nilachakra

ଦୁର୍ବଳ ହୋଇଛି ନୀଳଚକ୍ର

132

ପୁରୀ, ୨୨ା୨(ଆପ୍ର): ଶ୍ରୀମନ୍ଦିର ନୀଳଚକ୍ରର ସ୍ଥିତି ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଦଳ ଗୁରୁବାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନୀଳଚକ୍ରର କିଛି ଅଂଶ କଳଙ୍କି ଲାଗିଯାଇଥିବା ବିଶେଷଜ୍ଞ ଦଳ ପ୍ରକାଶ କରିଛି । ତେଣୁ ଖୁବ୍ଶୀଘ୍ର ଶ୍ରୀମନ୍ଦିରରେ ଲଗାଯାଇଥିବା ଆର୍ଥିଂ ଷ୍ଟ୍ରାବ୍ର ଆବଶ୍ୟକୀୟ ମରାମତି କରାଯିବ । ତେବେ ଯାଞ୍ଚବେଳେ ନୀଳଚକ୍ରର ୮ ଅର ମଧ୍ୟରୁ ୨ଟି ଅର ଦୁର୍ବଳ ଥିବା ଜଣାପଡ଼ିଥିଲା । ଅର ୨ଟି ହଲୁଥିବା ବିଶେଷଜ୍ଞ ଦଳ ଦେଖିବାକୁ ପାଇଥିଲେ । ସେହିପରି ନୀଳଚକ୍ରର ବେସ୍ରେ ବ୍ରଜପାତ ନିରୋଧ ପାଇଁ ଥିବା ୧୨ଟି ଇଲେକ୍ଟି୍ରକ କଣ୍ଡେନସର ମଧ୍ୟରୁ ୮ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୮ଟି କନେକ୍ଟିଙ୍ଗ୍ କଣ୍ଡେନସର ଠିକ୍ ଥିବା ଜଣାପଡ଼ିଛି ବୋଲି ବୈଷୟିକ କୋର କମିଟିର ଆନନ୍ଦପ୍ରାଣ ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୁଧବାର ଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ୫ଜଣିଆ ବିଶେଷଜ୍ଞ ଦଳ ନୀଳଚକ୍ରର ବର୍ତ୍ତମାନ ସ୍ଥିତି ଓ ଅବସ୍ଥାର ଅନୁଧ୍ୟାନ କରିବା ପରେ ଶ୍ରୀ ଗୁପ୍ତା ଏହି ସୂଚନା ଦେଇଛନ୍ତି । ଏହି ଦଳରେ ଏଏସ୍ଆଇର ସୁପରଟେଣ୍ଡିଂ ଆର୍କିଓଲୋଜିଷ୍ଟ ହେମସାଗର ଅଭୟନାୟକ, କୋର କମିଟି ସଦସ୍ୟ ଡଃ ଏନ.ସି. ପାଲ, ଜିଇଡିର କୁମୁଦ ମହାରଣା, ଏସ୍ଆଇ ଅରୂପ ଭଟ୍ଟାଚାର୍ଯ୍ୟ, ନରେଶ କୁଲ କର୍ଣ୍ଣ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଅପରାହ୍ନରେ ବନ୍ଧା ଯାଇଥିବା ଭାରା ଦେଇ ଶ୍ରୀମନ୍ଦିର ଚୂଡାକୁ ଯାଇ ଏହା ଜାଣିବାକୁ ପାଇଥିଲେ । ଅନ୍ୟପକ୍ଷରେ ଜଗମୋହନର ପୁନଃ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆଗାମୀ ୧୫ଦିନରେ ଜଗମୋହନର ସୁରକ୍ଷା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଡଃ ଗୁପ୍ତା ପ୍ରକାଶ କରିଛନ୍ତି । ଉକ୍ତ ବୈଷୟିକ କମିଟିର ବୈଠକ ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ନୀଳଚକ୍ରର ସ୍ଥିତି ସମେତ ମନ୍ଦିର ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରାଯାଇ ଆଲୋଚନା କରାଯିବା ସହ ସମସ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି ।




Powered by odothemes.com