର ଭାବେ ଗ୍ରହଣ କରାଯାଇଛି । ନୋଡାଲ ସେଂଟର ଖୋଲାଯାଇଥିବା ଥାନାଗୁଡିକ ମଧ୍ୟରେ କନ୍ଧମାଳର ୭ଟି, କୋରାପୁଟର ୩, ମାଲକାନଗିରି ୧୦ ଓ ରାୟଗଡାର ୩ଟି ରହିଛି । ପ୍ରଥମ ପର୍ଯ୍ୟାୟର ୩ଟି ଭାଷା ପରୀକ୍ଷାର ପ୍ରଶ୍ନପତ୍ର ସମସ୍ତ ନୋଡାଲ ସେଂଟରରେ ପହଂଚିବା ସହ ସେଗୁଡିକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ପ୍ରତି ନୋଡାଲ ସେଂଟରରେ ୨ ଜଣ ଶିକ୍ଷକ, ଜଣେ ଶିକ୍ଷା କର୍ମଚାରୀ ସହ ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି । କେତେକ ସେଂଟରକୁ ଆଜିଠାରୁ ପ୍ରଶ୍ନପତ୍ର ପଠାଯାଇଥିବା ବେଳେ ଆଉ କେତେକ କେନ୍ଦ୍ରକୁ ଆସନ୍ତା କାଲି ସକାଳେ ପ୍ରଶ୍ନପତ୍ର ପଠାଯିବ । କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷାର୍ଥୀମାନେ ପ୍ରଥମ ଦିନ ସକାଳ ୮ଟାରେ ଏବଂ ଅନ୍ୟ ଦିନମାନଙ୍କରେ ସକାଳ ୮.୨୦ମିନିଟରେ କେନ୍ଦ୍ରରେ ପ୍ରବେଶ କରିବେ । ୮.୩୦ରେ ସେମାନଙ୍କୁ ଓଏମଆର ସିଟ୍, ୮.୪୫ରେ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନପତ୍ର ପ୍ରଦାନ କରାଯିବ ଏବଂ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ ମିନିଟରେ ଶେଷ ହେବ । ତେବେ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ସମୟ ମିଳିବ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ବୋର୍ଡ ପକ୍ଷରୁ ୩୭ଟି ସ୍କ୍ୱାଡ୍ କରାଯାଇଥିବା ବେଳେ ଶିକ୍ଷା ଜିଲ୍ଲାଧିକାରୀଙ୍କ ପକ୍ଷରୁ ୫୮ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ଜଣ ଅଧିକାରୀଙ୍କ ନେତୃତ୍ୱରେ ମଧ୍ୟ ସ୍କ୍ୱାଡ୍ ଗଠନ କରାଯାଇଛି । ପ୍ରତି ସ୍କ୍ୱାଡରେ ୨ ଜଣ ଲେଖାଏ ଅଧିକାରୀ ରହିବେ । ଏତଦବ୍ୟତୀତ ସମସ୍ତ ବିଡିଓ ଏବଂ ତହସିଲଦାରମାନଙ୍କୁ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି କପି ରୋକିବା ପାଇଁ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲାପାଳମାନେ ନିଦେ୍ର୍ଦଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୨ଟି ହେଲ୍ପ ଲାଇନ୍ର ବ୍ୟବସ୍ଥା କରାଯାଇଛି । ୦୬୭୧ ୨୪୧୨୦୫୯, ୦୬୭୧ ୨୪୧୨୦୬୦ ଫୋନ ନମ୍ବର ଦୁଇଟି ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ । ଚଳିତବର୍ଷ ବିଚାରଧିନ କଏଦୀ ଭାବେ ଥିବା ୧୩ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ଅନୁଗୁଳସ୍ଥିତ ସୁଧାରଗୃହରେ ରହୁଥିବା ଜଣେ ନାବାଳିକ ନିୟମିତ ମାଟ୍ରିକ ପରୀକ୍ଷା ଦେଉଥିବାରୁ ତାଙ୍କ ପାଇଁ ଅନୁଗୁଳରେ ଏକ ଉପକେନ୍ଦ୍ର କରାଯାଇଛି । ଚୈାଦ୍ୱାର ଜେଲରେ ଥିବା ଅନ୍ୟ ୧୨ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷା ଦେଉଥିବାରୁ ସେମାନଙ୍କ ପାଇଁ ମଧ୍ୟ ଏକ ଉପକେନ୍ଦ୍ର କରାଯାଇଛି । ପରୀକ୍ଷା ପରେ ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।




Powered by odothemes.com