gariba-pada

ପାଞ୍ଚ ପ୍ରାଣୀ ଚାଳିଆରେ ମୁଣ୍ଡ ଗୁଞ୍ଜିଛନ୍ତି

39

ପକ୍କାଘର ଆମପାଇଁ ସ୍ୱପ୍ନ!
ସିଂହପୁର(ଆପ୍ର): ସାରା ଜୀବନ ଗୁଜୁରାଣ ମେଣ୍ଟାଇବା ପାଇଁ ହାଡ଼ଭଙ୍ଗା ଖଟଣି ଖଟି ନୟାନ୍ତ ହୋଇ ପଡିଥିବା ଜଣେ ଦରିଦ୍ର, ଅସୁସ୍ଥ ମଣିଷ ମୁଣ୍ଡ ଉପରେ ଥିବା ଚାଳ ଛପର ବଦଳିଲାନି । ସରକାରୀ ଯୋଜନାରୁ ବଞ୍ଚିତ ଏକ ଅସହାୟ ଦମ୍ପତି ପକ୍କାଘର ଆମପାଇଁ ସ୍ୱପ୍ନ ବୋଲି ଭାଗ୍ୟକୁ ନିନ୍ଦି କହିଛନ୍ତି ଜଣେ ଦିନ ମଜୁରିଆ ପ୍ରଦୀପ ମହଲ ଓରଫ ପଦ । ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର କୁଆଁରପୁର ରାଜସ୍ୱ ଗ୍ରାମ ଅଧୀନ ପଡ଼ାଗ୍ରାମ ଗବଡିହରେ ରହିଛନ୍ତି ସ୍ୱର୍ଗତଃ ଦଧିରାମ ମହଲଙ୍କର ସାନପୁଅ ପଦ୍ମନାଭ ମହଲ (୪୨) । ପିଲାଟି ଦିନରୁ ସେ ରୋଗାକ୍ରାନ୍ତ । ନିଜର ୩ଟି ଝିଅ ଓ ପତ୍ନୀଙ୍କୁ ନେଇ ୫ପ୍ରାଣୀ କୁଟୁମ୍ବ ତାଙ୍କ ମୁଣ୍ଡରେ ବନ୍ଧା ହୋଇଛନ୍ତି । ଦୁର୍ବଳ ରୋଗାକ୍ରାନ୍ତ ଶରୀରରେ ସେ ହାଡ଼ଭଙ୍ଗା ଖଟଣି ଖଟି କେବଳ ଏମାନଙ୍କ ମୁହଁରେ ଆହାର ଗଣ୍ଡାଏ ଦେବାଛଡା ଆଉ କିଛି କରି ପାରିନାହାନ୍ତି । ଖଣ୍ଡିଏ ପଲାମାରି ସେ ରହି ଆସୁଛନ୍ତି । ସେ ଓ ତାଙ୍କ ସ୍ତ୍ରୀ ମଧ୍ୟ ବହୁ ଥର ସ୍ଥାନୀୟ ସରପଞ୍ଚ, ନେତାମାନଙ୍କୁ ଗୁହାରୀ କରିଛନ୍ତି ଘର ଖଣ୍ଡିଏ ପାଇଁ । ପଦ୍ମନାଭଙ୍କ ପୁଅ ନଥିବା ବେଳେ ରହିଛନ୍ତି ୩ଟି ଝିଅ । ଘର ଖଣ୍ଡିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇ ଭାଗ୍ୟକୁ ନିନ୍ଦି ଚଳି ଆସୁଛନ୍ତି । ଏବେକାର ସରପଞ୍ଚ, ପୂର୍ବର ସରପଞ୍ଚ, ସମିତିସଭ୍ୟ, ଗାଁର ନେତା ସମସ୍ତଙ୍କୁ ଘରଖଣ୍ଡେ ପାଇଁ ଗୁହାରୀ କରିଛନ୍ତି । ହେଲେ କେହି ଶୁଣି ନାହାନ୍ତି । ଏହି ଯୋଜନାରେ ସ୍ୱଚ୍ଛଳ ବର୍ଗର ଲୋକେ ଘର ପାଉଛନ୍ତି ବୋଲି ସେ ଜାଣିବାକୁ ପାଇଲା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆବାସ ଯୋଜନା ବଦଳରେ କୁଆଡେ ଲାଞ୍ଚ କାରବାର ହୁଏ ମୋଟା ଅଙ୍କରେ ବୋଲି ସେ ଜାଣିବା ପରେ ଏହି ଯୋଜନାରେ ତା ମୁଣ୍ଡ ଉପରେ ଛାତ ହେବାର ଆଶା ମଉଳି ଯାଇଛି । ଜୀବନରେ ସେ ଏତେ ଟଙ୍କା ଦେଖିନାହାନ୍ତି । ଆଣିବେ କେଉଁଠୁ । ଚାଳିଆ ଖଣ୍ଡକରେ ମୁଣ୍ଡ ଗୁଞ୍ଜିଛନ୍ତି ସିନା ପିଇବା ପାଇଁ ସରକାରୀ ନଳକୂଅ ଟିଏ ତା ସାହିରେ ନାହିଁ । ଘର ତ ଦୂରେ ଥାଉ ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ଟିଏ ବି ମିଳିନି । ଏହି ଅସହାୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ଯେ ବାଟବଣା ହୋଇଛି ତାହା ପଦର ଅବସ୍ଥା ଦେଖିଲେ ବେଶ୍ ଅନୁମେୟ ।




Powered by odothemes.com