bjd01

ବିଜେପୁରର ବିକାଶ ନୂଆ ପରିଚୟ ସୃଷ୍ଟି କରିବ: ନବୀନ

145

ବିଜେପୁର,୨୧ା୨ : ଦ୍ୱିତୀୟ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପକଟ୍ଟନାୟକ ଆଜି ବିଜେପୁରରେ ବଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ପ୍ରଚାର କରିଛନ୍ତି । ଗାଇସିଲଟ ବ୍ଲକ୍ର କଳଙ୍ଗାପାଲିଠାରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ରୀତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରୀତାଙ୍କ ବିଜୟ ପରେ ବିଜେପୁରରେ ନୂଆ ପରିଚୟ ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଗାଇସିଲଟ୍ ବ୍ଲକ କଳଙ୍ଗାପାଲିରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜୁହାର କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ସୁବଳ ସାହୁ ଏ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ । ଲଗାତାର ୩ଥର ସେ ଏଠୁ ବିଧାୟକ ଭାବେ ଜିଣିଛନ୍ତି । ୨୦୧୯ ପର୍ଯ୍ୟନ୍ତ ସେ ଭୋଟ ପାଇଥିଲେ । ହେଲେ ୨୦୧୭ରେ ତାଙ୍କର ଅକାଳ ବିୟୋଗ ଘଟିଲା । ସୁବଳଙ୍କ ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ, ଭଉଣୀ ରୀତା ମୋତ ସାକ୍ଷାତ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସ୍ୱାମୀ ବିଜେପୁରର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ବିଜେପୁରବାସୀଙ୍କର ସେବାକୁ ତାଙ୍କ ବ୍ରତ ଭାବେ ଗ୍ରହଣ କରିଥିଲେ । ସେ ଛାଡିଯାଇଥିବା ଅଧୁରା କାର୍ଯ୍ୟକୁ ପୂରଣ କରିବାକୁ ଚାହୁଁଛି । ଏଥିପାଇଁ ବିଜେଡି ମୋତେ ପ୍ରାର୍ଥୀ କରୁ ବୋଲି ଭଉଣୀ ରୀତା କହିଥିଲେ । ଜଣେ ମହିଳାଙ୍କ ଭିତରେ ଏଭଳି ନିଷ୍ଠା ଓ ଆତ୍ମବିଶ୍ୱାସ ଦେଖି ମୁଁ ତାଙ୍କୁ ପ୍ରାର୍ଥୀ କରିଥିଲି । ବିଜେପୁର ସହ ମୁଁ ରହିବି । ଆଗାମୀ ଦିନରେ ବିଜେପୁର ବିକାଶର ଏକ ନୂଆ ପରିଚୟ ସୃଷ୍ଟି ହେବ । ଗାଇସିଲଟ ବ୍ଲକ୍ରେ ଜଳସମସ୍ୟା ରହିଛି । ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଏହାକୁ ଦୂର କରାଯିବ । ହାତ ତିଆରି ଲୁଗା ଉପରେ କେନ୍ଦ୍ର ସରକାର ୧୮% ଜିଏସ୍ଟି ନେଉଥିଲେ । ଆମର ଦାବି ପରେ ଏହାକୁ ୫% ହ୍ରାସ କରିଥିଲେ । ହାତ ତିଆରି ଲୁଗା ଉପରେ କିଭଳି ଜିଏସ୍ଟି ମୁକ୍ତ ହେବ ସେଥିପାଇଁ କେନ୍ଦ୍ର ସରକାର ନିକଟରେ ଦାବି କରିବି । ଆଗାମୀ ନିର୍ବାଚନରେ ରୀତା ସାହୁଙ୍କୁ ଭୋଟ ଦେବା ସେ ନିବେଦନ କରିଥିଲେ । ଅନ୍ୟପକ୍ଷରେ ସାଂସଦ ପ୍ରସନ୍ନ ଆଚର୍ଯ୍ୟ, ଅନଙ୍ଗ ଉଦୟ ସିଂହ, ପ୍ରଭାତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ସେମାନେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ । ଏହାଛଡା ଗତକାଲି କୁମ୍ଭାରୀ ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ହୋଇଥିବା ଚପଲମାଡ ଫୋପାଡିବା ଘଟାଣାର ମଧ୍ୟ ନିନ୍ଦା କରିଥିଲେ । ସେହିଭଳି ସଭାରେ ପ୍ରାର୍ଥିନୀ ରୀତା ସାହୁ କହିଥିଲେ ଯେ ବିଜେପୁର ନିର୍ବାଚନମଣ୍ଡଳୀର ବିକାଶ କରିବା ଲାଗି ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଛିଛନ୍ତି । ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବା ଲାଗି ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।




Powered by odothemes.com